ସରକାରଙ୍କ ଯୋଜନାରୁ ବଞ୍ଚିତ ହୋଇଛି ଅର୍ଜନି ଗାଁ, ରହିଛି ଅନେକ ସମସ୍ୟା

ସରକାର ଗ୍ରାମାଞ୍ଚଳର ଉନ୍ନତି ପାଇଁ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି । ଗାଁ ମାନଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ତିଆରି ହେଉଛି । ହେଲେ କିଛି ଅଧିକାରୀଙ୍କ ଅବହେଳା ଯୋଗୁ ସରକାରଙ୍କ ଯୋଜନାରୁ ବଞ୍ଚିତ ରହୁଛନ୍ତି ଗାଁ ଲୋକ । ତୁରେକେଲା ବ୍ଲକ ବଡବାଙ୍କି ପଞ୍ଚାୟତ ଅର୍ଜନି ଗାଁ । ଗାଁରେ ରହିଛି ଅନେକ ସମସ୍ୟା । ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ ପାଣି ଏ ସବୁ ମୌଳିକ ସୁବିଧାରୁ ବଞ୍ଚିତ ଏହି ଗାଁ ।

ଅର୍ଜନି ଗାଁରେ ପ୍ରାୟ ୨୮ ଘର ଆଦିବାସି ସମ୍ପ୍ରଦାୟ ଲୋକ ବସବାସ କରନ୍ତି । ଏହି ପରିବାର ସରକାରୀ ସୁବିଧା କଣ ତାହା ଠିକରେ ଜାଣି ନାହାନ୍ତି । ଗାଁକୁ ଯିବାକୁ କୌଣସି ପକ୍କା ରାସ୍ତାଟିଏ ମଧ୍ୟ ନାହିଁ ଖାଲ ଢିପ ନାଳ ପାର ହୋଇ ୫ କିମି ଗଲେ ପକ୍କା ରାସ୍ତା ମିଳେ ।  ବିଶୁଦ୍ଧ ପାଣି ସାତ ସପନ, ବାଲି ଚୁଆ ପାଣି ସାହା ଭରଷା । ଗାଁରେ ଦୁଇଟି ନଳକୂପ ଅଛି । ହେଲେ ପ୍ରାୟ ୧ ବର୍ଷ ହେବ ନଳକୂପରୁ ଲୁହା ଗୁଣ୍ଡ ମିଶା ପାଣି ବାହାରୁଛି । ସକାଳ ହେଲେ ଗାଁ ଲୋକଙ୍କୁ ପାଣି ଚିନ୍ତା ଘାରିଥାଏ । ଗାଁର ମହିଳାମାନେ ହାତରେ ବାଲଟି ଗରା ଧରି ପାଖରେ ଥିବା ନଦୀକୁ ଯାଇଥାନ୍ତି । ଗାଁରେ କୌଣସି ସ୍କୁଲ ନାହିଁ । ପ୍ରଥମ ଶ୍ରେଣୀରେ କୁନିକୁନି ଶିଶୁମାନେ ୫ କିମି ପାହାଡ଼ ତଳକୁ ନଦୀ ପାର ହୋଇ ଯାଇଥାନ୍ତି ପାଠ ପଢ଼ିବା ପାଇଁ । ବର୍ଷା ଦିନରେ ରାସ୍ତା ଠିକ ନଥିବା ଯୋଗୁ ଶିଶୁମାନେ ସ୍କୁଲ ଯାଆନ୍ତି ନାହିଁ । ଅଙ୍ଗନବାଡ଼ି ସେଣ୍ଟର ନଥିବା ଯୋଗୁ ଗର୍ଭବତୀ ମହିଳା ଏବଂ ଶିଶୁମାନେ ସରକାରୀ ଯୋଜନାରୁ ବାଦ ପଡୁଛନ୍ତି । ଗର୍ଭବତୀ ମହିଳାମାନେ ଯାହା ସବୁ ସୁବିଧା ପାଇବା କଥା ତାହା ପାଇ ପାରୁ ନାହାନ୍ତି ।

ଜଙ୍ଗଲ ଘେରା ଗାଁରେ ବସବାସ କରୁଥିବା ଏହି  ଲୋକ ମହୁଲ କେନ୍ଦୁ ପତ୍ର ସହ ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ତାହା ବିକ୍ରି କରି ନିଜ ପରିବାର ଚଳାଉଛନ୍ତି । କେବେ କେମିତି କାମ ମିଳିଲେ ଦିନ ମଜୁରିଆ ଭାବେ କାମ କରନ୍ତି ନହେଲେ ହାତ ବାନ୍ଧି ଘରେ ବସିବାକୁ ବାଧ୍ୟ ହୁଅନ୍ତି । ଜଙ୍ଗଲ ଘେରା ଗାଁରେ ଲୋକ ବାସବାସ କରୁଥିବା ବେଳେ ସବୁ ସମୟରେ ଜଙ୍ଗଲୀ ହାତୀ ଏବଂ ଅନ୍ୟ ପଶୁ ପାଇଁ ଭୟଭୀତ ରହିଥାନ୍ତି । ଯଦି ଗାଁ ଲୋକ କିଛି ଚାଷ କରିବା ପାଇଁ ଚେଷ୍ଟା କରନ୍ତି ତାକୁ ହାତୀ ନଷ୍ଟ କରିଦିଏ । ଯାହା ଫଳରେ ଚାଷ କରିବାକୁ ମଧ୍ୟ ପସନ୍ଦ କରୁନାହାନ୍ତି ଗାଁ ଲୋକ । ୨୮ ପରିବାରରୁ ମାତ୍ର ୪ ପରିବାର ପାଇଛନ୍ତି ଆବାସ ଘର  । ଏଥର ଆଉ ୪ ପରିବାର ଏହି ଯୋଜନାରେ ସାମିଲ ହେବେ । ଗରିବମାନଙ୍କ ପାଇଁ ଆବାସ ଯୋଜନା କରାଯାଉଥିବା ବେଳେ ଏହି ଗରିବ ଲୋକମାନେ ଆବାସ ଘରରୁ ବଞ୍ଚିତ ରହୁଛନ୍ତି ।

ଗାଁରେ ରହିଛି ଅନେକ ସମସ୍ୟା ଏହି ସବୁ ସମସ୍ୟାର ସମାଧାନ କେବେ ହେଉଛି ଓ ଅର୍ଜନି ଗ୍ରାମବାସୀ କେବେ ନିଜର ମୌଳିକ ସୁବିଧା ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।