ଦୀର୍ଘ ୫୦ ବର୍ଷ ଧରି ରାଜଧାନୀରେ ଚା’ ବିକ୍ରି କରି ପରିବାର ପୋଷୁଛନ୍ତି ଅର୍ଜୁନ

ଭୁବନେଶ୍ୱର : ଅପରାହ୍ନ ସମୟରେ ଅପରାହ୍ନ ବୟସରେ ଜଣେ ବ୍ୟକ୍ତି ଗୋଟିଏ ହାତରେ ଥରମୋଫ୍ଲାସ୍କଟିଏ ଆଉ ଅନ୍ୟ ହାତରେ କାଗଜ କପ କିଛି ଧରି ଦୋକାନ ଦୋକାନ ବୁଲି ବୁଲି ପଚାରୁଥାନ୍ତି ବାବୁ ଚା’ ନବ ଚା’ । ହସ ହସ ମୁହଁ ସାଙ୍ଗକୁ ପତଳା ଡେଙ୍ଗା ମଣିଷଟିଏ । ମୁଣ୍ଡରେ ଧଳା କେଶ ସହିତ କିଛି ଦାନ୍ତ ମଧ୍ୟ ବୟସରେ ପ୍ରଭାବରେ ଖସି ପଡିଛି l ଅଳ୍ପ ପାକୁଆ ପାଟି କଥା ଗୁଡିକ ବାହାରକୁ ବାହାରି ଆସୁଥାଏ । ଦେହରେ ପୁରୁଣା ସମୟର ପ୍ୟାଣ୍ଟ ସାର୍ଟ ଆଉ ସେହି ସାର୍ଟ ପକେଟ ଭିତରେ କେତେ ଗୁଡିଏ ଚା’ ପିଆ କାଗଜ କପ ଗୁଡିକ ଉପରକୁ ମୁଣ୍ଡ ଟେକି ଚାହିଁ ଥାଆନ୍ତି । ହେଲେ ସେହି ସାର୍ଟ ତଳେ ଥିବା ଚିରା ଫଟା ଗଞ୍ଜି ବଖାଣୁ ଥିଲା ଜୀବନର ପ୍ରତ୍ୟେକ କାହାଣୀ ।

ବ୍ୟକ୍ତିଙ୍କ ମୁହଁରେ ହସ ଖଣ୍ଡିକ ସେମିତି ଲାଖି କି ରହିଥାଏ । ଯାହା ଗ୍ରାହକଙ୍କ ମନ ଜିଣିବା ପାଇଁ ଯଥେଷ୍ଟ ଲାଗୁଥିଲା ଯଦିବା କିନ୍ତୁ ଏମିତି ଦୃଶ୍ୟପଟ ହେଉଥିଲା କି, ସେହି ହସ ହସ ମୁଖ ମଣ୍ଡଳ ତଳେ ସତେ ଯେମିତି ଚାପି ହୋଇ ରହିଛି ଅନେକ ବୁକୁଫଟା ବେଦନା, ଅକୁହା ବ୍ୟଥାର ଯନ୍ତ୍ରଣା । ତେବେ ଆସନ୍ତୁ ଜାଣିବା ଏହି ବୟ ବୃଦ୍ଧଙ୍କ ସନ୍ତୁଳିତ ହୋଇଥିବା ଜୀବନର କାହାଣୀ । ବ୍ୟକ୍ତି ଜଣଙ୍କ ନାମ ଅର୍ଜୁନ ସାହୁ । ପୁରୀ ଜିଲ୍ଲା କାକଟପୁର ରାଇସୁଅଁ ଗାଁରେ ।

ଛୁଆଟି ବେଳେ ପ୍ରଥମେ ମା’ ଆରପାରିକୁ ଚାଲିଗଲେ । ତାପରେ ବଞ୍ଚିବା ପାଇଁ ଆରମ୍ଭ ହୋଇଥିଲା ସଂଘର୍ଷ ଯେ ଆଜି ଯାଏ ଥମିବାର ନା ନଉନି । ମା’ ଗଲା ପରେ ୧୧ ବର୍ଷ ବୟସରେ ଘର ଛାଡି ପୁରୀ ପଳାଇଥିଲେ । ସେଠାରେ ଏକ ଅବଢ଼ା ଦୋକନରେ କାମ କରି ଯାହା ଦି’ପଇସା ପାଉଥିଲେ । ଏପରି କିଛି ଦିନ କଟିବା ପରେ ଖବର ଆସିଲା ବାପାଙ୍କ ଦେହ ଅସୁସ୍ଥ । ଖବର ଶୁଣି ଅର୍ଜୁନ ପୁଣି ଗାଁ ମୁହାଁ ହୋଇଥିଲେ । କିଛି ଦିନ ରହଣିରେ ବାପାଙ୍କର ଦେହାନ୍ତ ହୋଇଗଲା । ବାପା ମା’ ଉଭୟଙ୍କୁ ହରାଇବା ପରେ ଭାଙ୍ଗି ପଡିଥିଲେ ଅର୍ଜୁନ । ଶେଷରେ ଆସି ପହଁଚିଥିଲେ ରାଜଧାନୀରେ । ସେବେଠାରୁ ଆଜି ପର୍ଯ୍ୟନ୍ତ ଏଇ ସହରରେ ନିଜର ଭାଗ୍ୟ ପରୀକ୍ଷା କରି ଚାଲିଛନ୍ତି । ସଂଘର୍ଷ ଜାରି ରଖିଛନ୍ତି ।

ପ୍ରଥମେ ପର ପାଖରେ କାମ କରି ନିଜ ଗୁଜୁରାଣ ମେଣ୍ଟାଉ ଥିଲେ । ଧୀରେ ଧୀରେ ବଡ଼ ହେଲେ ଆଉ ଅଧିକ ରୋଜଗାର ପାଇଁ ଗୋଟିଏ ଲୋକ ଛାଡି ଆଉ ଜଣଙ୍କ ନିକଟରେ ମୁଣ୍ଡ ଗୁଞ୍ଜିଲେ । ପୁଣି ନିଜର ଜଣେ ସମ୍ପର୍କୀୟଙ୍କ ନିକଟରେ ରହି ଚା’ ବିକ୍ରି କରିବା ଶିଖିଲେ । ତାପରେ ସ୍ୱଳ୍ପ ରୋଜଗାରରେ ହାତକୁ ଦୁଇ ହାତ ହେଲେ । କେତେ ଯେ କଷ୍ଟ ସହିଛନ୍ତି ସେ ତାଙ୍କ ଜୀବନରେ । ତଥାପି ସେହି ଚା’ ବିକା ବୃତ୍ତି କୁ ଛାଡ଼ି ନାହାନ୍ତି । ୬୬ବର୍ଷ ବୟସରେ ଆଜିବି ବଞ୍ଚିବାକୁ ପରିଶ୍ରମ କରୁଛନ୍ତି । ଏଇ ଚା’ ବିକି ପୁଅ ଝିଅଙ୍କୁ ପାଠ ପଢାଇ ନିଜ ଗୋଡରେ ଛିଡା କରାଇଛନ୍ତି । ଝିଅକୁ ବାହା ଦେଇ ସାରିଥିବା ବେଳେ ପୁଅ ଏକ କମ୍ପାନୀରେ ଚାକିରି କରୁଛି । ହେଲେ ଦୁଃଖର କଥା ପୁଅ ଏବେ ବାପାର ପରିଚୟ କହିବାକୁ ଲାଜ କରୁଛି । ସାଙ୍ଗ ମାନଙ୍କୁ ବାପା ଜଣେ ଚା’ବାଲା କହିବାକୁ ତାକୁ କଣ୍ଠାବୋଧ ହେଉଛି ।

କଥାରେ ଅଛି କୌଣସି କାମ ଛୋଟ ନୁହେଁ । କାମ ଠାରୁ ବଡ ଆଉ କିଛି ହୋଇନଥାଏ । ଯାହାର ବଡ ଉଦାହରଣ ଅର୍ଜୁନ । ରାଜଧାନୀରେ ବୁଲି ବୁଲି ଚା’ ବିକି ସେ ଆଜି ନିଜ ପରିବାର ଚଳାଇବା ସହ ପିଲା ଛୁଆଙ୍କୁ ମଣିଷ କରିଛନ୍ତି । ଆଉ କହୁଛନ୍ତି ଦୀର୍ଘ ଚାଳିଶି ବର୍ଷ ହେଲା ମୁଁ ଯାହା ସହିଛି, ମୋ ଭଳି ଦୁଃଖ କାହାକୁ ନମିଳୁ ।