ଯୁବତୀଙ୍କ ସହ ଅମାନବୀୟ କାଣ୍ଡ, ଅଟୋ ଡ୍ରାଇଭର ସହ ୨ସହଯୋଗୀ ଗିରଫ

ବାଲିଗୁଡା : ପୁଣି ନିର୍ଭୟା କାଣ୍ଡ । ୬ଦିନ ଧରି ଗଣଦୁଷ୍କର୍ମ । ବନ୍ଦ କୋଠରୀରେ ୬ଦିନ ଧରି ଗଣଦୁଷ୍କର୍ମ । କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଚାଞ୍ଚଲ୍ୟ । ଯୁବତୀଙ୍କୁ ଅପହରଣ ପରେ ବନ୍ଦ କୋଠରୀରେ ଚାଲିଥିଲା ଅମାନବୀୟ କାଣ୍ଡ । ଅଟୋ ଡ୍ରାଇଭର ସହ ଦୁଇ ସହଯୋଗୀ ଗିରଫ । ସତରେ ଏ ଦୁନିଆରେ ଏଭଳି ମାନବିକତା ହୀନ ଏବଂ ନୃସଂଶ ଲୋକ ଅଛନ୍ତି ଯେଉଁମାନେ ନିଜ କାମନାକୁ ଚରିତାର୍ଥ କରିବା ଲାଗି ଯେକୌଣସି ସ୍ତରକୁ ଯାଇ ପାରନ୍ତି । ତାର ଏକ କଳଙ୍କିତ ଉଦାହରଣ ଦେଖିବାକୁ ମିଳିଛି ।

ଅଭିଯୋଗ ଅନୁଯାୟୀ, ମେଡିସିନ କିଣିବାକୁ ବାଲିଗୁଡା ସହରକୁ ଆସିଥିଲେ ଯୁବତୀ । ମେଡିସିନ କିଣି ସାରିବା ପରେ ଯୁବତୀ ଜଣକ ଅପହରଣର ଶୀକାର ହୋଇଥିଲେ । ଅପହରଣ ପରେ କରାଯାଇଥିଲା ଗଣଦୁଷ୍କର୍ମ । ଆଉ ଶେଷରେ ପୋଲିସ୍ ଚଢ଼ାଉ କରି ଯୁବତୀଙ୍କୁ ଉଦ୍ଧାର କରିଥିଲା ।ଯାହା ସୂଚନା ମିଳିଛି କି, ମେ୧୧ ତାରିଖ । ବାଲିଗୁଡା ଥାନା ଅଞ୍ଚଳର ଜଣେ ଯୁବତୀ ମେଡ଼ିସିନ କିଣିବାକୁ ବାଲିଗୁଡା ସହରକୁ ଆସିଥିଲେ । ମେଡ଼ିସିନ କିଣିସାରି ବାଲିଗୁଡାର କୋଳି ଛକ ଠାରେ ତ୍ରିବେଦୀ ପାର୍କ ନିକଟରେ ଗାଁ କୁ ଯିବା ପାଇଁ ଅପେକ୍ଷା କରିଥିଲେ । ଏହି ସମୟରେ ଯୁବତୀଙ୍କୁ ଅଭିଯୁକ୍ତ ଅଟୋ ଡ୍ରାଇଭର କୁଆଡେ ଯିବ ବୋଲି ପଚାରିଥିଲା । ଯୁବତୀ ଜଣକ ନିଜ ଗାଁର ଠିକଣା କହିବା ପରେ ଅଟୋ ଡ୍ରାଇଭର ଗାଁରେ ଛାଡ଼ିଦେବ କହି ବଳ ପୂର୍ବକ ବାଲିଗୁଡାର ଏକ ଭଡା ଘରକୁ ଅପହରଣ କରି ନେଇଥିଲା । ସେହି କୋଠରୀ ରେ ବନ୍ଦ କରିଥିଲା ଅଭିଯୁକ୍ତ ଅଟୋ  ଡ୍ରାଇଭର ।

ଏହାପରେ ଅଟୋ ଡ୍ରାଇଭର ଓ ତାର ଅନ୍ୟ ଦୁଇ ସହଯୋଗୀ ସେହି ଭଡା ଘରେ ଦୀର୍ଘ ଛଅ ଦିନ ଧରି ଯୁବତୀଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ । ତେବେ ଭଡା ଘର ପାଖରେ ଥିବା କିଛି ବ୍ୟକ୍ତିଙ୍କୁ ସନ୍ଦେହ ହେବାରୁ ବାଲିଗୁଡା ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦଙ୍କ ନିର୍ଦ୍ଦେଶ କ୍ରମେ ମେ ୧୭ ତାରିଖ ଦିନ ବାଲିଗୁଡା ଆଇଆଇସି ସମ୍ବିତ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ୍ ଭଡା ଘରେ ଚଢ଼ାଉ କରିଥିଲେ । ଭଡା ଘରୁ ପୀଡିତା ଯୁବତୀଙ୍କୁ ବାଲିଗୁଡା ପୋଲିସ୍ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲରେ ଭର୍ତି କରାଇଥିଲେ ।

ଏପଟେ ଅପହରଣ ସହ ଦୀର୍ଘ ଛଅ ଦିନ ଧରି ଯୁବତୀଙ୍କ ସହ ବାରମ୍ବାର କୁକର୍ମ କରିଥିବା ଅଟୋ ଡ୍ରାଇଭର ଓ ତାର ଦୁଇ ସହଯୋଗୀକୁ ଗିରଫ କରିଛି ବାଲିଗୁଡା ପୋଲିସ୍ । ବର୍ତମାନ ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସହ ସୁରକ୍ଷିତ ଥିବା କହିଛନ୍ତି ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ । ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ଅଟୋ ଡ୍ରାଇଭର ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବାଲିଗୁଡା ଏସଡ଼ିପିଓ l

ବାରମ୍ବାର ଏଭଳି ଘଟଣା ଆମ ସମାଜ ଘଟିଚାଲିଛି । ଯୌନ ଲାଳସା ଚରିତାର୍ଥ କରିବା ପାଇଁ କିଛି ମଣିଷ ଏତେ ତଳକୁ ଖସିଯାଉଛନ୍ତି ଯେ ତାହା କଳ୍ପନାରେ ସୁଦ୍ଧା ଭାବିବା ଅସମ୍ଭବ । ପୁଣି ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଭଳି ନିଚ୍ଚ ଚିନ୍ତାଧାରାର ଲୋକଙ୍କୁ ଉଚିତ୍ ଶାସ୍ତି ମିଳିବା ନିହାତୀ ଆବଶ୍ୟକ । ଅନ୍ୟପଟେ ଏଭଳି ଏକ ଘଟଣାରେ ପୀଡିତାକୁ ନ୍ୟାୟ ମିଳିବା ସହ ଦୋଷୀଙ୍କୁ ଉଚିତ୍ ଶାସ୍ତି ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

ଆହୁରି ପଢନ୍ତୁ: ଦୁର୍ଘଟଣାରେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ଅନ୍ୟ ଜଣେ ସାଙ୍ଗ ଗୁରୁତର