ଜ୍ୟୋତିଷ କହୁଛନ୍ତି ମୋଦି ଓ ରାହୁଲଙ୍କ ଭବିଷ୍ୟତ ୨୦୧୯

ଜ୍ୟୋତିଷ ଶାସ୍ତ୍ର ଉପରେ କିଏ ବିଶ୍ୱାସ କରେ ଆଉ କେହି ବିଶ୍ୱାସ କରେ ନାହିଁ । ତେବେ ଦେଶର ଏହି ପ୍ରାଚୀନ ଶାସ୍ତ୍ର ଏବେବି ଲୋକଙ୍କୁ ପ୍ରଭାବିତ କରୁଛି । ବିଶ୍ୱାସ ଓ ଅବିଶ୍ୱାସର ଗଳି ଭିତରେ ଜ୍ୟୋତିର୍ବିଦ୍ ପ୍ରତି ବର୍ଷ ଗଣନା କରନ୍ତି ଭବିଷ୍ୟତ । ଏମିତି କେରଳର ଦୁଇ ଜଣ ଜ୍ୟୋତିର୍ବିଦ୍ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭବିଷ୍ୟତ ଗଣନା କରିଛନ୍ତି । ଯାହାକୁ ଆମେ ଏଠାରେ ଉଲ୍ଲେଖ କରୁଛୁ । ଗଣନା ସତ ହେବ କି ମିଛ ତାହା ତ ପରେ ଜଣାପଡ଼ିବ । ହେଲେ ଏହାକୁ ପଢ଼ି କିଛି ଚର୍ଚ୍ଚା କଲେ କିଛି ଅସୁବିଧା ନାହିଁ ।
ଜ୍ୟୋତିର୍ବିଦ୍ ଚିତ୍ରଭାନୁ କେ. ପୁଡଓ୍ଵାଲଙ୍କ ଅନୁସାରେ ମୋଦିଙ୍କ ଭାଗ୍ୟ ଖୁବ୍ ଉଜ୍ଜ୍ୱଳ ରହିଛି । ତେଣୁ ୨୦୧୯ରେ ସେ ପୁଣି ପ୍ରଧାନମନ୍ତ୍ରୀ ହେବେ । ଏମିତିକି ୨୦୨୯ ପର୍ଯ୍ୟନ୍ତ ତାଙ୍କୁ ଏହି ପଦବିରୁ କେହି ହଲାଇ ଦେଇ ପାରିବେ ନାହିଁ ବୋଲି ସେ କହିଛନ୍ତି । ମୋଦିଙ୍କର ହେଉଛି କନ୍ୟା ରାଶି । ସେ ବାପା ମା’ଙ୍କର ୬ ସନ୍ତାନଙ୍କ ମଧ୍ୟରୁ ତୃତୀୟ ସନ୍ତାନ । ଜନ୍ମ ୧୯୫୦ ମସିହା ସେପଟେମ୍ବର ୧୭ ତାରିଖରେ । କନ୍ୟା ରାଶିର ବ୍ୟକ୍ତିମାନଙ୍କର ପ୍ରଖର ସ୍ମରଣ ଶକ୍ତି ରହିଥାଏ । ଯାହା ମୋଦି ବାରମ୍ବାର ତାଙ୍କ ଭାଷଣ ବେଳେ ପ୍ରମାଣିତ କରିଛନ୍ତି । ତାଙ୍କ ଭାଷଣରେ ସେ ସବୁ ତଥ୍ୟ ଘୋଷି ରଖିଲା ଭଳି କହି ଦେଇଥାନ୍ତି । ଯାହା ଅନେକଙ୍କୁ ଚକିତ କରେ । ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ହେବେ ବୋଲି ପୁଡଓ୍ଵାଲ ହିଁ ପ୍ରଥମ ବ୍ୟକ୍ତି ଭାବେ ଭବିଷ୍ୟବାଣୀ କରିଥିଲେ । ତା ପରେ ତାଙ୍କ ନାଁ ସବୁଆଡ଼େ ଚର୍ଚ୍ଚା ସୃଷ୍ଟି କରିଥିଲା ।
ଆଉ ଜଣେ ଜ୍ୟୋତିର୍ବିଦ୍ ହେଉଛନ୍ତି କେ.ଏନ୍. ନମ୍ବୁଦ୍ରିପଦ । ସେ ମଧ୍ୟ ପୁଡଓ୍ଵାଲଙ୍କ ଭଳି ମୋଦିଙ୍କ ସମ୍ପର୍କରେ ଭବିଷ୍ୟବାଣୀ କରି ୨୦୨୯ ପର୍ଯ୍ୟନ୍ତ ମୋଦି ପ୍ରଧାନମନ୍ତ୍ରୀ ରହିବେ ବୋଲି କହିଛନ୍ତି । କିନ୍ତୁ ତା ଭିତରେ ଆଉ ଗୋଟିଏ ସୂଚନା ଦେଇଛନ୍ତି ଯେ ‘ଓଭର କନଫିଡେନ୍ସ’ ତାଙ୍କୁ ଅସୁବିଧାରେ ପକାଇବ ଏବଂ ୨୦୨୪ ବେଳକୁ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ତେଣୁ ତାଙ୍କର ପରାମର୍ଶ ହେଉଛି ମୋଦି ଠାକୁରଙ୍କ ତୁଳନାରେ ଠାକୁରାଣୀ ଅର୍ଥାତ୍ ଦେବୀମାନଙ୍କୁ ପୂଜା କରନ୍ତୁ । ଯାହାଫଳରେ ତାଙ୍କର ସମସ୍ୟା ଦୂର ହେବ । ୨୦୧୯ରେ ବିଜେପି ପୁଣି କ୍ଷମତାକୁ ଫେରିବ କିନ୍ତୁ ଆସନ ସଂଖ୍ୟା କମିବ ବୋଲି ସେ ଗଣନା କରିଛନ୍ତି ।
ପଣ୍ଡିତ ପ୍ରକାଶ ଯୋଶୀଙ୍କ ଗଣନା ଅନୁସାରେ ମୋଦି ପୁଣି ପ୍ରଧାନ ମନ୍ତ୍ରୀ ହେବେ । ସେ ପୂରା ଜୋର ଦେଇ ଏକଥା କହିଛନ୍ତି ।
ପଣ୍ଡିତ ସନ୍ତବେତ୍ରା ଅଶୋକ କହିଛନ୍ତି ମୋଦିଙ୍କ ଉପରେ ବହୁତ ଚାପ ରହିବ । କିନ୍ତୁ ଭଲ ଫଳ ପାଇବେ । ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ । ସେ ସୁରକ୍ଷା ବଳୟ ବାହାରକୁ ଯିବା ଉଚିତ ନୁହେଁ । ୨୦୧୯ରୁ ଆହୁରି ଲୋକପ୍ରିୟତା ବଢ଼ିବ । ଜ୍ୟୋତିର୍ବିଦ୍ ଗୌତମ ୠଷି ପରାସର ମଧ୍ୟ ମୋଦିଙ୍କ ପକ୍ଷରେ ମତ ଦେଇଛନ୍ତି ।
ବାହା ହେଲେ ବଦଳିବ ରାହୁଲଙ୍କ ଭାଗ୍ୟ !
ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭାଗ୍ୟରେ ବିଶେଷ କି ପରିବର୍ତ୍ତନ ନାହିଁ । ୨୦୨୪ ପର୍ଯ୍ୟନ୍ତ ସମାନ ସ୍ଥିତିରେ ରହିବେ ବୋଲି ପୁଡଓ୍ଵାଲ କହିଛନ୍ତି । ତେବେ ସେ ବର୍ତ୍ତମାନ ଯେଉଁ ସ୍ଥିତିରେ ଅଛନ୍ତି ୨୦୧୯ ଅଗଷ୍ଟ ପରେ ସେଥିରେ ସୁଧାର ଆସିବ । ଅବଶ୍ୟ ବିବାହ ପରେ ତାଙ୍କ କ୍ୟାରିୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ ବୋଲି ପୁଡଓ୍ଵାଲ କହିଛନ୍ତି । ୧୯୭୦ ଜୁନ୍ ୧୯ ତାରିଖରେ ରହୁଲଙ୍କ ଜନ୍ମ । ତାଙ୍କର ମିଥୁନ ରାଶି । ପଣ୍ଡିତ ଶିବ କୁମାର ତିଓ୍ଵାରୀ କହିଛନ୍ତି ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସ୍ଥିତି ଭଲ ରହିବ ନାହିଁ । ଠିକ୍ ସେହିଭଳି ଭଲ ସ୍ଥିତିରେ ରହିବ ନାହିଁ ରାହୁଲଙ୍କ ଭାଗ୍ୟ । ତେବେ ମେଣ୍ଟ ଯୋଗୁଁ ତାଙ୍କ ଦଳ କଂଗ୍ରେସକୁ ଫାଇଦା ମିଳିବ ।
ଜ୍ୟୋତିର୍ବିଦ୍ ମନୋଜ କୁମାର ଗୁପ୍ତାଙ୍କ କହିବା କଥା ପୂର୍ବାପେକ୍ଷା ରାହୁଲ ଗାନ୍ଧିଙ୍କ ସ୍ଥିତି ଭଲ ରହିବ । ହେଲେ ଏବେ ପ୍ରଧାନମନ୍ତ୍ରୀ ହେବାର ଯୋଗ ନାହିଁ । ୨୦୨୨ରେ ତାଙ୍କୁ ବଡ଼ ପରୀକ୍ଷା ଦେବାକୁ ହେବ ଏବଂ ୨୦୨୩ ରୁ ତାଙ୍କ ପାଇଁ ସଫଳତାର ପଥ ଖୋଲିବ ।
ସୋସିଆଲ ମିଡିଆରେ ଏଭଳି ଅନେକ ଜ୍ୟୋତିର୍ବିଦ୍ଙ୍କର ଭବିଷ୍ୟବାଣୀ ଖେଳି ବୁଲୁଛି । ଏମିତିବି ଅଭିଯୋଗ ଆସିଛି, ସୋସିଆଲ ମିଡିଆକୁ ସବୁଠାରୁ ଭଲ ଭାବେ ବ୍ୟବହାର କରୁଥିବା ଭାରତୀୟ ଜନତା ପାର୍ଟିର ଇଏ ହେଉଛି ଚାଲ୍ । ଯେମିତି ମୋଦି ସପକ୍ଷରେ ଅଧିକାଂଶ କହିବେ । ତେବେ ଗ୍ରହ ନକ୍ଷତ୍ର ଖେଳ ଭିତରେ ସାଧାରଣ ଜନତା ତ ଭୋଟ୍ ଦେବେ । ଇଭିଏମ୍ କହିବ କିଏ ଜିତିଲା, କିଏ ହାରିଲା । ତାକୁ ଅପେକ୍ଷା କରିବା ।