ସମ୍ବଲପୁର: ଗରିବ ମାଉସୀ ମୁହଁରେ ହସ ଫୁଟାଇଲା ପୋଲିସ । ଚୋରି ହୋଇଥିବା ଟଙ୍କା ଫେରାଇ ଗରିବ ମାଉସୀ ମୁହଁରେ ହସ ଫୁଟାଇଛି ସମ୍ବଲପୁର ସଦର ପୋଲିସ । ଟଙ୍କା ପାଇବା ପରେ ମାଉସୀ ଏତେ ଖୁସି ଥିଲେ ଯେ ପୋଲିସକୁ ଧନ୍ୟବାଦ ନଦେଇ ରହି ପାରିନାହାନ୍ତି । ଆଉ ମାଉସୀଙ୍କ ଧନ୍ୟବାଦ ଦେବାର ତରିକା ଥିଲା ବେଶ ନିଆରା । ପୋଲିସର କାର୍ଯ୍ୟ ଦେଖି ଥାନାରେ ଜିଲାପି ବାଣ୍ଟିଥିଲେ ମାଉସୀ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କ’ଣ?
ସୂଚନା ଅନୁସାରେ ଗତ ୮ ତାରିଖ ଚାଉଁରପୁର ବ୍ରିଜ ନିକଟରୁ ସିନ୍ଦୁରପଙ୍କ ନିବାସୀ ସୁବଳୟା ବାରିକ ନାମକ ୬୦ ବର୍ଷିୟ ବରିଷ୍ଠ ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ହୋଇଥିଲା ଟଙ୍କା ଲୁଟ । ବୃଦ୍ଧା ଜଣଙ୍କ ଚାଉଁରପୁରରୁ ସିନ୍ଦୁରପଙ୍କ ନିକଟସ୍ଥ ପିତାବଳି ମନ୍ଦିରକୁ ପୂଜା କରିବାକୁ ଯାଉଥିଲେ । ଚାଉଁରପୁର ବ୍ରିଜ ଠାରେ ୨ ଜଣ ଅଜଣା ଯୁବକ ଏକ ଆକ୍ଟିଭା ସ୍କୁଟରରେ ଆସି ତାଙ୍କୁ ଲିଫ୍ଟ ଦେବା ପାଇଁ କହିଥିଲେ ।
ମହିଳା ଉକ୍ତ ଯୁବକ ମାନଙ୍କ ସହିତ ଗାଡ଼ିରେ ଯିବା ସମୟରେ ସିନ୍ଦୁରପଙ୍କ ନିକଟସ୍ଥ ପିତାବଲି ମନ୍ଦିର ନିକଟରେ ଅଚାନକ ତାଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇ ସେ ଧରିଥିବା ବ୍ୟାଗକୁ ଛଡ଼ାଇ ଚମ୍ପଟ ମାରିଥିଲେ । ଉକ୍ତ ବ୍ୟାଗରେ ମହିଳାଙ୍କ ୫୦ ହଜାର ଟଙ୍କା, ବ୍ୟାଙ୍କ ପାସବୁକ, ଆଧାର କାର୍ଡ ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ରହିଥିଲା । ଏ ନେଇ ମହିଳା ସଦର ଥାନାରେ ଅଭିଯୋଗ କରିବାରୁ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
ତଦନ୍ତ ସମୟରେ ପୁଲିସ ବୁର୍ଲା ଥାନା ଅନ୍ତର୍ଗତ ସେନାପାଲି ନିବାସୀ ଶିବ ବାଗ ଏବଂ ଧମା ଥାନା ଅନ୍ତର୍ଗତ ଗୌଡ଼ପାଲି ନିବାସୀ ଜ୍ୟୋତିନ୍ଦର ରଣବିଡା ଓରଫ ଚକାଙ୍କୁ ଧରିଥିଲା । ପୁଲିସ ସେମାନଙ୍କ ନିକଟରୁ ଲୁଟ ହୋଇଥିବା ୫୦ ହଜାର ଟଙ୍କା ଜବତ କରିଛି । ୨ ଲୁଟେରାଙ୍କୁ ଗିରଫ କରି ପୋଲିସ ବୁଧବାର ଦିନ ଅଦାଲତକୁ ଚାଲାଣ କରିଛି । ଅପର ପକ୍ଷରେ ଉଦ୍ଧାର ହୋଇଥିବା ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ପୀଡ଼ିତା ମହିଳାଙ୍କୁ ପୋଲିସ ତରଫରୁ ଆଇନ ଅନୁଯାୟୀ ପ୍ରକ୍ରିୟା ପୂରଣ ପରେ ଫେରସ୍ତ କରାଯାଇଥିଲା ।
ତେବେ ନିଜ ଜିନିଷ ତଥା ଟଙ୍କା ପାଇବା ପରେ ଉକ୍ତ ମହିଳା ଜଣକ ସଦର ଥାନା ପହଞ୍ଚି ପୋଲିସର ଏହି କାର୍ଯ୍ୟ ପାଇଁ ଖୁସିରେ ଜିଲାପି ବାଣ୍ଟିଥିଲେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା ଆପଣଙ୍କ ପାଇଁ ହୁଏତ ସାଧାରଣ ହୋଇପାରେ ହେଲେ ପୋଲିସ କହିଛି ଜଣେ ଵୃଦ୍ଧା ମହିଳାଙ୍କ ଏଭଳି ନିଷ୍କପଟ ଆଚରଣ ପୋଲିସର ମନୋବଳକୁ ଆହୁରି ସୁଦୃଢ କରିଛି ।