ସ୍ଵର୍ଗତ ଗୁରୁଙ୍କୁ ଦକ୍ଷିଣା ଦେବା ଭଳି ଉତ୍ସର୍ଗୀକୃତ ମନୋଭାବ ରଖିଥିବା ଏମିତି ଜଣେ ଶିଷ୍ୟ ବାଲାଜୀ ସାହୁ

ଭଞ୍ଜନଗର: ଏମିତି ତ ଅନେକ କଳାକାର ରହିଛନ୍ତି, ଯେଉଁମାନେ ନିଜର କଳାକୁ ନେଇ ଲୋକଙ୍କ ପ୍ରିୟପାତ୍ର ହୋଇଛନ୍ତି । ସେ ଅଭିନୟ ହେଉ, ଅଥବା କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପୀ କିମ୍ବା ବାଦ୍ୟଯନ୍ତ୍ର କଳାକାର । ଏମାନେ ନିଜ ନିଜର ଆକର୍ଷଣୀୟ ଉପସ୍ଥାପନା ଶୈଳୀକୁ ନେଇ ଦର୍ଶକଙ୍କମନ ଜିଣି ପାରୁଛନ୍ତି । କଳାକୁ ବଞ୍ଚାଇ ରଖିବା ସହ, ନିଜ ପେଟ ପାଟଣା ପାଇଁ କିଛି କିଛି ରୋଜଗାର କରିପାରୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ଆମେ ଏମିତି ଜଣେ କଳାକାରଙ୍କୁ ଭେଟିଥିଲୁ, ଯାହାର ଚିନ୍ତାଧାରା ଆମକୁ ଘଡ଼ିଏ ଭାବିବାକୁ ବାଧ୍ୟ କରିଥିଲା ।

ଗୁରୁଙ୍କ ପାଇଁ ଦକ୍ଷିଣା ଯୋଗାଡ କରୁଛନ୍ତି ବାଲାଜୀ । ଭାୟୋଲିନ୍ ବା ବେହେଲା ଭଳି ଏକ କଷ୍ଟସାଧ୍ୟ ବାଦ୍ୟଯନ୍ତ୍ର ବଜାଇବାର କୌଶଳ, ଗୁରୁଙ୍କ ଠାରୁ ଶିକ୍ଷାଲାଭ କରିଥିଲେ । ଦକ୍ଷିଣା ସ୍ଵରୁପ କିଛି ଦେବା ବେଳକୁ, ଗୁରୁଙ୍କ ଦେହାନ୍ତ ହୋଇ ସାରିଥିଲା । ଅପୂର୍ଣ୍ଣ ରହିଗଲା, ଗୁରୁ ଦକ୍ଷିଣା । ଯାହାହେଲେ ବି, ସ୍ଵର୍ଗତ ଗୁରୁଙ୍କୁ ଦକ୍ଷିଣା ଦେବାକୁ ପଡିବ । ହେଲେ କେମିତି ? ଶେଷରେ ନିଷ୍ପତ୍ତି ନେଲେ, ଗୁରୁ ଦେଇଥିବା ଭାୟୋଲିନ୍ ବାଦନ ଶିକ୍ଷାକୁ ଆଧାର କରି ଆଉ କିଛି ନୂଆ ପିଢୀର ଆଗ୍ରହୀ ଯୁବକଙ୍କୁ ଶିକ୍ଷା ଦେବେ । ତାହା ପୁଣି ମାଗଣାରେ । ଏବେ ଏହି ବାଦ୍ୟ-କଳା ଠାରୁ ଅନେକ ଦୂରେଇ ଯାଉଥିବା ବେଳେ, ପୁଣି ଥରେ ଭାୟୋଲିନ୍ ବାଦନ କଳାକୁ ବ୍ୟାପକ କରିବାର ଲକ୍ଷ ରଖିଛନ୍ତି ସେ । ଏ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ, କୁଲାଡ ଗାଁର ବାଲାଜୀ ସାହୁ ।

ପିଲାଟି ବେଳୁ, ସେ ଭିନ୍ନକ୍ଷମ । ପାଠପଢି ଉଚ୍ଚ ଶିକ୍ଷିତ ହେଲେ । ଗୋଟିଏ ସାଧାରଣ ପରିବାରର ପୁଅ, ବାଲାଜୀ ସାହୁ । ପରିବାର ଚଳାଇବା ପାଇଁ, ଭଞ୍ଜନଗର ନିକଟସ୍ଥ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କଲେ । ବାଲାଜୀ ଗୁରୁଜୀ ବୋଲି ତାଙ୍କୁ ସମସ୍ତେ ଜାଣନ୍ତି । ଏହା ଭିତରେ ସଂଗୀତ ଗୁରୁ ବିପ୍ରଚରଣ ପ୍ରଧାନଙ୍କ ସଂସ୍ପର୍ଶରେ ଆସିଲେ । ତାଙ୍କଠାରୁ ଭୟୋଲିନ୍ ଶିକ୍ଷାଲାଭ କଲେ । ପରବର୍ତ୍ତୀ ସମୟରେ, ଗୁରୁ ବିପ୍ରଚରଣଙ୍କ ଦେହାନ୍ତ ହେଲା । ତଥାପି ଶିକ୍ଷକତା ସହ, ଭାୟୋଲିନ୍ ବାଦନ ଅଭ୍ୟାସକୁ ଜାରି ରଖିଛନ୍ତି ବାଲାଜୀ । ତାଙ୍କର ଭାୟୋଲିନ୍ ବାଦନ-ଶୈଳୀ, ସମସ୍ତଙ୍କୁ ମନ୍ତ୍ର-ମୁଗ୍ଧ କରିଦିଏ ।

ନିଜର ତେଲ-ଲୁଣର ନିଅଣ୍ଟିଆ ସଂସାର ଚଳାଇବା ପାଇଁ, କାମ କରୁଥିବା ଶିକ୍ଷାନୁଷ୍ଠାନରୁ ଯାହା ପ୍ରାପ୍ୟ ମିଳେ ସେତିକିରେ ହିଁ ପରିବାର ଚଳେ । ସେହିଭଳି ଭିନ୍ନକ୍ଷମ ଭତ୍ତା ବାବଦରେ ମାସକୁ ହଜାରେ ଟଙ୍କା ମିଳେ । ଏହା ବ୍ୟତିତ ବିଭିନ୍ନ କାର୍ଯ୍ୟକ୍ରମରେ ଭାୟୋଲିନ୍ ବଜାଇ, ପାରିଶ୍ରମିକ ବାବଦକୁ ସେ ଟଙ୍କାଟିଏ ବି ଗ୍ରହଣ କରନ୍ତି ନାହିଁ । କାରଣ ଭାୟୋଲିନ୍ ଭଳି ଦୁର୍ଲଭ ବାଦ୍ୟଯନ୍ତ୍ର ପ୍ରତି ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଆକର୍ଷିତ କରାଇବା ଏବଂ ଏହାକୁ ସାର୍ବଜନୀନ କରିବାର ଲକ୍ଷ ରଖିଛନ୍ତି ସେ ।

କେବଳ ସେତିକି ନୁହେଁ, ସ୍ୱର୍ଗତ ଗୁରୁଙ୍କୁ ପାଇଁ ଦକ୍ଷିଣା ସ୍ଵରୁପ, ଭାୟୋଲିନ୍ ବାଦ୍ୟଯନ୍ତ୍ରର ବ୍ୟାପକତା ସୃଷ୍ଟି କରିବାର ଲକ୍ଷ ରଖିଛନ୍ତି । ନୂଆଁ ପିଢ଼ିର ଆଗ୍ରହୀ ଯୁବଗୋଷ୍ଠୀକୁ ମାଗଣାରେ ଭାୟୋଲିନ୍ ଶିକ୍ଷା ଦେବାକୁ ଆଗେଇ ଆସିଛନ୍ତି । ଏତକ ହୋଇ ପାରିଲେ, ତାହାହିଁ ହେବ ତାଙ୍କ ସ୍ୱର୍ଗତ ଗୁରୁଙ୍କୁ ପାଇଁ ଗୁରୁଦକ୍ଷିଣା ବୋଲି, ବାଲାଜୀ ଗୁରୁଜୀ କହିଛନ୍ତି । ଅନ୍ୟପକ୍ଷରେ ଏଭଳି ଜଣେ କଳାକାରଙ୍କୁ ସରକାରୀ ନିୟମର ପ୍ରକାରେ ସହଯୋଗ ଯୋଗାଇଦେବା ପାଇଁ, ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ଉପଜିଲ୍ଲାପାଳ ।

ଶିକ୍ଷା ଠାରୁ ଆରମ୍ଭ କରି ଜୀବିକା ନିର୍ବାହ, ସେବା ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ଗୁରୁ ତ ଅନେକ ମିଳିବେ । ସେହିଭଳି ଗୁରୁଙ୍କ ପ୍ରତି ଭକ୍ତି, ନିଷ୍ଠା ଓ ଏକାଗ୍ରତା ରଖିବା ଭଳି ଶିଷ୍ୟ ମଧ୍ୟ ଅନେକ ଦେଖିବାକୁ ମିଳିବେ । ହେଲେ ଗୁରୁଙ୍କ ଆବର୍ତ୍ତମାନରେ, ତାଙ୍କୁ ଦକ୍ଷିଣା ଦେବାଭଳି ଉତ୍ସର୍ଗୀକୃତ ମନୋଭାବ ରଖିଥିବା ଶିଷ୍ୟ, ଆମ ସମାଜରେ ଖୁବ୍ କମ୍ ଦେଖିବାକୁ ମିଳିବେ । ଯାହାର ଉଦାହରଣ, ବାଲାଜୀ ଗୁରୁଜୀ ।

ଆହୁରି ପଢନ୍ତୁ: ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପାଠ ପ୍ରତି ଆକୃଷ୍ଟ କରିବାର ଯେଉଁ ନିଆରା ପଦକ୍ଷେପ, ଅନ୍ୟଙ୍କ ପାଇଁ ଉଦାହରଣ