ଆଉ ଶୁଭୁନି କେନ୍ଦରା ସ୍ୱର, ଆଧୁନିକ ଯୁଗରେ ହଜିବାକୁ ବସିଲାଣି ପୁରାତନ ବାଦ୍ୟଯନ୍ତ୍ର

ଉଦଳା: ଆହା କେଡେ ସୁନ୍ଦର ସ୍ୱର । ଶୁଣିଲେ ମନ ବିମୋହିତ ହୋଇଯାଉଛି । କିନ୍ତୁ ଆପଣ ଏ ବାଦ୍ୟକୁ ଜାଣନ୍ତି କି ? ହୁଏତ କିଛି ପୁରୁଣା ଲୋକ ଏହାକୁ ଚିହ୍ନିପାରିବେ । ଆଜିକାଲିର ଯୁବପିଢ଼ି ତ ଆଦୌ ଜାଣି ବି ନଥିବେ ଏହା କ’ଣ? ତେବେ ଏହା ହେଉଛି କେନ୍ଦରା । ଭାରତୀୟ ସଂସ୍କୃତିର ପ୍ରଥମ ବାଦ୍ୟଯନ୍ତ୍ର ଭାବେ ପରିଗଣିତ ହୁଏ କେନ୍ଦରା । ପୁରାତନ ଯୁଗରେ ଯୋଗୀଙ୍କ କେନ୍ଦରାର ସ୍ୱର ଗାଁ ଗଣ୍ଡାରେ ଲୋକଙ୍କୁ ବିମୋହିତ କରୁଥିଲା । କିନ୍ତୁ ଆଜିର ଆଧୁନିକ ଯୁଗରେ ହଜିବାକୁ ବସିଲାଣି କେନ୍ଦରା । ଆଉ ଶୁଭୁନି କେନ୍ଦରା ସ୍ବର ।
ପୂର୍ବରୁ ଭାରତୀୟ ସଂସ୍କୃତିର ପ୍ରମୁଖ ବାଦ୍ୟଯନ୍ତ୍ର ମଧ୍ୟରୁ ଗୋଟିଏ ଥିଲା କେନ୍ଦରା । ଯାହା ଆସ୍ତେ ଆସ୍ତେ ଏବେ ଲୋପ ପାଇବାକୁ ବସିଲାଣି । ଲାଉ ତମ୍ବାରେ ତିଆରି କେନ୍ଦରାର ସ୍ୱର ସତେ ଯେମିତି ପୂର୍ବରୁ ଲୋକମାନଙ୍କୁ ବାନ୍ଧି ରଖୁଥିଲା । ଗାଁ ଗଣ୍ଡାରେ ଯୋଗୀମାନେ କେନ୍ଦରା ବଜାଇ ଲୋକମାନଙ୍କର ମନ ଜିଣୁଥିଲେ । ଏପରିକି କେନ୍ଦରା ବଜାଇ ଭିକ୍ଷା ବୃତ୍ତି କରିବା ସହ ନିଜର ଗୁଜୁରାଣ ମେଣ୍ଟାଉଥିଲେ ଯୋଗୀମାନେ । କିନ୍ତୁ ଆଉ ଦେଖିବାକୁ ମିଳୁନାହିଁ ଯୋଗୀଙ୍କର ସୁମଧୁର କେନ୍ଦରାର ସ୍ୱର ।
ଆଜିକାଲି ଲୋକେ ଆଧୁନିକ ବାଦ୍ୟଯନ୍ତ୍ର ଗ୍ରହଣ କରୁଥିବା ବେଳେ ପୁରାତନ ବାଦ୍ୟଯନ୍ତ୍ରକୁ ମନରୁ ଦୂରେଇ ଦେଉଛନ୍ତି । କିନ୍ତୁ ଆଜି ବି ନିଜ କୌଳିକ ବୃତ୍ତି ଚାଡ଼ିନାହାନ୍ତି ଏ ଯୋଗୀ ଜଣକ । ଏ ହେଉଛନ୍ତି ଲକ୍ଷ୍ମଣ ନାଥ । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ବାସିନ୍ଦା । ଲକ୍ଷ୍ମଣ ନାଥ ଜଣେ ଯୋଗୀ ସମ୍ପ୍ରଦାୟର ଲୋକ । ମାତ୍ର ୧୪ ବର୍ଷ ବୟସରୁ ସେ ତାଙ୍କ ବାପାଙ୍କ ସହ ବିଭିନ୍ନ ସ୍ଥାନକୁ ଯାଇ କେନ୍ଦରା ବଜାଇ ଭିକ୍ଷା ବୃତ୍ତି କରୁଥିଲେ । ତେବେ ସେ ଦିନର କେନ୍ଦରାକୁ ଲୋକମାନେ ଯେତିକି ଗ୍ରହଣ କରୁଥିଲେ ଆଜିର ଯୁଗରେ ଆଉ ସେତେଟା ପସନ୍ଦ କରୁନଥିବା କହିଛନ୍ତି ଯୋଗୀ ଲକ୍ଷ୍ମଣ ନାଥ ।
ଆଗକାଳରେ ଯେତେବେଳେ ଗାଁରେ ଯୋଗୀମାନଙ୍କର କେନ୍ଦରାର ସ୍ୱର ଶୁଭୁଥିଲା ସେତେବେଳେ ସମସ୍ତେ ଆଗ୍ରହର ସହ ଧାଇଁଯାଆନ୍ତି ଏହି ମଧୁର ସ୍ୱର ଶୁଣିବା ପାଇଁ । କିନ୍ତୁ ଆଜି କେନ୍ଦରାର ସ୍ୱର ଶୁଣିବା ପାଇଁ ନା ଲୋକମାନଙ୍କ ପାଖରେ ଆଗ୍ରହ ଅଛି ନା ଭିଡ଼ ଜମୁଛି । ଆସ୍ତେ ଆସ୍ତେ ପୁରାତନ ଜିନିଷକୁ ଭୁଲି ଆଧୁନିକତା ଆଡ଼କୁ ଗତି କଲେଣି ଲୋକେ । ଯେଉଁଥିପାଇଁ ଆଜି ହଜିଗଲାଣି ଯୋଗୀଙ୍କ ସେ କେନ୍ଦରା ସ୍ୱର । ଯେଉଁଥିପାଇଁ ଆଜି ଏଭଳି ପାରମ୍ପରିକ ବାଦ୍ୟ ଓ ଏହାର କଳାକାର ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି ।
Also read: ଆଜିର ଆଧୁନିକ ଯୁଗରେ ହଜିଗଲାଣି ଗ୍ରିଟିଂସ୍ କାର୍ଡ, ଲୋକେ ଆପଣେଇ ନେଲେଣି ସୋସିଆଲ ମିଡ଼ିଆ