ଚୋର ଘର ସବୁବେଳେ ଅନ୍ଧାର ନୁହେଁ, ଏହାକୁ ସତ କରି ଦେଖାଇଛନ୍ତି ତୁମୁଡିବନ୍ଧ ପୋଲିସ

ବାଲିଗୁଡା: ଅନେକ ଦିନ ହେବ ମାତିଥିଲେ ୫ ଜଣିଆ ମାସ୍କ ପିନ୍ଧା ଲୁଟେରା ଗ୍ୟାଙ୍ଗ । କେତେବେଳେ କାହାକୁ ବନ୍ଧୁକ ତ କାହାକୁ ଭୁଜାଲି ଦେଖାଇ କରୁଥିଲେ ଲୁଟପାଟ୍ । ପୋଲିସ୍ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଥିଲେ ଏହି ଲୁଟେରା ଗ୍ୟାଙ୍ଗ । ପୋଲିସକୁ ଭୁଆଁ ବୁଲାଇ ଲୁଟି ଚାଲିଥିଲେ ସୁନା ରୂପା ଟଙ୍କା ପଇସା । କିନ୍ତୁ କୁହାଯାଏ ନା ଚୋର ଘର ସବୁବେଳେ ଅନ୍ଧାର ନଥାଏ । ସେମିତି ହିଁ ଘଟଣା ଆପଣଙ୍କ ଆଖି ସାମ୍ନାକୁ ଆଜି ଆଣିଛୁ । ତୁମୁଡିବନ୍ଧ ଥାନା ଅଞ୍ଚଳରେ ଦୀର୍ଘ ଦୁଇ ମାସ ଧରି ଆତଙ୍କ ଖେଳେଇଥିବା କୁଖ୍ୟାତ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛି ତୁମୁଡିବନ୍ଧ ପୋଲିସ ।
ତୁମୁଡିବନ୍ଧ ଥାନା ଅଞ୍ଚଳରେ ଏହି ଡକାୟତି ଗ୍ୟାଙ୍ଗ ମାସ୍କ ପିନ୍ଧି ବନ୍ଧୁକ ମୁନରେ ଡକାୟତି କରିବା ସହ ଭୁଜାଲି ଦେଖାଇ ଠିକାଦାର ଓ ବ୍ୟବସାୟୀ ଘରେ ପଶି ଡକାୟତି କରୁଥିଲେ । ଏହି କୁଖ୍ୟାତ ଡକାୟତି ଗ୍ୟାଙ୍ଗର ମୋଟ ୫ ଜଣ ଦୁର୍ଦାନ୍ତ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଏହି ୫ ଜଣିଆ ଗ୍ୟାଙ୍ଗ ତୁମୁଡିବନ୍ଧ ଅଞ୍ଚଳରେ ମାସ୍କ ପିନ୍ଧି ଭୁଜାଲି ଓ ବନ୍ଧୁକ ମୁନରେ ଡକାୟତି କରିବା ପରେ ମୁନିଗୁଡା ଅଞ୍ଚଳର ବିଭିନ୍ନ ଜଙ୍ଗଲରେ ଯାଇ ଆତ୍ମଗୋପନ କରୁଥିଲେ ।
ତେବେ କୋଟଗଡ଼ରୁ ଏହି ଗ୍ୟାଙ୍ଗ ମୁନିଗୁଡା ଯାଉଥିବା ସମୟରେ ପୋଲିସ କାବୁ କରି ଗିରଫ କରିଥିବା ନେଇ ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି । ଏହି ୫ ଡକାୟତିଙ୍କ ଠାରୁ ୧୫୦ ଗ୍ରାମ ସୁନା ଅଳଙ୍କାର, ୧୬ ଗ୍ରାମ ରୁପା ଅଳଙ୍କାର ସମେତ ନଗଦ ୩୩,୩୦୦ ଟଙ୍କା, ଦୁଇଟି ମୋବାଇଲ ଓ ପାଞ୍ଚଟି କଳା ମାସ୍କ ଜବତ କରିଛି ତୁମୁଡିବନ୍ଧ ପୋଲିସ । ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ମଧ୍ୟ ଚୋରି ଡକାୟତି ନେଇ ବିଭିନ୍ନ ଥାନାରେ ମାମଲା ରହିଥିବା ମଧ୍ୟ କହିଛନ୍ତି ବାଲିଗୁଡା ଏସଡ଼ିପିଓ ।
ଗିରଫ ୫ ଅଭିଯୁକ୍ତ ହେଲେ ତୁମୁଡିବନ୍ଧ ଥାନା ମାଲିପଡ଼ାର ପ୍ରିୟ ରଞ୍ଜନ ମଣ୍ଡଳ, ମୋତିରାମ ପରାସେଟ, ବୁଡ଼ାପଡାର ପିଙ୍କୁ ନାୟକ, ଶଗଡ଼ିଆ ସାହିର ରିଚାର୍ଡ ନାୟକ ଓ ଦାରିଙ୍ଗିବାଡ଼ି ଥାନା କୁପିବାଡ଼ି ର ଜନକ ନାୟକ । ତେବେ ଗିରଫ ୫ ଅଭିଯୁକ୍ତଙ୍କ ବହୁତ ବଡ଼ ନେଟୱର୍କ ରହିଥିବା ବେଳେ ଏହି ଗ୍ୟାଙ୍ଗରେ ଆଉ କେହି ସାମିଲ ରହିଛି ସେ ନେଇ ଅଧିକ ତଦନ୍ତ ଜାରୀ ରହିଥିବା କହିଛନ୍ତି ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ । ଦୀର୍ଘ ୨ ମାସ ଧରି ପୋଲିସର ନିଦ ହଜାଇ ଦେଇଥିବା ଏହି ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ତୁମୁଡିବନ୍ଧ ପୋଲିସ ।