ସୀମା ଲଙ୍ଘିଲା ବର୍ବରତା, ପିଟି ପିଟି ନେଇଗଲେ ଯୁବକଙ୍କ ଜୀବନ

ଯାଯପୁର: ସାହି ଭାଇ ସମସ୍ତଙ୍କ ଆଖିରେ ଲୁହ । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଘର ଦୁଆର । କେତେ ଗେଲ ବସରରେ ପୁଅକୁ ବଡ଼ କରି ବିଟେକ୍ ରେ ନାଁ ଲେଖାଇ ଥିଲେ ବାପା ମା’ । ପୁଅର ପାଠ ପଢ଼ା ସରିଲେ ବାପା ମା’ଙ୍କ ଦୁଃଖ ସରିବ ଭାବି ଥିଲେ । ଗରିବ ଗୁରୁବା ଲୋକ ଏମାନେ । ମୂଲ ଲାଗିଲେ ପରିବାର ଚଳେ । ପୁଅର ପାଠ ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ବାପ ସୁଦୂର ଗୁଜରାଟକୁ ଯାଇ କାମ କରୁଥିଲେ । ପୁଅ ବି ପାଠ ପଢ଼ିବା ସହ ଦି ପଇସା ରୋଜଗାର କରିବା ପାଇଁ ଗାଁ ନିକଟ ଏକ କ୍ରସରରେ କାମ କରୁଥିଲା । କିନ୍ତୁ ଏଇ କାମ ନିଶା ଯେ ପୁଅର ଜୀବନ ନେଇଯିବ କେହି କେବେ ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ । ଭେଣ୍ଡିଆ ପୁଅର ଜୀବନ ନେଇଗଲେ କିଛି ଅସାମାଜିକ ଲୋକ ।
ମଣିଷ ଏମିତି ବର୍ବର କାଣ୍ଡ କରି ପାରେ ସେକଥା କଳ୍ପନା ବି କରି ହେବନି । ପିଟି ପିଟି ପିଲାଟିକୁ ମାରି ଦେଲେ । ଏବେ ପୁଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ । କ୍ରସରରେ କାମ କରୁଥିବା ଯୁବକଙ୍କୁ ଅମାନୁଷିକ ଭାବେ ହତ୍ୟା କରାଯାଇଛି । ଯାଜପୁର ଜିଲ୍ଲା ଜେନାପୁର ଥାନା ଅଞ୍ଚଳରେ ଥିବା ଏକ କ୍ରସରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆକ୍ରମଣ ପରେ ସେ ଗୁରୁତର ଆହତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ଯାରକା ଜାମୁବଣିଆ ଅଞ୍ଚଳର ଅଜୟ ଜେନାଙ୍କ ପୁଅ ଅରଜିତ ଜେନା ।
ସୂଚନା ମୁତାବକ, ମୃତ ବିଟେକ ଛାତ୍ର ଅରିଜିତ ଧର୍ମଶାଳାର ଏକ କ୍ରସରରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ । ତେବେ ଗତ ୨୭ ତାରିଖରେ କୌଣସି କାରଣକୁ ନେଇ କ୍ରସର ମାଲିକ ସିଲୁ ମହାପାତ୍ର ଓ ତାଙ୍କର କର୍ମଚାରୀ ତାଙ୍କୁ ପ୍ରବଳ ମାଡ ମାରିଥିବା ଅଭିଯୋଗ କରିଛନ୍ତି ପରିବାର । ଏପରିକି ଘଟଣା ସମ୍ପର୍କରେ କାହାକୁ କିଛି ଜଣାଇଲେ କୁଆଡ଼େ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆକ୍ରମଣ ପରେ ଆହତ ଅରିଜିତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଧର୍ମଶାଳା ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ ଘର ଲୋକ । ଚିକିତ୍ସାଧୀନ ଅବସ୍ଥାରେ ଅରିଜିତଙ୍କର ମୃତ୍ୟୁ ଘଟିଛି । ମୃତ ଅରିଜିତଙ୍କ ବାପା ଅଜୟ ବାହାରେ ରହୁଥିବାରୁ ମୃତ୍ୟୁ ଖବର ପାଇ ଗାଁରେ ପହଞ୍ଚି ଥିଲେ । ପରେ ପୁଅକୁ ହତ୍ୟା କରାଯାଇଥିବା ନେଇ ଧର୍ମଶାଳା ଥାନାରେ ଅଭିଯୋଗ କରିଛନ୍ତି । ପରିବାର ଲୋକେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ପାଇଁ ଦାବି କରିଛନ୍ତି ।
ପାଠ ପଢୁଆ ପିଲାଟା । କାମ କରି ଦି ପଇସା ରୋଜଗାର କରିବା ସହ ଉଚ୍ଚଶିକ୍ଷା କରୁଥିଲା । ହେଲେ ଅକାଳରେ ତାର ଜୀବନ ନେଇଗଲେ । ଏଭଳି ବର୍ବର ଓ ଅମାନୁଷିକ କାଣ୍ଡର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ବିଭିନ୍ନ ମହଲରୁ ଦାବି ଉଠିଛି ।
କାମ ବେଳେ କୌଣସି କଥାକୁ ନେଇ ଝଗଡ଼ା ଯୋଗୁଁ ମାରପିଟ୍ ହେଲା କି ? ଅରିଜିତ କ୍ରସରରେ ହେଉଥିବା କିଛି ବେଆଇନ୍ କାମକୁ ବିରୋଧ କଲେ କି ? ନା ଏହା ପଛରେ ଅନ୍ୟ କିଛି ବଡ଼ କାରଣ ଅଛି ? ଏମିତି କଣ ଭୁଲଥିଲା ଯେ ତାଙ୍କ ଜୀବନ ନେଇଗଲେ ? ଏସବୁ କଥା ତଦନ୍ତ ପରେ ହିଁ ଜଣାପଡ଼ିବ । କିନ୍ତୁ ତାଭିତରେ ଗୋଟିଏ ପରିବାର ଉଚ୍ଛନ୍ନ ହୋଇ ଯାଇଛି । ପୋଲିସ ଘଟଣାର ତଦନ୍ତ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ନେଉ ଏନେଇ ପରିବାର ଓ ଗାଁ ଲୋକଙ୍କ ଦାବି ।
Also Read:ପିଶାଚ ସ୍ୱାମୀର ବର୍ବର କାଣ୍ଡ, ସମସ୍ତଙ୍କ ଆଗରେ ସ୍ତ୍ରୀର ବେକ କାଟିଲା ନିର୍ଦୟ ସ୍ୱାମୀ