୯୦ ବର୍ଷରେ ବି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ନାଡି ବୈଦ୍ୟ ଅରବିନ୍ଦ
ଧିରେ ଧିରେ ହଜିଯାଉଛି ଆମ ପୂର୍ବ ପୁରୁଷମାନଙ୍କ ହାତ ତିଆରି ଚେରମୂଳି ଆୟୁର୍ବେଦିକ ଔଷଧୀ । ଆଧୁନିକତାର ସ୍ପର୍ଶର ଅନୁଭବ ପରେ ସତେ ଯେମିତି ଏହି ସବୁ ଆମ ସମାଜ ପାଇଁ ଅଲୋଡ଼ା ହୋଇ ଯାଉଛି । କିନ୍ତୁ ଆଜିର ଏହି ଆଧୁନିକ ଯୁଗରେ ଏମିତି କିଛି ମହାପୁରୁଷ ଅଛନ୍ତି ଯେଉଁମାନେ କି ସେମାନଙ୍କ ପୂର୍ବ ପୁରୁଷ ଦେଇଯାଇଥିବା ଶିକ୍ଷାର ଉପଯୋଗ କରି ପ୍ରତିଦିନ ଶତାଧିକ ଲୋକମାନଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ।
କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ଅନ୍ତର୍ଗତ କଣ୍ଡରେଇ ପଂଚାୟତ ଅଧିନ ମହାଲକ୍ଷ୍ମୀ ପୁର ଗାଁର ନାଡି ବୈଦ୍ୟ ଅରବିନ୍ଦ ମଜୁମଦାର, ବୟସ ୯୦ ରୁ ଅଧିକ । ବୟସର ଅପରାହ୍ନରେ ଥୁରୁ ଥୁରୁ ହୋଇ ଏବେବି ନିଜର ପୁର୍ବ ପୁରୁଷ ଛାଡି ଯାଇଥିବା ଶିକ୍ଷାର ଆଢ଼ୁଆଳରେ ନିଜର ସେବା ଯୋଗାଇ ଆସୁଛନ୍ତି । ଓଡ଼ିଶାର ସମସ୍ତ ତିରିଶଟି ଜିଲ୍ଲାରେ ନିଜର ସେବାକୁ ଏବେବି ଅବ୍ୟାହତ ରଖିଛନ୍ତି ଏହି ନାଡ଼ି ବୈଦ୍ୟ । ଦଶ ହଜାରରୁ ଅଧିକ ଗଛର ଚେରମୁଳି ଔଷଧି ବିଷୟରେ ନିଖୁଣ ଜ୍ଞାନ ଥିବା ଏହି ନାଡି ବୈଦ୍ୟ ଏବେ ମାତ୍ର ଶହେରୁ ଦେଢ଼ ଶହ ଗଛର ଚେରମୂଳି ଆୟୁର୍ବେଦିକ ଔଷଧି ସମାଜ ପାଇଁ ବ୍ୟବହାର କରି ଥାଆନ୍ତି । ଏଭଳି ଅମାପ ଔଷଧି ଗୁଣ ଜାଣି ମଧ୍ୟ ସମାଜ ଦୃଷ୍ଟିରୁ ସବୁବେଳେ ଦୂରେଇ ରୁହନ୍ତି ବୋଲି କହିଛନ୍ତି ସେ ।
ଘର ଭିତରେ ରହିଛି ଭଳିକି ଭଳି ଚେରମୂଳି ଔଷଧି । ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରତିଦିନ ୫ରୁ ୬ ଜଣ ଲୋକ ନିୟୋଜିତ ରହିଥାଆନ୍ତି । ଏହି ଚେରମୂଳି ଆୟୁର୍ବେଦିକ ଔଷଧି ଛେଚା କୁଟା ପରେ ଏହାକୁ ନିଜେ ବସି ନିରୀକ୍ଷଣ କରନ୍ତି । ରୋଗୀ ମାନଙ୍କ ହାତର ନାଡି ଧରି ରୋଗକୁ ଚିହ୍ନଟ କରିବା ସହ ଔଷଧ ପ୍ରଦାନ କରି ଥାଆନ୍ତି । କେବଳ ସେତିକି ନୁହେଁ ଜୀବନ ସାରା କରିଥିବା ରୋଜଗାରକୁ ଗରିବମାନଙ୍କ ମଧ୍ୟରେ ବାଣ୍ଟି ଆନନ୍ଦ ଅନୁଭବ କରନ୍ତି ବୋଲି କୁହନ୍ତି ସ୍ଥାନୀୟ ଲୋକ । ସରକାରୀ ସାହାଯ୍ୟରୁ ବଂଚିତଥିବା ଲୋକମାନଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗୋଟିଏ ଗୋଟିଏ ପରିବାରକୁ ତିନି ବଖରା ଲେଖାଏ ବାର ଟି ପରିବାରକୁ କୋଠା ଘର ପ୍ରଦାନ କରିଛନ୍ତି । ସେମାନଙ୍କ ସୁଖ ଦୁଃଖରେ ପାଖରେ ରହି ସେମାନଙ୍କ ମଧ୍ୟରେ ଉତ୍ସାହ ପ୍ରଦାନ କରି ଥାଆନ୍ତି ଅରବିନ୍ଦ । ବୟସର ଅପରାହ୍ନରେ ନିଜକୁ ରୋଗୀ ସେବାରେ ନିୟୋଜିତ କରିବା ସହ ନିଜର ସଞ୍ଚିତ ଧନ ଗରିବମାନଙ୍କ ମଧ୍ୟରେ ବାଣ୍ଟି ଆନନ୍ଦ ଅନୁଭବ କରୁଛନ୍ତି ଏହି ନାଡି ବୈଦ୍ୟ ।