୫ ବର୍ଷର ଶିଶୁ ପୁତ୍ର କ୍ରିୟାନ୍ସ କ୍ରିତିକର ବିଚକ୍ଷଣ ବୁଦ୍ଧି, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ପାଇଲେ ସ୍ଥାନ 

ଆଠମଲ୍ଲିକ: ସାନ ସିନା କାମ କିନ୍ତୁ ବଡ । ସତରେ କିଛି କରି ଦେଖାଇବାର ଇଚ୍ଛା ବୟସକୁ ପଛରେ ପକାଇଦିଏ । ନିଜର ବୁଦ୍ଧି ଏବଂ ଆତ୍ମବିଶ୍ୱାସ ପାଇଁ ଆଜି ଏମିତି ଏକ କୁନି ଛୁଆଟି ବଡ ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ସତରେ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ନିଜର ପ୍ରତିଭା ବଳରେ ଆଜି ଏତେ କମ୍ ବୟସରୁ ନିଜର ଏକ ସ୍ଵତନ୍ତ୍ର ପରିଚୟ ସ୍ରୁଷ୍ଟି କରିବା ନିହାତି ଅତି ଗର୍ବର ବିଷୟ ।

ନିଜର ବିଚକ୍ଷଣ ସ୍ମୃତି ଶକ୍ତି ପାଇଁ ୫ ବର୍ଷର ଶିଶୁ ପୁତ୍ର ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇ ଆଜି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଆଠମଲ୍ଲିକ ବ୍ଲକର ଲିପିଲୋଇ ଗ୍ରାମର କାଳନ୍ଦୀ ନାଏକ ଏବଂ ସ୍ମୃତିରେଖା ରାଜହଂସଙ୍କର ଶିଶୁ ପୁତ୍ର କ୍ରିୟାନ୍ସ କ୍ରିତିକ ନାଏକ । ମାତ୍ର ୫ ବର୍ଷ ବୟସରେ ବିଚକ୍ଷଣ ସ୍ମରଣ ଶକ୍ତି ପାଇଁ ସେ ହୋଇଯାଇଛନ୍ତି ନିଜ ବୟସ ଠାରୁ ବୟସ୍କ । ଆଠମଲ୍ଲିକ ତଥା ତାଙ୍କ ଗ୍ରାମ ଲିପିଲୋଇ ପାଇଁ ଆଣିଦେଇଛନ୍ତି ଗୌରବ ।

କ୍ରିୟାନ୍ସଙ୍କ ଜନ୍ମ ୩ ସେପ୍ଟେମ୍ବର ୨୦୧୯ । ଓଡ଼ିଆ ହିନ୍ଦୀ ଇଂରାଜୀ ଭାଷାରେ କହି ପାରୁଥିବା ଏହି ପ୍ରତିଭାବାନ ଶିଶୁ ବର୍ତ୍ତମାନ ସ୍ଥାନୀୟ ଏକ ବିଦ୍ୟାଳୟରେ ଏଲକେଜିର ଛାତ୍ର । ବିଭିନ୍ନ ସମୟରେ ତଥା ଖାଇବା ବେଳେ ଘରେ ଅଝଟ ହେଉଥିବାରୁ ଧ୍ୟାନ ପରିବର୍ତ୍ତନ କରିବା ପାଇଁ ମା’ ସ୍ମୃତିରେଖା ସାଧାରଣ ଜ୍ଞାନ, ଓଡ଼ିଆ ବର୍ଣ୍ଣମାଳା, ବାର ମାସ, ଛଅ ଋତୁ, ପଣିକିଆ, ଇଂରାଜୀରେ ଅଙ୍ଗ ପ୍ରତ୍ୟଙ୍ଗ ଓ ୧ ରୁ ୨୦୦ ଏବଂ ୧୦୦ ରୁ ୧ ପର୍ଯ୍ୟନ୍ତ ଅବଗଣନା କରିବା ସହ ମିଶାଣ ଫେଡ଼ାଣ, ଇଂରାଜୀରେ ବିଭିନ୍ନ ଫଳ ଜୀବଜନ୍ତୁଙ୍କ ନାମ ଇତ୍ୟାଦି କହି ପୁଅକୁ ଖୁଆଇଦେଉଥିଲେ ।

ମା’ଙ୍କ ଉଦ୍ୟମରେ ପୁଅ ଖାଉଥିଲା ସତ ମାତ୍ର ପୁଅ ଶୁଣି ଶୁଣି ମନେ ରଖିପାରୁଥିବାରୁ ସ୍ମୃତିରେଖାଙ୍କର ଉତ୍ସାହ ବଢିଥିଲା । ତେବେ ସ୍କୁଲକୁ ଯିବା ପରେ ତାର ପ୍ରତିଭା  ଜଣାପଡିଥିଲା । ଇଣ୍ଡିଆ ବୁକ୍  ଅଫ୍ ରେକର୍ଡସ ବିଷୟରେ ଜାଣିବା ପରେ ପୁଅକୁ ପ୍ରସ୍ତୁତ କରି ଆବେଦନ କରିଥିଲେ । ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ପକ୍ଷରୁ  ପରୀକ୍ଷାରେ କୃତିତ୍ୱ ଅର୍ଜନ କରିବା ପରେ କ୍ରିୟାନ୍ସ କୁ ପ୍ରମାଣପତ୍ର ଓ ମେଡାଲ ମିଳିଥିଲା । ପ୍ରମାଣପତ୍ରରେ  କ୍ରିୟାନ୍ସଙ୍କ ପ୍ରତିଭା ସମ୍ପକରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏ ସମ୍ପର୍କରେ ଜଣାପଡିବ ପରେ ଆଠମଲ୍ଲିକର ବିଭିନ୍ନ ମହଲ, ବିଦ୍ଧିଜୀବୀ ତଥା ବାନ୍ଧୁବାନ୍ଧବ ମାନଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟୁଥିବା କାଳନ୍ଦୀ ପ୍ରକାଶ କରିଛନ୍ତି ।

ଏହି ଶିଶୁଟିର ବୟସ ମାତ୍ର ୫ ବର୍ଷ । କିନ୍ତୁ ଜ୍ଞାନ କୌଣସି ବଡ ଲୋକଙ୍କ ଠାରୁ ବି କମ୍‌ ନୁହେଁ । ତେବେ କଥାରେ ଅଛି ପ୍ରତିଭା ହେଉଛି ଭଗବାନଙ୍କ ଦାନ । ଏହି ପ୍ରତିଭାକୁ ଶିଶୁ ଜନ୍ମରୁ ହିଁ ନେଇ ଆସିଥାଏ । ଯାହା ତାଙ୍କୁ କରିଦିଏ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର ।

 

 

You might also like