ବର୍ଷା ଦିନେ କଳିଙ୍ଗା ଘାଟିର ସୌନ୍ଦର୍ଯ୍ୟ ଉଟି-ମନାଲିଠାରୁ ବି କିଛି କମ୍ ନୁହେଁ

ଫୁଲବାଣୀ: ନୈସର୍ଗିକ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କହିଲେ କନ୍ଧମାଳକୁ ବୁଝନ୍ତି । ଶୀତ ଦିନ ଆସିଲେ ସମସ୍ତଙ୍କର ମନେପଡେ କନ୍ଧମାଳ କଥା । ଆଉ ଭୋଜି ଋତୁ ଆସିଲେ ମନେପଡେ କନ୍ଧମାଳକୁ । ଆଉ ବର୍ଷା ଦିନ ଆସିଲେ ଓଡିଶାର ଏକମାତ୍ର ସ୍ଥାନ କନ୍ଧମାଳର କଳିଙ୍ଗାଘାଟିକୁ ଯେମିତି ସଭିଏଁ ଝୁରି ହୁଅନ୍ତି । ବର୍ଷା ଦିନେ କଳିଙ୍ଗା ଘାଟିର ସୌନ୍ଦର୍ଯ୍ୟ ଉଟି ମସୁରି , ଡେରାଡୁନ ଓ ମନାଲି ଠାରୁ ବି କିଛି କମ୍ ନୁହେଁ ।

ଏଠାରେ ଦେଖିବେ ପାହାଡ ଓ ମେଘର ଲୁଚକାଳି ଖେଳକୁ ଭାସମାନ ବାଦଲ ପାହାଡରେ ପିଟି ହେବାର ଦୃଶ୍ୟ । ମେଘକୁ ହାତ ପାଆନ୍ତାରେ ପାଇବାର ଅନୁଭୂତି ଓ ମେଘ ଭିତରୁ ଗାଡି ଗୁଡିକ ବାହାରୁ ଥିବାର ଦୃଶ୍ୟ ମନକୁ ଯେମିତି ମୋହିନିଏ । ଗିରିରାଜ କିମ୍ବା ଘାଟିରାଜ କଳିଙ୍ଗା ଓଡିଶାର ସବୁଠାରୁ ସୌନ୍ଦର୍ଯ୍ୟମୟ ଘାଟି ପାଇଁ ବେଶ୍ ପରିଚିତ । ତାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସେ ବେଶ୍ ଜଣାଶୁଣା । ବର୍ଷା ଦିନ ଆସିଲେ କଳିଙ୍ଗାଘାଟିର ସୌନ୍ଦର୍ଯ୍ୟ ଦ୍ଵିଗୁଣିତ ହୋଇଯାଏ ।

ମେଘ ପାହଡର ଲୁଚକାଳି ଖେଳ, ଆଉ ମେଘ ସବାରୀରେ ବସି କଳିଙ୍ଗାର ପାହାଡ ଗୁଡିକ ଯେପରି ଆକାଶରେ ସବାରି କରୁଛନ୍ତି ଏବଂ ଭାସମାନ ବାଦଲ ଗୁଡିକ ଆସି ସେମାନଙ୍କୁ ପିଟି ହୋଇ ଯାଉଛନ୍ତି ତାହାକୁ ଦେଖିଲେ ଲାଗେ ସତେ ଯେପରି ଗାଡି ମୋଟର ଗୁଡିକ ରାସ୍ତାରୁ ନୁହେଁ ମେଘ ଭିତରୁ ବାହାରି ଆସୁଛନ୍ତି । ଆଉ ବାଦଲ ଖଣ୍ଡକୁ ହାତ ପାହାନ୍ତାରେ ଧରିବାର ଅନୁଭବ ସବୁଠାରୁ ନିଆରା । ଯେ କୌଣସି ଯାତ୍ରୀ ସେପଟେ ଗଲେ ଗାଡି ରଖି ତାର ମଜା ନେବାପାଇଁ କିମ୍ବା ସେଲଫି ନେବାକୁ ଭୁଲନ୍ତି ନାହି । କଲିଙ୍ଗା ଘାଟିକୁ ଆପଣ ଯେତେ ଦେଖୁଥିବେ ପ୍ରତି ଥର ନୂଆ ଲାଗୁଥିବ । ବୋଧେ ଏହି କାରଣ ପାଇଁ ସୁପର ହିଟ ହିନ୍ଦୀ ଚଳଚିତ୍ର ଭିଗୀ ପଲକେ ଏଠାରେ ସୁଟିଙ୍ଗ ହୋଇଥିଲା ।

ଏପଟେ ଏଠାକାର ରାତ୍ରୀ ସମୟର ଦୃଶ୍ୟ ମଧ୍ୟ ଆହୁରି ମନ ମୁଗ୍ଧକର। ଘାଟିର ଦୁଇ କଡରେ ଲଗାଯାଇଥିବା ରେଡିୟମ ଗୁଡିକରେ ଗାଡିର ଲାଇଟ ପଡିଲେ ରାସ୍ତାଟି ଝଲସି ଉଠେ । ଆଉ ଲାଇଟ ଗୁଡିକରେ ମେଘ ମାଳା ପିଟି ହୋଇ କୁହୁଡିର ଭ୍ରମ ସୃଷ୍ଟି କରେ ।

କଳିଙ୍ଗା ଘାଟି ଓଡିଶାର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ନାହିଁ, କିନ୍ତୁ ଓଡିଶାର ପର୍ଯ୍ୟଟକ ଏହାକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେଇ ସାରିଛନ୍ତି । ସରକାର ଯଦି ଏହାର ଆନୁସଙ୍ଗିକ ସୁବିଧା ଯଥା ପାଣି, ଆଲୁଅ, ଆଶ୍ରୟ ସ୍ଥଳ ,ୱାଚ ଟାୱାର ନିର୍ମାଣ କରିଦିଅନ୍ତେ ଆହୁରି ପର୍ଯ୍ୟଟକ କଳିଙ୍ଗା ଘାଟିକୁ ଆସି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପୋଭଗ କରିପାରନ୍ତେ ।