ବାଇକରେ ଓଡିଶାରୁ ଲଦାଖ । ଶୁଣିବାକୁ ଆଶ୍ଟର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଏ ଦୁନିଆରେ ଅସମ୍ଭବ କିଛି ନୁହେଁ । କରିପାରିଲେ ସବୁ ସମ୍ଭବ । ଖାଲି ଦରକାର ନିଜ ଭିତରେ ଅସିମ ଆତ୍ମବିଶ୍ୱାସ । ମନରେ ଦୃଢ଼ ଇଚ୍ଛା ଶକ୍ତି ଆସିଲେ ଲମ୍ବା ଯାତ୍ରା ବି କମ୍ ଲାଗେ । ସୋନପୁର ସୁରେଶ୍ୱରୀ ମନ୍ଦିରରୁ ସୋନପୁରର ୧୦ ଜଣ ଯୁବକ ବାଇକ ଯୋଗେ ୧୮ ଦିନରେ ଏହି ଯାତ୍ରାକରି ସୋନପୁରକୁ ଫେରି ଆସିଛନ୍ତି । ଆଜିକାଲି ସଚେତନତା ଅଭାବରୁ ପରିବେଶ ପ୍ରଦୂଷଣ ବଢିବାରେ ଲାଗିଛି ।
ତେଣୁ ପରିବେଶ ସୁରକ୍ଷା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଯୁବକମାନେ ଏହି ବାଇକ ଯାତ୍ରା କରିଛନ୍ତି । ସଚେତନତାର ବାର୍ତ୍ତା ନେଇ ଓଡ଼ିଶାର ସୋନପୁରରୁ ସୁଦୁର ଲଦାଖକୁ ଅର୍ଥାତ ପ୍ରାୟ ୫ ହଜାର ୭ଶହ କିଲୋମିଟର ଯାତ୍ରା କରିଛନ୍ତି ୧୦ ଜଣ ଯୁବକ । ତେବେ ଏହି ଯୁବକମାନଙ୍କର ଏହା ପ୍ରଥମ ଯାତ୍ରା ନୁହେଁ । ବିଗତ ଦୁଇବର୍ଷ ହେଲା ଏହି ୧୦ ଜଣ ଯୁବକ ଦେଶର ବିଭିନ୍ନ ସ୍ଥାନକୁ ବାଇକ ଯୋଗେ ଯାତ୍ରାକରି ଲୋକଙ୍କୁ ପରିବେଶ ସୁରକ୍ଷା ସହ ସୁରକ୍ଷିତ ବାଇକ ଚାଳନା ନେଇ ସଚେତନତାର ବାର୍ତ୍ତା ଦେଉଥିବା କହିଛନ୍ତି ।
ତେବେ ଦୁନିଆରେ ଲୋକଙ୍କର ଅନେକ ଅଜବ ସଉକ୍ ରହିଛି । ନିଜ ସଉକ୍ କୁ ପୂରଣ କରିବା ପାଇଁ ଯାହାବି କଷ୍ଟ କରିବାକୁ ପଡୁ ପଛେ କିଛି ଲୋକ ସେ ସବୁ କରିଥାନ୍ତି । ସେମାନଙ୍କ ଭିତରୁ ଏମିତି କିଛି ଅଛନ୍ତି ଯେଉଁମାନେ କେବଳ ଏହି ବିଶ୍ୱର ମଙ୍ଗଳ ଚାହାନ୍ତି । ଆଉ ବିଶ୍ୱର ମଙ୍ଗଳ ପାଇଁ ସବୁ କିଛି କରିବା ହିଁ ସେମାନଙ୍କର ସଉକ ପାଲଟିଯାଏ । ସେଥିପାଇଁ ଏବେ ଏହି ଯୁବକମାନେ ସମସ୍ତଙ୍କର ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ।
ବର୍ତ୍ତମାନ ଯୁବପିଢ଼ୀଙ୍କ ମଧ୍ୟରେ ବାଇକ ଯୋଗେ ଲଦାଖ ଯିବାର ଏକ ଭିନ୍ନ କ୍ରେଜ୍ ଦେଖିବାକୁ ମିଳୁଛି । କିନ୍ତୁ ଏମାନେ ପରିବେଶ ପ୍ରଦୂଷଣ ରୋକିବାର ବାର୍ତ୍ତା ନେଇ ଏହି ଯାତ୍ରା କରିଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ଖୁବ ପ୍ରେରଣାଦାୟୀ ନିଶ୍ଚୟ । ଏହି ଯୁବକମାନଙ୍କର ଏଭଳି ନିଆରା ପ୍ରୟାସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଯୁବକଙ୍କ ଏଭଳି ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।