୧୯୪୭ ନଭେମ୍ବର ୧୨ରେ ରେଡିଓ ଭାଷଣରେ କାହାକୁ ଓ କଣ କହିଥିଲେ ବାପୁ, ଜାଣନ୍ତୁ

ଆଜି ନଭେମ୍ବର ମାସ ୧୨ ତାରିଖ । ୧୯୪୭ ମସିହାର ଏହି ଦିନ ବେଳକୁ ଭାରତ ସ୍ବାଧୀନ ହୋଇ ସାରିଥିଲା । ତେବେ ଦେଶ ଦୁଇ ଭାଗ ହୋଇଥିବାରୁ ତାର ଦୁଃଖରେ ମ୍ରିୟମାଣ ଥିଲା ଭାରତ ମାତା । ଏହି ସମୟରେ ଉଭୟ ଭାରତ ଓ ପାକିସ୍ତାନ ସୀମାରେ ଜମା ହୋଇଥିଲେ ଲକ୍ଷ ଲକ୍ଷ ଶରଣାର୍ଥୀ । ଭାରତରୁ ପାକିସ୍ତାନକୁ ଓ ପାକିସ୍ତାନରୁ ଭାରତକୁ ଛୁଟି ଆସୁଥିଲେ ଲୋକେ । ତା ଭିତରେ ଚାଲିଥିଲା ଶତ୍ରୁତା । ଲୋକେ ପରସ୍ପରକୁ ହତ୍ୟା କରୁଥିଲେ । ଲୁଟ୍ ତରାଜ ବି ଚାଲିଥିଲା । କେବଳ ହରିଆଣାର କୁରୁକ୍ଷେତ୍ରରେ ଜମା ହୋଇଥିଲେ ପ୍ରାୟ ଅଢ଼େଇ ଲକ୍ଷ ଶରଣାର୍ଥୀ । ଏମାନେ ଅତ୍ୟନ୍ତ କଷ୍ଟରେ ଜୀବନ ଜିଉଥିଲେ । ଏହି ସମୟରେ ସେମାନଙ୍କ ଜୀବନ ଯନ୍ତ୍ରଣାକୁ ଅନୁଭବ କରି ଜାତିର ପିତା ମହାତ୍ମା ଗାନ୍ଧୀ ସେମାନଙ୍କ ଉଦ୍ଦେଶ୍ୟରେ ରେଡିଓରେ ଭାଷଣ ଦେଇଥିଲେ । ପାକିସ୍ତାନରୁ ଆସିଥିବା ଏହି ଶରଣାର୍ଥୀଙ୍କ ପାଇଁ ବାପୁଙ୍କ ଭାଷଣ ମଲମ ଭଳି କାମ ଦେଇଥିଲା ।
ବାପୁ ତାଙ୍କ ଭାଷଣରେ କହିଥିଲେ ‘‘ମୋର ଦୁଃଖୀ ଭାଇ ଭଉଣୀମାନେ । ମୁଁ ଜାଣେନା ମୋର ଏଇ କଥାକୁ ଆପଣମାନଙ୍କ ବ୍ୟତୀତ ଆଉ କେହି ଶୁଣୁଛନ୍ତି କି ନାହିଁ । ବର୍ତ୍ତମାନର ପରିସ୍ଥିତି ମୋ ପାଇଁ ସମ୍ପୂର୍ଣ୍ଣ ନୂଆ । ତେବେ ଦୁଃଖ ସହିତ ମିଶି ଚାଲିବା ପାଇଁ ମୁଁ ସାରା ଜୀବନ ପ୍ରଚେଷ୍ଟା କରିଛି । ଏବେ ଆପଣମାନଙ୍କ ଦୁଃଖ କଥା ଶୁଣି ମୁଁ ବହୁତ ବ୍ୟଥିତ । ଇଚ୍ଛା ହେଉଛି ଆପଣମାନଙ୍କ ପାଖରେ ପହଞ୍ଚିଯିବାକୁ । ଏଭଳି ଘଡ଼ସନ୍ଧି ମୁହୂର୍ତ୍ତରେ ଆପଣମାନେ ଏକଜୁଟ ହୋଇ ରୁହନ୍ତୁ’’ ।
କୁରୁକ୍ଷେତ୍ରରେ ଜମା ହୋଇଥିବା ଶରଣାର୍ଥୀଙ୍କ ଆଗରେ ଗୋଟିଏ ରେଡିଓ ଏବଂ ତା ଆଗରେ ମାଇକ୍ରୋଫୋନ୍ ରଖା ଯାଇଥିଲା । ସେହି ରେଡିଓରୁ ଆସୁଥିବା ଭାଷଣକୁ ମାଇକ୍ ଯୋଗେ ସମସ୍ତଙ୍କୁ ଶୁଣା ଯାଇଥିଲା । ଅଲ ଇଣ୍ଡିଆ ରେଡିଓରେ ଏହା ଥିଲା ବାପୁଙ୍କ ପ୍ରଥମ ଭାଷଣ । ମହାତ୍ମା ଗାନ୍ଧୀ ପ୍ରାୟ ୨୦ ମିନିଟ୍ ଧରି ଭାଷଣ ଦେଇଥିଲେ । ଆଉ ଲକ୍ଷ ଲକ୍ଷ ଲୋକ ସ୍ତବଧ, ନିରବ ହୋଇ ତାଙ୍କ ଭାଷଣ ଶୁଣିଥିଲେ । ବାପୁ ନୂଅଦିଲ୍ଲୀ ସ୍ଥିତ ବ୍ରଡକାଷ୍ଟିଂ ହାଉସକୁ ଯାଇ ସେଠାରେ ମାଇକ୍ରୋଫୋନ୍ ଧରି ଭାଷଣ ଦେଇଥିଲେ । ସେଥିଲାଗି ନଭେମ୍ବର ୧୨ ତାରିଖକୁ ପବ୍ଳିକ ସର୍ଭିସ ବ୍ରଡକାଷ୍ଟିଂ ଡେ ବା ସାର୍ବଜନିକ ସେବା ପ୍ରସାରଣ ଦିବସ ଭାବେ ପାଳନ କରାଯାଉଛି ।
ଶୁଣନ୍ତୁ ବାପୁଙ୍କର ସେହି ଦରଦି ଭାଷଣ ।
Courtesy : akashvaniair