ଗ୍ରାମ୍ୟ ପରିବେଶ ଓ ଗାଁ ହାଟର ମହକ ନିଆରା: ଏଇ ଯେମିତି ବାଲେଶ୍ଵର ଉପକଣ୍ଠର କୁରୁଡ଼ା ହାଟ

ବାଲେଶ୍ୱର(କେନ୍ୟୁଜ୍‌): ସମୟ ସାଙ୍ଗରେ ବଦଳିଛି ସହରୀ ଜୀବନଚର୍ଯ୍ୟା । ଆଉ ତା ସାଙ୍ଗକୁ ଦୈନନ୍ଦିନ ଜୀବନର ସମସ୍ତ ଆବଶ୍ୟକତାକୁ ମେଣ୍ଟାଇଲା ଭଳି ଦ୍ରବ୍ୟ ଓ ସାମଗ୍ରୀ ମଧ୍ୟ ଉପଲବ୍ଧ ହେଉଛି ସହରୀ ବଜାରରେ। ହେଲେ ବଜାର ଯେ ସହରବାସୀଙ୍କ ଅନେକ ଆବଶ୍ୟକତା ମେଣ୍ଟାଇ ପାରିବ ତାହା ଭାବିବା ଭୁଲ ! ଆଉ ସେଥିରୁ କିଛି ଆବଶ୍ୟକତା ସବୁ ଗାଁ ହାଟରେ ହିଁ ମିଳେ। ଏବେବି ସହର ତଳି ଅଞ୍ଚଳରେ ଅନେକ ହାଟ ବଞ୍ଚିଛି ଯାହାର ସ୍ଵାଦ ଓ ବାସ୍ନା ସହରବାସୀଙ୍କୁ ଏକ ଗ୍ରାମ୍ୟ ପରିବେଶକୁ ଟାଣି ନେଇ ଆସିବାକୁ ବାଧ୍ୟ କରୁଛି ।

ତେବେ ଏବେ ସନ୍ଧ୍ୟା ହେଲେ ମାଡି ଆସୁଛି ଏଠାରେ ଘନ କୁହୁଡିର ଆସ୍ତରଣ। କୁହୁଡିର ଫାଙ୍କ ଦେଇ କାକର ଭିଜା ସହରର ସଞ୍ଜକୁ ମେଞ୍ଚାଏ ଆଲୋକ ଦେବାକୁ ଯେତେବେଳେ ଅକ୍ଷମ ହେଉଥିଲା ସହରୀ ଷ୍ଟ୍ରିଟ୍ ଲାଇଟ୍, ସେତେବେଳେ ଗାଁର ଚାଳିଆ ହାଟ ଭିତରୁ ବେଶ୍ ଭାସି ଆସୁଥିଲା କୋଳାହଳ। ତଟକା ସହ ଆଉ ଟିକେ ଶସ୍ତା ସାଙ୍ଗକୁ ରକମ୍ ରକମର ପରିବା, ଆଉ ଦୈନନ୍ଦିନ ଆବଶ୍ୟକତା ହେଉଥିବା ବିଭିନ୍ନ ଦ୍ରବ୍ୟ ଓ ସାମଗ୍ରୀ । ସବୁ ଜିନିଷ ଗୋଟିଏ ସ୍ଥାନରେ ଉପଲବ୍ଧ ଆଉ ଗୋଟିଏ ର ଅନେକ ବିକଳ୍ପ କେବଳ ଗ୍ରାମ୍ୟ ହାଟ ରୁ ହିଁ ମିଳିଥାଏ।

ଶିକ୍ଷା ,ସ୍ବାସ୍ଥ୍ୟ ,ଗମନାଗମନ ଓ ଆବଶ୍ୟକତାକୁ ପାଥେୟ କରି ହୁଏତ ମନୁଷ୍ୟ ଗ୍ରାମ୍ୟ ପରିବେଶରୁ ବହାରି ସହରୀ ଜୀବନ ଭିତରେ ନିଜକୁ ସାମିଲ କରେ । ହେଲେ ପରବର୍ତ୍ତୀ ସମୟରେ ଗ୍ରାମ୍ୟ ପରିବେଶ ଓ ଗାଁ ହାଟର ସେଇ ମହକ , ସ୍ଵାଦ ଓ ବାସ୍ନା ତାର ଏହି ସ୍ୱତନ୍ତ୍ରତା ଯୋଗୁଁ ସେଇ ଲୋକମାନଙ୍କୁ ପୁଣି ଟାଣି ଆଣେ। ବାଲେଶ୍ଵର ସହର ଉପକଣ୍ଠ କୁରୁଡ଼ା ହାଟ। ଏହି ହାଟକୁ ସାପ୍ତାହିକ ହାଟ କୁହାଯାଏ । କିନ୍ତୁ ସହର ବାସୀଙ୍କ ଆବଶ୍ୟକତା ଦୃଷ୍ଟିରୁ ସପ୍ତାହର ରବିବାର ଓ ବୁଧବାର ଦୁଇ ଦିନ ସନ୍ଧ୍ୟାରେ ଏହି ହାଟ ଖୋଲେ। ଦୁଇ ବାର ଯାକ ବେଶ୍ କୋଳାହଳ ସହ ଗହଳି ଚହଳି । ବାଲେଶ୍ଵର ସହରର ଅଧିକାଂଶ ଲୋକ ଏହି ହାଟ ଉପରେ ନିର୍ଭରଶୀଳ ।

hatha

ଆଜିକୁ ୨୫ ବର୍ଷ ରୁ ଊର୍ଦ୍ଧ୍ବ ସମୟ ହେବ ହାଟ ଏଠି ଚାଲି ଆସିଛି। ସନ୍ଧ୍ୟା ହେଲେ ସହରୀ ମହିଳା ଓ ପୁରୁଷ ଙ୍କ ସହ ସ୍ଥାନୀୟ ଲୋକ ଭିଡ ଜମେ । ଏଠାରେ ଉପଲବ୍ଧ ପନିପରିବା ଖାଇବାକୁ ସ୍ୱାଦିଷ୍ଠ ଆଉ ତଟକା। କାରଣ ଯେହେତୁ ସ୍ଥାନୀୟ କୃଷକ ମାନେ ସେମାନଙ୍କ ବାଡ଼ି ରୁ ପରିବା ଆଣି ଏହି ହାଟ ରେ ବିକ୍ରି କରନ୍ତି । ଆଉ ଏହି ପନିପରିବା ସବୁ ବଜାରର ଗୋଦାମରେ ପଡିରହିଥିବା ପନିପରିବା ଖାଇବା ଅପେକ୍ଷା ଅଧିକ ସ୍ୱାସ୍ଥ୍ୟକର ଯୋଗୁଁ ଅଧିକାଂଶ ସହର ବାସୀ ଏହି ହାଟ ଉପରେ ନିର୍ଭର କରନ୍ତି । ତେଣୁ ଏଠାରୁ ପରିବା ନେଲାବେଳେ କାହାର ବି ବ୍ୟାଗ ଖାଲି ହୋଇ ଘରକୁ ଫେରେ ନାହିଁ ।

ଶସ୍ତା, ସ୍ଵାଦିଷ୍ଟ ଓ ସ୍ୱାସ୍ଥ୍ୟକର ପରିବା ଯେହେତୁ ଏଠି ମିଳେ ତେବେ ଏଠି କେହି କିଛି କିଣିବାକୁ ସଙ୍କୋଚ ମଧ୍ୟ କରନ୍ତି ନାହିଁ । ଗୋଟିଏ ସ୍ଥାନ ରେ ପରିବା ଠୁ ଆରମ୍ଭ ନିତ୍ୟବ୍ୟବହାର୍ଯ୍ୟ, ମାଛ , ଶୁଖୁଆ , ଷ୍ଟେସନାରୀ, ରାସନ ଭଳି ସବୁ ସାମଗ୍ରୀ ଗୋଟିଏ ସ୍ଥାନରୁ ମିଳିଯାଏ। ଏହା ସାଙ୍ଗକୁ ବ୍ୟବସାୟୀଙ୍କ କୁହାଟ, ଗ୍ରାମ୍ୟ ପରିବେଶ ଭିତରେ ନୂଆଁ ଜୀବନ ଭରିଦିଏ। କେବଳ ବ୍ୟବସାୟ ନୁହଁ ଏହି ଗୋଟିଏ ସ୍ଥାନ ସହରବାସୀ ଓ ଗ୍ରାମବାସୀ ଙ୍କ ଭିତରେ ସମ୍ପର୍କକୁ ସୁଦୃଢ କରିବା ସହ ଚିହ୍ନା ଓ ଅଚିହ୍ନା ଭିତରେ ନୂଆଁ ସମ୍ପର୍କ ଗଢେ ।

ବାଲେଶ୍ଵର ସହର ଉପକଣ୍ଠ କୁରୁଡ଼ା ହାଟକୁ ସହରବାସୀଙ୍କ ସମେତ ପାଖାପାଖି ୫ଖଣ୍ଡ ଗ୍ରାମ ଲୋକମାନେ ସଉଦା ପାଇଁ ଆସନ୍ତି । ଏହାସହ ୫ ରୁ ୬ ଖଣ୍ଡ ଗ୍ରାମର କୃଷକ ସମେତ ଛୋଟ ବଡ ବ୍ୟବସାୟୀ ମନେ ଆସନ୍ତି ବ୍ୟବସାୟ ପାଇଁ । ସପ୍ତାହରେ ଦୁଇ ଦିନରେ ଯାହା ବ୍ୟବସାୟ ହୁଏ ସେତିକିରେ କିଏ ପୁରା ସନ୍ତୁଷ୍ଟ ତ ଆଉ କିଏ ଅଳ୍ପ ସନ୍ତୁଷ୍ଟ ତଥାପି ଗ୍ରାମ୍ୟ ପରିବେଶ ଭିତରେ ନିଜର ଜୀବନ ଜୀବିକାକୁ ବଞ୍ଚାଇବା ପାଇଁ ସମସ୍ତେ ଅହରହ ସଂଗ୍ରାମ ଜାରି ରଖିଛନ୍ତି । ମୋଟାମୋଟି ଭାବରେ କହିବାକୁ ଗଲେ ସହର ଯେତେ ଆଧୁନିକତା ହେଉ ଅବା ସମସ୍ତ ଆବଶ୍ୟକତା କୁ ପୂରଣ କରି ପାରୁଥାଏ। ତଥାପି ସେଠି ଏଭଳି କିଛି ଆବଶ୍ୟକତା ରହିଛି ଯାହାର ସ୍ଵାଦ ,ବାସ୍ନା କେବଳ ଗ୍ରାମ୍ୟ ପରିବେଶ ଓ ଗାଁ ହାଟରେ ହିଁ ମିଳିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.