ପୁଣି ପୁନରାବୃତି ହେଲା ଛାତି ଥରା ଘଟଣା, ଭୟଭୀତ ଅବସ୍ଥାରେ ଟ୍ରେନ୍ ଯାତ୍ରୀ

ଦିନ ୧୨ ଟା ବାଜିବାକୁ ମାତ୍ର କିଛି ମିନିଟ୍ ବାକି ଥାଏ । ହଠାତ ଚୌଦ୍ବାର-ମଙ୍ଗୁଳି ଷ୍ଟେସନ ଥରି ଉଠିଲା । କାହିଁକି ନା ପୁଣି ପୁନରାବୃତି ହେଲା ଛାତି ଥରା ଘଟଣା । ଲାଇନ୍ଚ୍ୟୁତ ହେଲା କାମାକ୍ଷା ଏକ୍ସପ୍ରେସ୍ । ଟ୍ରେନ୍ ଭିତରେ ଥିବା ଯାତ୍ରୀ କିଛି ବୁଝି ପାରୁ ନଥାନ୍ତି । କ୍ଷତାକ୍ତ ହୋଇ ଟ୍ରେନ୍ ଭିତରେ ପଡ଼ିଥିଲେ ଯାତ୍ରୀ । ଅନ୍ୟ ଯାତ୍ରୀମାନେ ଆହତ ଯାତ୍ରୀଙ୍କୁ ଉଦ୍ଧାର କଲେ । ଘଟଣାସ୍ଥଳରେ ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କଲା । କିନ୍ତୁ ଏହାରି ଭିତରେ ଦୁଃଖଦ ଖବର ଆସିଛି । ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ପ୍ରାଣ ବାୟୁ ଉଡ଼ିଯାଇଛି ।
ସୂଚନା ଅନୁସାରେ ଆଜି ଦିନ ଦ୍ବିପ୍ରହରରେ ଚୌଦ୍ଵାର ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ବେଙ୍ଗାଲୁରୁ- କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିଲା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ପରେ ଭୟଭୀତ ହୋଇପଡିଛନ୍ତି ଲୋକେ । ୧୧. ୫୪ ମିନିଟ୍ ସମୟରେ ବେଙ୍ଗାଲୁରୁ-ଗୌହାଟୀ କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିଲା । ପାଖାପାଖି ୧୧ ଟି ବଗି ଲାଇନ୍ ଚ୍ୟୁତ ହୋଇଥିବା ନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି । ଟ୍ରେନ୍ର ବି-୬ରୁ ବି-୧୪ ପର୍ଯ୍ୟନ୍ତ ବଗି ଟ୍ରାକ୍ରୁ ଖସିପଡ଼ିଥିଲା । ନିକଟରେ ଥିବା ଜଙ୍ଗଲ ଏବଂ ବିଲକୁ ଟ୍ରେନ୍ର ବଗି ଗୁଡ଼ିକ ଟ୍ରାକ୍ରୁ ଖସି ମାଡ଼ି ଯାଇଥିଲା, ଫଳରେ ଅନେକ ଯାତ୍ରୀ ଟ୍ରେନ୍ରୁ ଡେଇଁ ପଡିଥିଲେ । ଏଥିପାଇଁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ଏହି ଲାଇନ୍ରେ ଆସିବାକୁ ଥିବା ଅନ୍ୟ ଟ୍ରେନ୍ଗୁଡିକୁ ବାତିଲ କରିଦିଆଯାଇଥିବା ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି । ଅଟକି ରହିଥିବା ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି ।
ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣା ପରେ ତିନିଟି ଟ୍ରେନର ଗତିପଥ ବଦଳିଛି । ଡାଉନ ଲାଇନରେ ଦୁର୍ଘଟଣା ହୋଇଛି । ରିଷ୍ଟୋରେସନ କାମ ଶୀଘ୍ର ଶେଷ କରିବା ଲକ୍ଷ୍ୟ ରହିଛି । ଅନ୍ୟପଟେ କିଛି ଯାତ୍ରୀ ଆହତ ହୋଇଥିବାରୁ ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ପ୍ରବଳ ଖରା ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପିଇବା ପାଣି ମିଳୁନଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି ।
ଏହି ଟ୍ରେନ୍ ଦୁର୍ଘଟଣାରେ ଜଣେ ଯାତ୍ରୀ ମୃତ ହୋଇଥିବାବେଳେ ୬ ଆହତ ଏସସିବିରେ ଚିକିତ୍ସାଧୀନ ଅଛନ୍ତି । ଆରପିଏଫ, ଏନଡିଆରଏଫ ଓ ଅଗ୍ନିଶମ ଟିମ୍ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଟ୍ରେନରୁ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ଏସସିବିରେ ୬ ଜଣ ଚିକିତ୍ସାଧୀନ ଅଛନ୍ତି । ଦୁର୍ଘଟଣା ସମୟରେ ଖରା ଅଧିକ ଥିବାରୁ କିଛି ଯାତ୍ରୀ ଅଚେତ ହୋଇ ପଡିଥିଲେ । ଉଦ୍ଧାର ହୋଇଥିବା ଯାତ୍ରୀଙ୍କ ପାଇଁ ତୁରନ୍ତ ପିଇବା ପାଣି ଯୋଗାଇ ଦିଆଯାଇଥିଲା । ଏହାସହ ଯାତ୍ରୀଙ୍କ ପାଇଁ ରେଳବାଇ ତରଫରୁ ଖାଦ୍ୟ ଦିଆ ଯାଇଥିଲା। ତେବେ ଟ୍ରେନଟି କେଉଁ କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା ତାର କାରଣ ଜଣା ପଡ଼ି ନାହିଁ ।
ବାହାନଗା ରେଳ ଦୁର୍ଘଟଣା ଭୟାବହ ଦ୍ରୁଶ୍ୟ ଆଜି ବି ମନରୁ ଲିଭିନି । ବାରମ୍ବାର ଏମିତି ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି । ତେବେ ତ୍ରୁଟି ରହୁଛି କେଉଁଠି । ଏମିତି ଯଦି ବାରମ୍ବାର ରେଳ ଦୁର୍ଘଟଣା ଘଟେ ତେବେ ଲୋକମାନେ ଟ୍ରେନରେ ଯିବାକୁ ଭୟ କରିବେ । ତେଣୁ ଏଭଳି ଅଘଟଣକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ । ନଚେତ ଅବେଳରେ ଏମିତି ଅନେକ ଲୋକଙ୍କ ପ୍ରାଣହାନି ଘଟୁଥିବ ।
Also Read: ପଶ୍ଚିମବଙ୍ଗ ହାୱଡାରେ ଟ୍ରେନ୍ ଦୁର୍ଘଟଣା, ଲାଇନଚ୍ୟୁତ ହେଲା ସାଲିମାର-ସିକନ୍ଦର ସ୍ପେଶାଲ ଟ୍ରେନ୍