ମୋବାଇଲକୁ ଆସୁଛି ମେସେଜ୍ । ୮୨୦ରୁ ଅଧିକ ଭିଡିଓ ମାତ୍ର ୯୯ ଟଙ୍କାରେ । ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ଯେ ଆମେ କେଉଁ ଭିଡିଓ ବିଷୟରେ କହୁଛୁ । ତେବେ ମୋବାଇଲକୁ ଆସୁଥିବା ଭିଡିଓ ବିକ୍ରୟ ବିଜ୍ଞାପନ କଥା କହୁଛୁ । ଦେଶରେ ଦୁଷ୍କର୍ମ ସମୟର ଭିଡିଓ ବିକ୍ରି ହେଉଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ନିରାଟ ସତ୍ୟ ।
ଯେତେବେଳେ କୌଣସି ଦୁଷ୍କର୍ମ ମାମଲା ସାମ୍ନାକୁ ଆସେ ସେତେବେଳେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥାଏ । ଆଉ ସେହି ସମୟରେ ହିଁ ଅନ୍ଲାଇନରେ ଯୌନ ନିର୍ଯାତନା ସହ ଜଡ଼ିତ ଭିଡିଓଗୁଡ଼ିକୁ ବ୍ୟାପକ ଭାବେ ସର୍ଚ୍ଚ କରାଯାଏ । ନିକଟରେ କୋଲକାତାରେ ଜଣେ ୩୧ ବର୍ଷୀୟ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏହା ପ୍ରମାଣିତ ହୋଇଛି । ଏହି ଘଟଣାରେ ପୀଡ଼ିତାକୁ ନ୍ୟାୟ ମିଳିବା ପାଇଁ ଲୋକେ ଏବେବି ରାସ୍ତାରେ ଶୋକ ପାଳନ କରୁଛନ୍ତି ।
ଏହାରି ଭିତରେ ହୃଦୟ ଦୋହଲାଇ ଦେବା ଭଳି କଥା ସାମ୍ନାକୁ ଅସିଛି । ଅନ୍ଲାଇନରେ ବିଭିନ୍ନ ଦୁଷ୍କର୍ମ ମାମଲାର ଭିଡିଓ କ୍ଲିପ୍ ପିଛା ମାତ୍ର ୧୨ ପଇସାରେ ବିକ୍ରି ହେଉଛି । ନିକଟରେ ଦୁଷ୍କର୍ମ ଭିଡିଓ ବିକ୍ରେତାଙ୍କ ପକ୍ଷରୁ ଏକ ନୋଟିଫିକେସନ୍ ମେସେଜ୍ ଚର୍ଚ୍ଚାରେ ରହିଥିଲା, ଯେଉଁଥିରେ ୯୯ ଟଙ୍କାରେ ୮୨୦ରୁ ଅଧିକ ଭିଡିଓ ଉପଲବ୍ଧ କରାଯିବା କଥା କୁହାଯାଇଥିଲା । ଦୁଷ୍କର୍ମ ଭିଡିଓ, ଶିଶୁ ଯୌନ ଭିଡିଓ ଏବଂ ଅନ୍ୟାନ୍ୟ ବର୍ଗର ଯୌନ ନିର୍ଯାତନା ଭିଡିଓ ସମେତ ଡାର୍କ ପର୍ଣ୍ଣୋଗ୍ରାଫିକ ଭିଡିଓର ଏକ ବିଶାଳ ଅନ୍ଲାଇନ ବଜାର ଏବେ ଭାରତରେ ସୃଷ୍ଟି ହୋଇଥିବାରୁ ଉଦ୍ବେଗ ପ୍ରକାଶ ପାଇଛି ।
ତେବେ କୌଣସି ଭୟଙ୍କର ଦୁଷ୍କର୍ମ ମାମଲା ସମସ୍ତଙ୍କ ବିବେକକୁ ଦୋହଲାଇ ଦେଉଥିବା ବେଳେ ସେହି ମାମଲା ସହ ଜଡ଼ିତ ଯୌନ ନିର୍ଯାତନାର ଭିଡିଓ ମଧ୍ୟ ଲୋକେ ବହୁଳ ଭାବେ ଖୋଜୁଛନ୍ତି । ଟେଲିଗ୍ରାମ୍ ଗ୍ରୁପ୍ରେ ଏକ ରେଟ୍ କାର୍ଡ ଅନୁଯାୟୀ ଗୋଟିଏ ଭିଡିଓ ପାଇଁ ମାତ୍ର ୧୨ ପଇସା ଦେବାକୁ ପଡ଼ୁଛି ବୋଲି ପ୍ରଚାର ହେବାପରେ ଏହାକୁ ନେଇ ସାଇବର୍ ଅପରାଧ ନିୟନ୍ତ୍ରଣ ୟୁନିଟ୍ ପକ୍ଷରୁ ବ୍ୟାପକ ଖୋଳତାଡ଼ ଚାଲିଛି । ତେବେ ପୁର୍ବରୁ ଏହି ଭିଡିଓଗୁଡିକ ସିଡି ଏବଂ ପେନ୍ ଡ୍ରାଇଭ୍ ମାଧ୍ୟମରେ ସେୟାର କରାଯାଉଥିଲା । କିନ୍ତୁ ଇଣ୍ଟରନେଟ୍ ଆସିବା ପରେ ବିକ୍ରେତାମାନେ ଏବେ ବିଭିନ୍ନ ଆପ୍ର ସହାୟତାରେ ଏହି କାରବାରକୁ ବ୍ୟାପକ କରିଛନ୍ତି । ଏହା ଲୋକଙ୍କୁ ପାଖରେ ପହଞ୍ଚାଇବା ପାଇଁ ସହଜ ରାସ୍ତା ।
ତେବେ ଦିଲ୍ଲୀର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ,ଏହି ଭିଡିଓ ଗୁଡ଼ିକ କିପରି ସୁଟ୍ ହୋଇଛି । ବଳାତ୍କାର ପୀଡିତାଙ୍କୁ ଚୁପ୍ କରିବା କିମ୍ବା ସେମାନଙ୍କଠାରୁ ଟଙ୍କା ଲୁଟିବା ପାଇଁ ଅପରାଧୀମାନେ ପ୍ରାୟତଃ ଏଭଳି ଭିଡିଓ ପ୍ରସ୍ତୁତ କରିଥାଆନ୍ତି । ଏହି ଭିଡିଓଗୁଡିକ ପ୍ରଥମେ ଏକ ଛୋଟ ଗୋଷ୍ଠୀ ମଧ୍ୟରେ ରହିଥାଏ । କିନ୍ତୁ ଥରେ ଭିଡିଓଗୁଡିକ ଲିକ୍ ହୋଇଗଲେ, ଏହାକୁ ବନ୍ଦ କରିବା କଷ୍ଟକର ହୋଇଯାଏ । ଏହି ଛୋଟ ଗୋଷ୍ଠୀ ବାହାରେ ଭିଡିଓଗୁଡିକ ଥରେ ବାଣ୍ଟି ହୋଇଗଲେ ଶେଷରେ ଖୋଲା ବଜାରରେ ପହଞ୍ଚେ । ପରେ ଏହି ଭିଡିଓ କାରବାର ଏକ ହବ୍ରେ ପରିଣତ ହୋଇଛି । ବର୍ତ୍ତମାନ ବଳତ୍କାରର ଭିଡିଓ ଖୋଲାଖୋଲି ଭାବେ ବିକ୍ରି ହେଉଛି । ଏହି ଭିଡିଓ କ୍ଲିପ୍ ଏତେ ମାତ୍ରାରେ ବିସ୍ତାର ହେଉଛି ଯେ ପୀଡ଼ିତାଙ୍କ ପରିବାରରେ ମଧ୍ୟ ପହଞ୍ଚିଥିବା ଥାନାରେ ଅଭିଯୋଗ ରହିଛି ।
ଗତ ମେ’ ମାସରେ ଜେଡିଏସ୍ର ପୂର୍ବତନ ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ, ୨୦୨୩ରେ ମଣିପୁରରେ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ଦୁଷ୍କର୍ମ, ୟୁପି, ବିହାରର କେତେକ ଦୁଷ୍କର୍ମ ମାମଲା ସମେତ ବିଭିନ୍ନ ବଡ଼ ଘଟଣା ପରେ ନେଟ୍ରେ ଏହାର ଭିଡିଓ ଖୋଜିବା ପ୍ରକ୍ରିୟା ବଢ଼ିଯାଉଛି । ପର୍ଣ୍ଣ ଭିଡିଓ ସଂଚାଳନକାରୀମାନେ ଏହାର ସୁଯୋଗ ନେଇ ସକ୍ରିୟ ହୋଇଉଠୁଛନ୍ତି । ଏନକ୍ରିପ୍ଟେଡ୍ ମେସେଜିଂ ଆପ୍ ଟେଲିଗ୍ରାମର ଅନେକ ଗ୍ରୁପ୍ରୁ ଏହା ସ୍ପଷ୍ଟ ହୋଇଛି ଯେ ପୀଡ଼ିତାଙ୍କ ନାମ ଓ ଫଟୋ ବ୍ୟବହାର କରି ମଧ୍ୟ ଭିଡିଓ ଟାଇଟଲ ଉପଲବ୍ଧ କରାଯାଉଛି ।
ତେବେ ଏହି ଭିଡିଓ ବିକ୍ରୟ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଏହି ଭିଡିଓ କ୍ଲିପ୍ର ବିକ୍ରୟକୁ ରୋକାଯାଇପାରିବ ନାହିଁ । ଆମ ସମାଜରେ ଏହି ଘଟଣାକୁ କିଛି ଲୋକ ବିରୋଧ କରୁଥିବାବେଳେ କିଛି ଲୋକ ନିର୍ଦ୍ଦିଷ୍ଟ ଯୌନ ଉତ୍ପୀଡ଼ନ ଭିଡିଓ ଖୋଜୁଛନ୍ତି । ଏହି ସମସ୍ୟାର ସମାଧାନ କେବଳ କଠୋର ନିୟମରେ ନୁହେଁ, ବରଂ ସମାଜର ମାନସିକତାକୁ ପରିବର୍ତ୍ତନ କରିବାରେ । ଏହି ପରିବର୍ତ୍ତନ କେବଳ ଚିନ୍ତାଧାରାର ପରିବର୍ତ୍ତନ ଦ୍ୱାରା ସମ୍ଭବ ହୋଇପାରିବ ।
ଯଦିଓ ଟେକ୍ନୋଲୋଜି ବଳାତ୍କାର ଭିଡିଓଗୁଡିକୁ ଉପଲବ୍ଧ କରାଇଛି, ଟେକ୍ନୋଲୋଜି ମଧ୍ୟ ଏହି ଭିଡିଓଗୁଡିକର ପ୍ରସାରକୁ କିପରି ରୋକାଯାଇପାରିବ ସେ ସମ୍ବନ୍ଧରେ ଉତ୍ତର ଦେଇପାରିବ । ଶେଷରେ ଏତିକି କୁହାଯାଇ ପାରିବ କି ଆମର ମାନସିକତାକୁ ଘୁଣ ଲାଗି ଗଲାଣି । ନଚେତ ଆମେ ଘର ବାହାରେ ପୀଡ଼ିତାଙ୍କ ପାଇଁ ନ୍ୟାୟ ମାଗୁଥିବା ବେଳେ ଘରେ ଖୋଜୁଛୁ ସେହି ଦୁଷ୍କର୍ମର ଭିଡିଓ ।