କାମ କରିବାକୁ ଯାଇ ଆଉ ଫେରିଲେନି ବୃଦ୍ଧ, ଟ୍ରାକ୍ଟର ଆସି ଜୀବନ ନେଇଗଲା

ହସ୍ପିଟାଲ ପରିସରରେ ଚାଲିଛି କାନ୍ଦ ବୋବାଳି । ଘରର ମୂରବୀଙ୍କୁ ହରାଇ ଭାଙ୍ଗିପଡିଛନ୍ତି ପରିବାର ଲୋକେ । ସବୁଦିନ ପରି ଆଜି ବି କାମକୁ ଯାଇଥିଲେ । ହେଲେ କିଏ ଜାଣିଥିଲା ସେହିଠାରେ ହିଁ ତାଙ୍କ ଜୀବନ ଚାଲିଯିବ, ଆଉ ସେ କେବେ ଘରକୁ ଫେରିବେନି । କାମ କରୁଥିବା ସମୟରେ ପଛ ପଟୁ ଆସି ଚଢାଇ ଦେଲା ଟ୍ରାକ୍ଟର । ଆଜି ଘଟଣାସ୍ଥଳରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ମୃତକ ଜଣକ ହେଉଛନ୍ତି ଲାଦ୍ରା ସିଂ । ଉଦଳା ଥାନା ଘାଗରାଗଡି ଗ୍ରାମରେ ଘଟିଛି ଏଭଳି ଏକ ଦୁଃଖଦାୟୀ ଘଟଣା ।
ସତରେ ଏମିତି ବି ଆସେ ମରଣ । ନିମିଷକରେ ଚାଲି ଯାଏ ଅମୂଲ୍ୟ ଜୀବନ । ସତରେ ଏ ମଣିଷ ଜୀବନ ପାଣି ଫୋଟକା । ପ୍ରତି ଦିନ ନିଜ ଆଖି ସାମ୍ନାରେ ଦେଖୁଥିବା ବ୍ୟକ୍ତି କିପରି ମୁହୂର୍ତ୍ତକରେ ଆରପାରିକୁ ଚାଲିଯାଏ ତାହା ଭାବିବା ବି ଅସମ୍ଭବ । ଏଇତ ମୃତ୍ୟୁର କିଛି ମୁହୂର୍ତ୍ତ ପୂର୍ବରୁ ଘରେ କହିକି ଆସିଥିଲେ ମୁଁ କାମକୁ ଯାଉଛି । ହେଲେ କିଛି ସମୟ ଭିତରେ ଚାଲିଗଲା ଜୀବନ । କାମକୁ ଆସି ସବୁଦିନ ପାଇଁ ଚାଲିଗଲେ ଅଫେରା ରାଇଜକୁ । ଏପଟେ ପରିବାର ଲୋକେ ଛାତି ଫଟାଇ କାନ୍ଦୁଛନ୍ତି ।
ସୂଚନା ଅନୁଯାୟୀ ଘାଗରାଗଡି ଗ୍ରାମରେ ଜଳସେଚନ ବିଭାଗ ପକ୍ଷରୁ ଚାଲିଥିଲା କେନାଲ କାମ । କେନାଲ କାମରେ ଉକ୍ତ ଗ୍ରାମର ଲାଦ୍ରା ସିଂ ମାପ କରୁଥିବା ବେଳେ ପଥର ବୋଝେଇ କରି ଆସିଥିବା ଏକ ଟ୍ରାକ୍ଟର ପଥର ଅନଲୋଡ଼ କରିବା ପାଇଁ ଆସିଥିଲା । ଏହି ସମୟରେ ଟ୍ରାକ୍ଟର ପଛାଉ ଥିବା ବେଳେ ଲାଦ୍ରାଙ୍କୁ ପ୍ରଥମେ ଟ୍ରାକ୍ଟର ଧକ୍କା ଦେଇଥିଲା ତାପରେ ଲାଦ୍ରାଙ୍କ ଉପରେ ଚଢି ଯାଇଥିଲା ଟ୍ରାକ୍ଟର । ଯାହା ଫଳରେ ଘଟଣାସ୍ଥଳରେ ହିଁ ଲାଦ୍ରାଙ୍କ ମୃତ୍ୟୁ ହୋଇଥିଲା ।
ଅନ୍ୟପଟେ ଏ ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଟ୍ରାକ୍ଟରକୁ ପୋଲିସ ଜବତ କରିଛି । ମୃତ୍ୟୁ, ଏକ ଏମିତି ଶବ୍ଦ ଯାହାର ନାଁ ଯିଏ ଶୁଣେ ସେ କିଛି ସମୟ ପାଇଁ ଡରିଯାଏ । ଏହା ଶୁଣିବାକୁ ଭୟ ତ ଲାଗେ କିନ୍ତୁ ଏହା ନିରାଟ ସତ ।
ଜୀବନ ଅଛି ମାନେ ମୃତ୍ୟୁ ସୁନିଶ୍ଚିତ । ହେଲେ ଏଭଳି ଅକସ୍ମାକ ମୃତ୍ୟୁ ସତରେ ଭାରି କଷ୍ଟଦାୟକ । ପ୍ରତିଦିନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ଯାହା ଥମିବାର ନା ଧରୁନି । ଏ ଦିଗରେ ଆମ ସମସ୍ତଙ୍କୁ ସତର୍କତା ରହିବା ଆବଶ୍ୟକ । ନହେଲେ ଏଭଳି ଭାବେ ବଢିଚାଲିବ ଦୁର୍ଘଟଣା ଆଉ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ଯେଉଁଥିପାଇଁ ଉଛନ୍ନ ହେଇଯାଉଛି ଅନେକ ପରିବାର ।
Also read: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ, ସ୍ତ୍ରୀ ସହ ଝଗଡା ପରେ ଜାଳିଦେଲା ନିଜ ଘର