ନିଆରା ବ୍ୟକ୍ତିତ୍ୱ: ୧୩୪ ଥର ରକ୍ତଦାନ କରି ଚର୍ଚ୍ଚାରେ ପଟ୍ଟାମୁଣ୍ଡାଇର ଅନ୍ନଦା ପ୍ରସାଦ

ପଟ୍ଟାମୁଣ୍ଡାଇ: ସମାଜରେ ବିଭିନ୍ନ ମାନସିକତା ନେଇ ଅନେକ ଲୋକ ବସବାସ କରୁଛନ୍ତି । କିଏ ରାସ୍ତା କଡ଼ରୁ ଗଛ କାଟି ମାଲାମାଲ ହେଉଛନ୍ତି ତ କିଏ ସମାଜସେବୀ ନାଁରେ ଚାରା ବାଣ୍ଟି ବାହା ବାହା ନେଉଛନ୍ତି । କିନ୍ତୁ ଏ ସମାଜରେ ଏମିତି ବି ବ୍ୟକ୍ତିତ୍ୱ ଅଛନ୍ତି ଯିଏ କି ନିଜର ଶ୍ରମ ଦାନ କରି ନିଃସ୍ଵାର୍ଥପର ଭାବେ କରିଚଲିଛନ୍ତି କାମ ।

ନିଜେ ଚାରା ସୃଷ୍ଟି କରି ସେହି ଚାରା ଗୁଡିକୁ ରାସ୍ତା କଡ଼, ନଦୀ ପଠା ଏବଂ କେନାଲ କଡ଼ ଆଦି ବିଭିନ୍ନ ଜାଗାରେ ଲଗାଇ ବଡ଼ ହେବା ଯାଏଁ ଏହାର ନିଜେ ରକ୍ଷଣାବେକ୍ଷଣ କରୁଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ନିଜ ଜୀବନ କାଳ ଭିତରେ ୧୩୪ ଥର ରକ୍ତଦାନ କରି ଚର୍ଚ୍ଚାରେ ଥିବା ଅନ୍ନଦା ଏବେ ନିଜ ସହିତ ତାଙ୍କ ପରିବାର ଲୋକେ ମଧ୍ୟ ଅଙ୍ଗଦାନ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

ଏମିତି ଏକ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଚଉଦକୁଲାଟ ଫାଣ୍ଡି ଅନ୍ତର୍ଗତ ଚନ୍ଦନପୁର ପଂଚାୟତର ଅନ୍ନଦା ପ୍ରସାଦ ମଳିକ । ଅନ୍ନଦା ପ୍ରସାଦ ଦୀର୍ଘ ବର୍ଷରୁ ରକ୍ତଦାନ କରିଆସୁଥିବା ବେଳେ ବୃକ୍ଷରୋପଣ କରି ଅଞ୍ଚଳରେ ପ୍ରଶଂସା ସାଉଁଟିଛନ୍ତି, ଏଥିସହ ଅନ୍ନଦା ପ୍ରସାଦ ଏବଂ ତାଙ୍କ ସ୍ତ୍ରୀ ଓ ଝିଅ ତିନି ଜଣ ଇଚ୍ଛାକୃତ ଭାବେ ଅଙ୍ଗଦାନ କରିବା ପାଇଁ ସରକାରଙ୍କ ନିକଟରେ ଅନୁବନ୍ଧିତ କରିଛନ୍ତି । ଅନ୍ନଦାଙ୍କ ପୁଅ ମଧ୍ୟ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଇ ୧୮ଥର ରକ୍ତଦାନ କରିସାରିଲେଣି ।

ଅନ୍ନଦା ପ୍ରସାଦଙ୍କ  ନଡ଼ା ଛପର ଘର । ଘର ଉପରେ ପଡି ରହିଛି କଳା ରଙ୍ଗର ପଲିଥିନ ପାଲ । ଅଭାବି ସଂସାର ଭିତରେ ଏବେ ବି ନିଜ ଘରବାଡ଼ିରେ ଶତାଧିକ ଚାରା ପ୍ରସ୍ତୁତ କରିଛନ୍ତି ଅନ୍ନଦା ପ୍ରସାଦ । ଅଭାବି ସଂସାର ଭିତରେ ତାଙ୍କ ସମାଜ ମଙ୍ଗଳ କାର୍ଯ୍ୟ ପାଇଁ ତାଙ୍କ ସ୍ତ୍ରୀ ପୁଅ, ଝିଅ ସଭିଏଁ ଗର୍ବ ଅନୁଭବ କରୁଛନ୍ତି ।

ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗ ଓ ଏନଜିଓ ମାଧ୍ୟମରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ବୃକ୍ଷ ରୋପଣ ଲାଗି କରାଯାଉଛି ସତ କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଗଛ ଗୁଡିକ ନଷ୍ଟ ହେଇଯାଉଥିବା ନଜିର ରହିଛି । କିଛି ସ୍ଥାନରେ ବୃକ୍ଷରୋପଣ ନ କରାଇ ଲକ୍ଷଲକ୍ଷ ଟଙ୍କା ବିଲ କରାଯାଉଥିବାର ଶୁଣିବାକୁ ମିଳୁଛି । ହେଲେ ବିନା ପାରିଶ୍ରମିକ ଓ ନିଃସ୍ଵାର୍ଥପର ଭାବେ ଚାରା ସୃଷ୍ଟି କରି ବିଭିନ୍ନ ଯାଗାରେ ବୃକ୍ଷ ରୋପଣ କରି ସମାଜ ପ୍ରତି ନିଜ ଦାୟିତ୍ୱ ବୋଧ ପ୍ରତିପାଦନ କରିପାରିଛନ୍ତି ଅନନ୍ଦା ।

ଅନ୍ୟପଟେ ସରକାରୀ ସୁବିଧା ରୁ ବଞ୍ଚିତ ଏହି ପରିବାର ଜିଲ୍ଲପାଳଙ୍କ ପାଖକୁ ଧାଇଁ ଧାଇଁ ଶେଷରେ ନିରାଶ ହୋଇ ନିଜ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ଏହି ଭଙ୍ଗା କୁଡ଼ିଆରେ । ତଥାପି ମନରେ ଦୁଃଖ ନରଖି ନିଜ ଲକ୍ଷ ସାଧନରେ ଲାଗି ପଡିଛନ୍ତି ଅନ୍ନଦା । ଶେଷ ଇଛା କେବଳ ମୃତ୍ୟୁ ପୂର୍ବରୁ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିବା ।

ଏନେଇ ଆମେ ସ୍ଥାନୀୟ ତହସିଲଦାରଙ୍କ ସହ କଥା ହୋଇଥିଲୁ ସେ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେବା ସହ ଅନନ୍ଦା ଙ୍କ ଶେଷ ଇଛା ପୂରଣ କରିବା ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ଆଜିକାଲି ସମାଜରେ ପ୍ରାୟତଃ ସଭିଏଁ ନିଜ ପରିବାର ଓ ଜୀବିକା ପାଇଁ ହିଁ ଚିନ୍ତା କରୁଥିବାବେଳେ, ଏମିତି କିଛି ହାତଗଣତି ଲୋକ ହିଁ ଅଛନ୍ତି ଯେଉଁମାନେ ସମାଜ ପାଇଁ ଚିନ୍ତା କରନ୍ତି ।

 

You might also like