ଲୁହରେ ଭିଜିଲା ସହିଦ ଯବାନଙ୍କ ଜନ୍ମ ମାଟି, ଗାଁ ଶଶ୍ମାନରେ ହେଲା ଶେଷ କୃତ୍ୟ

ଚାନ୍ଦବାଲି: ମୋ ପୁଅରେ ତୁ କୁଆଡେ ଗଲୁ… ମୋ ପାଖକୁ ଫେରିଆ…ପୁଅକୁ ଡାକି ଡାକି ଛାତିଫଟା କାନ୍ଦ କାନ୍ଦୁଛି ମା’ … କାନ୍ଦି କାନ୍ଦି ତଳେ ଗଡ଼ିଯାଉଛି … ଧୈର୍ଯ୍ୟ ରହୁନି ମା’ର । କେମିତି ବା ରହିବ ଏକମାତ୍ର ରୋଜଗାରିଆ ପୁଅ ଛାଡ଼ି ଚାଲିଗଲା ଆରପାରିକୁ । ଆଉ ସ୍ତ୍ରୀ ର ମଧ୍ୟ ସମାନ ଅବସ୍ଥା । ସ୍ତ୍ରୀ ପାଗେଳୀ ଭଳି ଖାଲି କାନ୍ଦି ଚାଲିଛି । ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ଗାଁ ର। ଲୁହରେ ଭିଜିଯାଉଛି ସହିଦ ଯବାନଙ୍କ ଜନ୍ମ ମାଟି । ଯବାନ ସମ୍ବିତ ଦାସଙ୍କ ସହିଦ୍ ପରେ କଣ ଅବସ୍ଥା ହୋଇଛି ସମ୍ବିତଙ୍କ ମାଆ ଓ ସ୍ତ୍ରୀ ର ଥରେ ନିଜ ଆଖିରେ ଦେଖି ନିଅନ୍ତୁ । ଆପଣଙ୍କ ଆଖିରେ ବି ଲୁହ ଆସିଯିବ ।

ସହିଦ୍ ସମ୍ବିତଙ୍କ ସ୍ତ୍ରୀ ସସ୍ମିତା ଦାସ ଗତ ୧୧ତାରିଖ ସକାଳ ୬ଟାରେ ଠାକୁର ପୂଜା କରୁଥିବା ବେଳେ ସ୍ୱାମୀ ଯବାନ ସମ୍ବିତଙ୍କର ଫୋନ କଲ୍ ଆସିଥିଲା । ହେଲେ ଠାକୁର ପୂଜା କରୁଥିବାରୁ ସ୍ତ୍ରୀ କଲ ଉଠାଇ ପାରିନଥିଲେ । ପୂଜା ସାରି ଆସି ଦେଖିଲା ବେଳକୁ ସ୍ୱାମୀ ସମ୍ବିତର ମିସ କଲ ଥିଲା । ଆଉ କଥା ହୋଇନଥିଲେ ସ୍ତ୍ରୀ । ପରେ ୯ଟା ୩୦ରେ କଲ ଆସିଲା ଆପଣଙ୍କ ସ୍ୱାମୀ ଆଉ ଦୁନିଆରେ ନାହାନ୍ତି । ସେହିପରି ମା ମଧ୍ୟ ଚାରି ଦିନ ତଳେ ପୁଅ ସହ କଥା ହୋଇଥିଲା । କଣ ଖାଇଛୁ ବୋଲି ପୁଅ ପଚାରିଥିଲା । ହେଲେ ଏବେ ପୁଅ ଆଉ ଏ ଦୁନିଆରେ ନାହିଁ । ଏହି ଖବର ଶୁଣିବା ପରେ କେବଳ ପରିବାର ଲୋକ ଖାଲି ନୁହେଁ ଗାଁ ଟା ସାରା ଲୋକଙ୍କ ଆଖିରୁ ଝରୁଛି ଲୁହ।

ନାଲଗୁଣ୍ଡା ଗାଁ ର ବିଷ୍ଣୁ ମୋହନ ଦାସଙ୍କର ଏକ ମାତ୍ର ପୁଅ ହେଉଛନ୍ତି ସମ୍ବିତ ଦାସ । ୨୦୦୩ ମସିହାରେ ସେ ଯବାନ ଚାକିରିରେ ଭର୍ତ୍ତି ହୋଇଥିଲେ । ଗାଁ ଲୋକଙ୍କର ଅତି ପ୍ରିୟ ଥିଲେ ସମ୍ବିତ । ସମ୍ବିତ ଦାସଙ୍କର ଦୁଇଟି ପୁଅ । ସ୍ତ୍ରୀ ସସ୍ମିତା ବାରିକ ତିହିଡି ବ୍ଲକରେ ପିଇଓ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ସମ୍ବିତ ଜାମୁକାଶ୍ମୀରର ବାନ୍ଦିପୋରାରେ ଡ୍ୟୁଟିରେ ଥିବା ବେଳେ ମୃତ୍ୟୁ ବରଣ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ସମ୍ବିତଙ୍କ ମରଶରୀର ନିଜ ଗାଁ ରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଜି ସକାଳେ ଏକ ଶୋଭାଯାତ୍ରାରେ ଗାଁ ପରିକ୍ରମା ପରେ ନିଜ ଗାଁ ଶଶ୍ମାନରେ ସମ୍ବିତଙ୍କ ଶେଷ କୃତ୍ୟ କରାଯାଇଛି । ଏବେ ନିଜ ଆତ୍ମୀୟ ଲୋକଙ୍କଠାରୁ ଆରମ୍ଭ କରି ଗାଁ ମାଟି ପାଣି ପବନ ଖୋଜୁଛି ସମ୍ବିତକୁ ।

Also read:ଜନ୍ମ କଲା ପୁଅକୁ ହତ୍ୟା କଲା ବାପା, ଭୁଲିଗଲା ରକ୍ତ ସମ୍ପର୍କ ସାଜିଲା ସୈତାନ