ଶ୍ବଶୁର ଘର ଜିନ୍ଦାବାଦ, ଭାବି ଜ୍ୱାଇଁଙ୍କୁ ଶ୍ବଶୁର ଘରେ ୩୬୫ ପ୍ରକାର ବ୍ୟଞ୍ଜନ ସହ କରାଗଲା ସ୍ୱାଗତ

ଜ୍ୱାଇଁଙ୍କୁ ଶ୍ବଶୁର ଘରେ ରାଜକୀୟ ଚର୍ଚ୍ଚା। ଏମିତି ଚର୍ଚ୍ଚା ହୋଇଛି ଯେ ଯିଏ ଦେଖିବେ ସେ କହିବେ ଯାହା କୁହ ପଛେ ଶ୍ୱଶୁର ଘର ଚର୍ଚ୍ଚା ଆଉ କୋଉଠି ମିଳିବନି। ଆଜ୍ଞା ହଁ ଜ୍ୱାଇଁଙ୍କୁ ଡକାଇ ଶ୍ୱଶୁର ଘର କଲେ ଭବ୍ୟ ଭୋଜିର ଆୟୋଜନ। ଆଜ୍ଞା ଆପଣ ଜାଣିଛନ୍ତି ବର୍ଷକୁ ୩୬୫ ଦିନ। କିନ୍ତୁ ଏହି ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ଖାଇବାକୁ ଦିଆଯାଇଛି ୩୬୫ ପ୍ରକାର ଆଇଟମ।

ସଂକ୍ରାନ୍ତି ହେଉଛି ଆନ୍ଧ୍ର ପ୍ରଦେଶର ଏକ ବହୁତ ବଡ଼ ପର୍ବ। ଏଠାକାର ଲୋକମାନେ ଭୋଗୀ-ସଂକ୍ରାନ୍ତି-କନୁମା ପାଳନ କରିବା ପାଇଁ ନିଜ ପରିବାରକୁ ନେଇ ନିଜ ଜନ୍ମ ମାଟିକୁ ଆସନ୍ତି। କିନ୍ତୁ ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀର ଏକ ପରିବାର ଏହି ପର୍ବକୁ ଏକ ସ୍ୱତନ୍ତ୍ର ଭାବରେ ପାଳନ କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ପରିବାର ନିଜ ଭାବି ଜ୍ୱାଇଁ ପାଇଁ ଏକ ଭବ୍ୟ ଭୋଜିର ବ୍ୟବସ୍ଥା କରିଛନ୍ତି ଯାହାର ଆଇଟମ ନାଁ ଶୁଣିଲେ ଆପଣ ଗଣି ଚାଳୁଥିବେ କିନ୍ତୁ ନମ୍ବର ସରୁନଥିବା। ଏହି ମେନ୍ୟୁରେ ଏତେ ଆଇଟମ ସାମିଲ ରହିଛି ଯେ ଯିଏ ଶୁଣୁଛି ସେ ଆଶ୍ଚର୍ଯ୍ୟ ହେଉଛନ୍ତି। ପରିବାର ନିଜ ଭାବି ଜ୍ୱାଇଁଙ୍କୁ ରାଜକୀୟ ଠାଣିରେ ଭୋଜି ଖୁଆଇଛନ୍ତି। ଯେଉଁଥିରେ ୩୬୫ ପ୍ରକାର ଆଇଟମ ସାମିଲ ରହିଛି।

365 dishesତେଲୁଗୁ ପରମ୍ପରାରେ ଜ୍ୱାଇଁଙ୍କୁ ବାର୍ଷିକ ଫସଲ ଉତ୍ସବରେ ନିମନ୍ତ୍ରଣ କରିବା ପ୍ରଥା ରହିଛି। ଏହି ପରିବାର ୩୬୫ ବ୍ୟଞ୍ଜନ ପ୍ରସ୍ତୁତ କରି ନିଜ ଭାବି ଜ୍ୱାଇଁଙ୍କ ପାଇଁ ନିଜର ସ୍ନେହ ଦେଖାଇଛନ୍ତି। ଏହି ଭୋଜନରେ ୩୦ ବିଭିନ୍ନ ପ୍ରକାର ତରକାରୀ, ରାଇସ, ବିରିୟାନି, ପୁରି, ୧୦୦ ପ୍ରକାର ବିଭିନ୍ନ ପାରମ୍ପରିକ ଏବଂ ମଡର୍ଣ୍ଣ ମିଠା , ୧୫ ପ୍ରକାର ଆଇସକ୍ରିମ, ପେଷ୍ଟ୍ରି, କେକ, ଗରମ ଏବଂ ଥଣ୍ଡା ପାନୀୟ ଏବଂ ଫଳ ସାମିଲ ରହିଥିଲା।

ଆନ୍ଧ୍ରପ୍ରଦେଶ କୃଷ୍ଣ ଜିଲ୍ଲାର ନିବାସୀ ଟି ସୁବ୍ରମନ୍ୟମ ଏବଂ ଅନ୍ନପୂର୍ଣ୍ଣା ନିଜର ପୁଅ ସାଇକୃଷ୍ଣଙ୍କ ବିବାହ ସୁନା ବ୍ୟବସାୟୀ ଅତ୍ୟମ ଭେଙ୍କଟଶ୍ୱର ରାଓ ଏବଂ ମଧବୀଙ୍କ ଝିଅ କୁନ୍ଦଭି ସହିତ ଠିକ ହୋଇଛି। ତେବେ ସଂକ୍ରାନ୍ତି ପର୍ବ ପାଳନ କରିବା ଉପଲକ୍ଷେ ନିଜର ଭାବି ଜ୍ୱାଇଁଙ୍କୁ ଭବ୍ୟ ସ୍ୱାଗତ କରିବାକୁ ନିଷ୍ପତ୍ତି କରିଥିଲେ। ଆଉ ଏମିତି ଜ୍ୱାଇଁ ଚର୍ଚ୍ଚା କଲେ ଯେ ଏବେ ଚାରିଆଡେ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଛି।