ଦାଦାକୁ ମାରିଲା ପୁତୁରା, ଏକ ବର୍ଷ ପରେ ବାପାଙ୍କୁ ହୋଇଥିବା ଅପମାନର ପ୍ରତିଶୋଧ ନେଲା ପୁଅ

ହୋଲି ଯୋଡ଼ିଥାଏ ସମ୍ପର୍କ । ହେଲେ ଏଇ ହୋଲିରେ ରକ୍ତ ସମ୍ପର୍କରେ ବହିଲା ରକ୍ତ । ଘଟିଲା ବୀଭତ୍ସ ହତ୍ୟାକାଣ୍ଡ । ଦାଦାର ରକ୍ତରେ ହୋଲି ଖେଳିଲା ପୁତୁରା । ବାପାଙ୍କୁ ହୋଇଥିବା ଅପମାନର ପ୍ରତିଶୋଧ ନେଲା ପୁଅ । ତାହା ପୁଣି ବର୍ଷେ ପରେ । ଏ ବର୍ଷ ହୋଲିରେ ନେଲା ଗତବର୍ଷ ହୋଲିରେ ହୋଇଥିବା ଅପମାନର ପ୍ରତିଶୋଧ । ଦିନ ଦ୍ଵିପହରରେ ଘରେ ପଶି କଲା ଛୁରା ମାଡ । ସମ୍ପର୍କୀୟ ପୁତୁରାର ଛୁରା ମାଡରେ ଦାଦା ମୃତ । ହୋଲି ଦିନ ବାରିପଦା ସହରରେ ଘଟିଥିବା ଏଭଳି ବିଭତ୍ସ ହତ୍ୟାକାଣ୍ଡ ଏବେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

ପୂର୍ବ ଶତୃତାକୁ ନେଇ ଦାଦାକୁ ଛୁରୀ ମାରି ଦେଲା ପୁତୁରା । ତାହା ପୁଣି ଦାଦା ଯେତେବେଳେ ଖାଇ ବସିଥିଲେ । ବାରିପଦା ସହର ଭଞ୍ଜପୁର ଥାନା ୩ ନମ୍ୱର ୱାର୍ଡ ଫରେଷ୍ଟ କଲୋନୀରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଜଣକ ହେଲେ ସ୍ନେହାଶିଷ ପଣ୍ଡା ଓରଫ୍ ଟିକୁଲୁ । ସିସିଟିଭି ଆଧାରଣରେ ଅଭିଯୁକ୍ତ ହିମାଂଶୁ ମହାକୁଡକୁ ଗିରଫ କରିଛି ପୋଲିସ । ଯାହାପରେ ସମସ୍ତ ଘଟଣା ବଖାଣିଛି ଅଭିଯୁକ୍ତ । ଗତ ବର୍ଷ ହୋଲି ଦିନରେ ତାର ବାପାଙ୍କୁ ଅପମାନ ଦେଇଥିଲେ ସମ୍ପର୍କୀୟ ଦାଦା । ସେହିଦିନ ଠାରୁ ରାଗ ରଖିଥିଲା ହିମାଂଶୁ ।

ଆଉ ତାର ପ୍ରତିଶୋଧ ନେବାକୁ ଏଭଳି କାଣ୍ଡ ଘଟାଇଥିବା ସ୍ଵୀକାର କରିଛି ଅଭିଯୁକ୍ତ । ଦିନ ପ୍ରାୟ ୧୦ଟା ସମୟରେ ଦାଣ୍ଡ ଘରେ ବସି ଖାଉଥିଲେ ସ୍ନେହାଶିଷ । ସେହି ସମୟରେ ହଠାତ ପୁତୁରା ହିମାଂଶୁ ଘର ଭିତରକୁ ପଶି ଆସି ଦାଦାଙ୍କୁ ଏକ ମୋବାଇଲ ନମ୍ୱର ମାଗିଥିଲେ । ଆଉ ଦାଦା ବା କାହିଁକି ଭାବିବେ ପୁତୁରା କେଉଁ ଉଦ୍ଦେଶ୍ୟରେ ଆସିଛଇ ? ସେ ମୋବାଇଲ ନମ୍ୱର ଖୋଜିବା ବେଳେ ତାଙ୍କୁ ଆତର୍କିତ ଆକ୍ରମଣ କରିଥିଲା ଅଭିଯୁକ୍ତ ପୁତୁରା ହିମାଂଶୁ ।

ବାରମ୍ବାର ଚାକୁ ମାରି କେହି କିଛି ବୁଝିବା ପୂର୍ବରୁ ଆଖି ପିଛୁଳାକେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ । ସ୍ନେହାଶିଷର ଚିତ୍କାର ଶୁଣି ଝିଅ ଓ ସ୍ତ୍ରୀ ଦୌଡି ଆସି ଦେଖିଲା ବେଳକୁ ଟଳି ପଡିଥିଲେ ସ୍ନେହାଶିଷ । ପରିବାର ଲୋକେ ତୁରନ୍ତ ପୋଡଶୀଙ୍କୁ ଡାକି ପୋଲିସକୁ ଖବର ଦେଇଥିଲେ ଆଉ ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ହେଲେ ସେତେବେଳେକୁ ସବୁ ସରି ଯାଇଥିଲା । ମେଡିକାଲରେ ଡାକ୍ତର ସ୍ନୋଶିଷଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଆଶ୍ଚର୍ଯୟର କଥା ହେଉଛି କି ହିମାଂଶୁ ଏତେ ଶୀଘ୍ର ଆକ୍ରମଣ କରି ଫେରାର ହୋଇ ଯାଇଥିଲା ଯେ ସ୍ନେହାଶିଷଙ୍କ ଘର ଲୋକ ଜାଣି ପାରିଲେ ନାହିଁ କି କିଏ ଓ କାହିଁକି ତାଙ୍କୁ ମାରିଲା ବୋଲି । ତେବେ ପରେ ପୋଲିସ ସିସିଟିଭି ଦେଖି ଅଭିଯୁକ୍ତକୁ ଚିହ୍ନଟ କରିଥିଲା । ଏହା ପରେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ୪ଟି ଟିମ୍ ଗଠନ କରିଥିଲା । ଆଉ ଶେଷରେ ନିଜ ଘରୁ ହିଁ ଅଭିଯୁକ୍ତକୁ ଧରିଥିଲା ପୋଲିସ । ଅଭିଯୁକ୍ତକୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିବା ପରେ ସିନ୍ ରିକ୍ରିଏସନ୍ କରାଇଥିଲା ।

ଆଉ ହିମାଂଶୁ ଦେଖାଇଥିଲା କିଭଳି ଭାବେ ସେ ନିଜ ଦାଦାଙ୍କୁ ମାରିଥିଲା । ଏହାପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା । ବାରିପଦା ଭଞ୍ଜପୁର ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଥିଲା । ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ୍ କରିଛି ପୋଲିସ । ତେବେ ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

Also read: ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ, ସ୍ତ୍ରୀକୁ ଇଟାରେ ଛେଚି ହତ୍ୟା କଲା ସ୍ୱାମୀ