ଗ୍ରାମବାସୀଙ୍କ ସହ ବନ୍ଧୁ ବାନ୍ଧିଛନ୍ତି ବାଦୁଡି, ଏମାନେ ଗାଁରେ ରହୁଥିବାରୁ ବିପଦ ଆସୁନାହିଁ

ଘଟଗାଁ: ଲୁପ୍ତ  ହୋଇଯାଉଥିବା ଉଡନ୍ତା ପ୍ରାଣୀ ବାଦୁଡ଼ି ସହ ବନ୍ଧୁତା ବାନ୍ଧିଛି ଏକ ଗାଁ । ଗାଁରେ ରହୁଥିବା ହଜାର ହଜାର ସଂଖ୍ୟାର ବାଦୁଡିଙ୍କ ପାଇଁ ଆହାର ଯୋଗାଉଛନ୍ତି ଗାଁ ଲୋକେ । ତେବେ ଏହି ବାଦୁଡ଼ିମାନଙ୍କୁ ସୁରକ୍ଷା ଦେଉଛନ୍ତି ଘଟଗାଁ ବ୍ଲକର ହଳଧରପୁର ଗ୍ରାମବାସୀ । କାହିଁ କେଉଁ ଅନାଦି କାଳରୁ ବାଦୁଡି ଏହି ଗାଁରେ ରହୁଛନ୍ତି ତାର ହିସାବ ନାହିଁ । ଗାଁକୁ କୌଣସି ବିପଦ ଆସୁନଥିବା ବିଶ୍ବାସରେ ଗ୍ରାମବାସୀ ବାଦୁଡି ଶିକାରକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି ।

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକର ହଳଧରପୁର ଗାଁ ଟେରାକୋଟା ପାଇଁ ରାଜ୍ୟରେ ନାମ କରିଥିବା ବେଳେ ଗାଁରେ ରହୁଥିବା ବାଦୁଡି ପାଇଁ ସୃଷ୍ଟି ହୋଇଛି ଅନ୍ୟ ଏକ ସ୍ବତନ୍ତ୍ର ପରିଚୟ । ସଂନ୍ଧ୍ୟା ହେଲେ ଖାଦ୍ୟ ସଂନ୍ଧାନରେ ଯାଇ ଭୋରୁ ଭୋରୁ ଗାଁକୁ ଫେରି କିଚିରି ମିଚିରି ଶବ୍ଦରେ ବାଦୁଡିମାନେ ଗ୍ରାମବାସୀଙ୍କୁ ନିଦରୁ ଉଠାଇଥାନ୍ତି ।  ଦିନ ସାରା ଗାଁ ନିକଟସ୍ଥ ଗଛ ଗୁଡିକରେ ଝୁଲି ରହୁଥିବା ହଜାର ହଜାର ସଂଖ୍ୟାର ବାଦୁଡି ଗାଁରେ ସୃଷ୍ଟି କରିଥାନ୍ତି ଏକ ନିଆରା ପରିବେଶ । ଗାଁରେ କେବେ ଠାରୁ ବାଦୁଡି ରହି ଆସୁଛନ୍ତି ବୟଷ୍କ ଲୋକମାନେ ବି ହିସାବ ରଖିନାହାନ୍ତି । ଶୀକାରି ଦାଉରୁ ସେମାନଙ୍କୁ ସୁରକ୍ଷା ଦେଇ ଆସୁଥିବା ବେଳେ ଏଠାକାର ଲୋକେ ବାଦୁଡିମାନଙ୍କୁ କେବେ ଘଉଡାଇବା ପାଇଁ ମଧ୍ୟ ଅପଚେଷ୍ଟା କରିନାହାଁନ୍ତି ।

କିନ୍ତୁ ଖରାଦିନ ଆସିଲେ ବାଦୁଡିମାନଙ୍କ ସୁରକ୍ଷା ନେଇ ଗ୍ରାମବାସୀଙ୍କ ଚିନ୍ତା ବଢିଯାଏ । ପ୍ରଚଣ୍ଡ ରୌଦ୍ରତାପ ଓ ପାଣିର ଅଭାବ କାରଣରୁ ଅଶୁଂଘାତର ଶିକାର ହୋଇ ଶହ ଶହ ସଂଖାରେ ବାଦୁଡି ମରିଯାନ୍ତି ।  ବାଦୁଡିମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ସ୍ବତନ୍ତ୍ର ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି । ଏପଟେ ଘଟଗାଁ ରେଞ୍ଜର ଖରାଦିନରେ ବାଦୁଡିମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ପରିବର୍ତ୍ତନଶୀଳ ପରିବେଶରେ ଧିରେ ଧିରେ ଅନେକ ପ୍ରାଣୀ ଲୋପ ପାଇବାକୁ ବସିଲେଣି । ଖାଦ୍ୟ ଅଭାବ ହେଉ କିମ୍ବା ପରିବେଶ ସହ ଖାପ ଖୁଆଇ ନପାରି ନାନାଦି କାରଣରୁ ପଶୁ ପକ୍ଷୀ ଲୁପ୍ତ ହୋଇ ଗଲେଣି । ସେହିପରି ବାଦୁଡି ବି ଏବେ ଖୁବ କମ ସଂଖ୍ୟାରେ ଦେଖିବାକୁ ମିଳୁଛି । କିନ୍ତୁ ଏହି ଗାଁରେ ବାଦୁଡି ରହିବା ଦିନ ଠାରୁ ଗାଁର ସମସ୍ତ ବିପଦ ଦୂରେଇ ଯାଉଥିବା ଗ୍ରାମବାସୀ ବିଶ୍ବାସ ରଖିଛନ୍ତି । ତେଣୁ ଏହି ବାଦୁଡ଼ିମାନଙ୍କ ସହ ଏକ ବନ୍ଧୁତା ସମ୍ପର୍କରେ ଯୋଡି ହୋଇଯାଇଛନ୍ତି ଗାଁ ଲୋକେ ।

Also Read: ବାଦୁଡ଼ି ସୁରକ୍ଷା ପାଇଁ ନିଜକୁ ସମର୍ପିତ କରିଛନ୍ତି ଗାଁ ଲୋକେ, ବାଦୁଡ଼ି ଦେଖିବାକୁ ଲୋକଙ୍କର ଜମୁଛି ଭିଡ଼