ଭଦ୍ରକ ରକ୍ତଭଣ୍ଡାର ଏବେ ପାଲଟିଛି ଅନେକଙ୍କ ଜୀବନଦାତା, କେମିତି ସମ୍ଭବ ହେଲା ଜାଣନ୍ତୁ

ଭଦ୍ରକ (କେନ୍ୟୁଜ୍‌) : ଦୁନିଆରେ ରୋଗ ବଢୁଛି ତା ସହିତ ରୋଗୀଙ୍କ ସଂଖ୍ୟା ବି । କାହାକୁ ଔଷଧ ଦରକାର ତ ଆଉ କାହାକୁ ରକ୍ତ ଆବଶ୍ୟକ । ଏମିତି ଅନେକ ସମସ୍ୟା ରହିଛି ସ୍ୱାସ୍ଥ୍ୟସେବାକୁ ନେଇ । ସେମିତି ଭଦ୍ରକ ଜିଲ୍ଲା ରକ୍ତ ଭଣ୍ଡାରରେ ଦୀର୍ଘ ବର୍ଷ ହେବ ଲାଗି ରହିଥିଲା ରକ୍ତ ସଙ୍କଟ। ତେବେ ଏହି ୭-୮ ବର୍ଷ ହେବ ଜିଲ୍ଲା ରକ୍ତ ଭଣ୍ଡାରର ଅଧିକାରୀ ଓ କର୍ମଚାରୀଙ୍କ ଆନ୍ତରିକ ଉଦ୍ୟମ ପାଇଁ ଅନେକ ପରିମାଣରେ ରକ୍ତର ଅଭାବ ପୂରଣ ହୋଇ ପାରିଛି। ତେଣୁ ଏହି ରକ୍ତ ଭଣ୍ଡାର ଏବେ ରୋଗୀଙ୍କ ଆଶ୍ୱାସନା ସ୍ଥଳ ପାଲଟିଛି। ବିଶେଷ କରି ଥାଲାସେମିଆ ରୋଗୀଙ୍କ ପାଇଁ ବରଦାନ ପାଳଟିଛି ଏହି ବ୍ଲଡ୍‌ ବ୍ୟାଙ୍କ ।

୧୯୮୬ରେ ଭଦ୍ରକ ଜିଲ୍ଲାରେ ଏକ ବ୍ଲଡ଼ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା। ମାତ୍ର ସବୁବେଳେ ଏଠାରେ ଲାଗି ରହୁଥିଲା ରକ୍ତର ଘୋର ଅଭାବ। ତେଣୁ ଅନେକ ରୋଗୀ ମଧ୍ୟ ରକ୍ତ ଅଭାବରୁ ମୃତ୍ୟୁ ବରଣ କରିଥିବା ଅଭିଯୋଗ ରହିଛି। ସେତେବେଳେ ରକ୍ତଦାନ ପାଇଁ କେହି ଆଗ୍ରହ ପ୍ରକାଶ କରୁନଥିଲେ। ସେତେବେଳେ ଦିନକୁ ୧୫ରୁ ୨୦ ୟୁନିଟ ରକ୍ତର ଆବଶ୍ୟକତା ଥିଲାବେଳେ ଏବେ ଏହା ଦୈନିକ ୫୦ରୁ ୬୦ୟୁନିଟ ରକ୍ତ ଆବଶ୍ୟକତା ପଡୁଛି। ତେବେ ଗତ ୨୦୧୩ ଠାରୁ ଜିଲ୍ଲା ରକ୍ତ ଭଣ୍ଡାରର ଅଧିକାରୀ ଓ କର୍ମଚାରୀଙ୍କ ଆନ୍ତରିକ ଉଦ୍ୟମ ଯୋଗୁ ରକ୍ତଦାନ ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଥିଲା। ସେହିବର୍ଷଠାରୁ ରକ୍ତ ସଂଗ୍ରହ ପରିମାଣ କ୍ରମାଗତ ଭାବେ ବଢ଼ି ବଢ଼ି ୨୦୧୭ରେ ବର୍ଷକୁ ୧୦ ହଜାର ପାର କରିଥିଲା ରକ୍ତ ସଂଗ୍ରହ। ଫଳରେ ଜିଲ୍ଲାରେ ଥିବା ୩୨୦ ଥାଲାସେମିଆ ରୋଗୀମାନେ ନିୟମିତ ଭାବେ ରକ୍ତ ପାଇ ପାରୁଛନ୍ତି। ତେବେ ଜିଲ୍ଲା ରକ୍ତ ଭଣ୍ଡାର ସୂଚନା ଅନୁଯାୟୀ ୨୦୧୭ରେ ମୋଟ ୧୦ହଜାର ୬୩୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

BLOOD-1

ସଂଗୃହୀତ ରକ୍ତରୁ ୧୦ ହଜାର ୫୨୫ ୟୁନିଟ ରକ୍ତ ବିଭିନ୍ନ ରୋଗୀଙ୍କୁ ଦିଆ ଯାଇଥିଲା। ସେଥିମଧ୍ୟରୁ ୨୫୫୨ ୟୁନିଟ ରକ୍ତ କେବଳ ଥାଲାସେମିଆ ରୋଗୀଙ୍କୁ ଦିଆ ଯାଇଛି। ୨୧୯୨ ୟୁନିଟ ଡ଼େଲିଭରୀ ମହିଳାଙ୍କୁ ଦିଆଯାଇଥିଲା। ସେହିବର୍ଷ ୧୪୭ଟି କ୍ୟାମ୍ପ କରାଯାଇ ୭୩୨୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ବେଳେ ବ୍ଲଡ଼ ବ୍ୟାଙ୍କ ଭିତରେ ୧୯୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସେହିପରି ୨୦୧୮ରେ ମୋଟ ୧୨୪୬୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସେଥିରୁ ୧୮୬ଟି କ୍ୟାମ୍ପରୁ ୧୦୩୫୨ ୟୁନିଟ ଏବଂ ବ୍ଲଡ଼ ବ୍ୟାଙ୍କ ଭିତରେ ୧୫୮୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ମୋଟ ସଂଗୃହୀତ ରକ୍ତରୁ ୧୨୩୧୯ ୟୁନିଟ ରକ୍ତ ରୋଗୀଙ୍କୁ ଦିଆଯାଇଛି। ସେଥିମଧ୍ୟରୁ କେବଳ ଥାଲାସେମିଆ ରୋଗୀଙ୍କୁ ୨୯୩୨ ୟୁନିଟ ଓ ଡେଲିଭରି ମହିଳାଙ୍କୁ ୨୦୩୧ ୟୁନିଟ ରକ୍ତ ଦିଆ ଯାଇଛି। ସେହିପରି ୨୦୧୯ରେ ମୋଟ ୧୩୦୧୨ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା। ସେଥିରୁ ୧୮୪ଟି କ୍ୟାମ୍ପରୁ ୧୦୭୭୬ ୟୁନିଟ ଓ ଜିଲ୍ଲା ରକ୍ତ ଭଣ୍ଡାର ମଧ୍ୟରେ ୧୮୬୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ତେବେ ମୋଟ ସଂଗୃହୀତ ରକ୍ତରୁ ୧୨୬୦୩ ୟୁନିଟ ରକ୍ତ ବିଭିନ୍ନ ରୋଗୀଙ୍କୁ ଦିଆଯାଇଛି। ସେଥିମଧ୍ୟରୁ କେବଳ ଥାଲାସେମିଆ ରୋଗୀ ୩୪୦୯ ୟୁନିଟ ରକ୍ତ ନେଇଛନ୍ତି। ୧୮୪୩ ୟୁନିଟ ରକ୍ତ ଡ଼େଲିଭରି ମହିଳାଙ୍କୁ ଦିଆଯାଇଛି। ସେହିପରି କରୋନାର ପ୍ରଥମ ଲହର ଅର୍ଥାତ ୨୦୨୦ରେ ମୋଟ ୧୨୩୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସେଥିରୁ ୨୨୫ ଗୋଟି କ୍ୟାମ୍ପ କରାଯାଇ ୧୦୮୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା। ଜିଲ୍ଲା ରକ୍ତ ଭଣ୍ଡାରରେ ୯୭୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

ତେବେ ମୋଟ ସଂଗୃହୀତ ରକ୍ତରୁ ୧୨୩୭୭ ୟୁନିଟ ରକ୍ତ ବିଭିନ୍ନ ରୋଗୀଙ୍କୁ ଦିଆଯାଇଛି। ସେଥିରୁ କେବଳ ଥାଲାସେମିଆ ରୋଗୀଙ୍କୁ ୩୬୬୧ୟୁନିଟ ରକ୍ତ ଦିଆଯାଇଥିଲା। ୧୪୧୫ ୟୁନିଟ ରକ୍ତ ଡ଼େଲିଭରି ମହିଳାଙ୍କୁ ଦିଆଯାଇଛି। ସେହିପରି ୨୦୨୧ ନଭେମ୍ବର ସୁଦ୍ଧା ମୋଟ ୧୩୬୨୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ସେଥିମଧ୍ୟରୁ ୨୨୦ କ୍ୟାମ୍ପରୁ ୧୨୫୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଜିଲ୍ଲା ରକ୍ତ ଭଣ୍ଡାର ମଧ୍ୟରେ ୭୧୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ସେହିପରି ମୋଟ ସଂଗୃହୀତ ରକ୍ତରୁ ୧୩୨୮୫ ୟୁନିଟ ରକ୍ତ ବିଭିନ୍ନ ରୋଗୀ ଙ୍କୁ ଦିଆ ଯାଇଛି। ସେଥିରୁ କେବଳ ୩୭୬୩ ୟୁନିଟ ରକ୍ତ ଥାଲାସେମିଆ ରୋଗୀଙ୍କୁ ପ୍ରଦାନ କରାଯାଇଛି। ୧୨୨୬ ୟୁନିଟ ରକ୍ତ ଡେଲିଭରି ମହିଳାଙ୍କୁ ଦିଆଯାଇଛି। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା କୌଣସି ରୋଗୀ ରକ୍ତ ଅଭାବ ଜନିତ ସମସ୍ୟାରେ ପଡୁନାହାନ୍ତି। ଥାଲାସେମିଆ ରୋଗୀଙ୍କ ଅବିଭାବକଙ୍କ ଠାରୁ ଆରମ୍ଭ କରି ଆଶା କର୍ମୀ ଓ ଅନ୍ୟ ରୋଗୀମାନେ ବ୍ଲଡ଼ ବ୍ୟାଙ୍କ କର୍ମଚାରୀଙ୍କ ନିଷ୍ଠାପର କାଯ୍ୟର୍ ଓ ପରିଚାଳନାରେ ବେଶ ଖୁସି ଥିବା କହିଛନ୍ତି।

BLOOD-5

ସେହିପରି ଭାବେ ପୂର୍ବରୁ ଯୁବକ ମାନେ ରକ୍ତ ଦେବାକୁ ଭୟ କରୁଥିଲେ। ତେଣୁ ରକ୍ତ ଦେବାକୁ ସେମାନଙ୍କ ମଧ୍ୟରେ ସେତେଟା ଆଗ୍ରହ ଦେଖାଯାଉ ନଥିଲା। ମାତ୍ର ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମାଜିକ ସଂଗଠନ ମାନଙ୍କୁ ନେଇ ୭/୮ ବର୍ଷ ହେବ ସଚେତନତା ସୃଷ୍ଟି କରି ଚାଲିଛନ୍ତି। ଫଳରେ ଜିଲ୍ଲାରେ ରକ୍ତଦାତା ମାନଙ୍କ ସଂଖ୍ୟା ବଢି ବଢ଼ି ଚାଲିଛି। ଏବେ ଯୁବକ ଛାତ୍ର ଓ ମହିଳା ରକ୍ତ ଦେବାକୁ ଆଗେଇ ଆସୁଛନ୍ତି। ଅନେକ ଯୁବକ ନିଜ ପିତାମାତା ଶ୍ରାଦ୍ଧ ବାର୍ଷିକ ଓ ଜନ୍ମ ଦିବସରେ ମଧ୍ୟ ରକ୍ତଦାନ ଶିବିରର ଆୟୋଜନ କରି ରକ୍ତ ଭଣ୍ଡାରକୁ ରକ୍ତ ଦେଉଛନ୍ତି। ଏପରିକି ଜଣେ ଜଣେ ଯୁବକ ୫୦ରୁ ଅଧିକ ଥର ରକ୍ତ ମଧ୍ୟ ଦେଇ ସାରିଲେଣି। ପୂର୍ବରୁ ରକ୍ତଦାନ ଶିବିର କେବଳ ସତ୍ୟସାଇ ସେବା ସଂଗଠନ ଓ ଆମ ଓଡିଶା କରୁଥିଲା। କିନ୍ତୁ ଏବେ ଅନେକ ଗୁଡିଏ ସାମାଜିକ ସଂଗଠନ ଓ ବ୍ୟକ୍ତିବିଶେଷ ଏହି ବ୍ଲଡ଼ କ୍ୟାମ୍ପ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟୁଛନ୍ତି। କେବଳ ସାମାଜିକ ସଂଗଠନ ନୁହେଁ, ଏବେ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗେସ ମଧ୍ୟ ସାମାଜିକ ଦାୟିତ୍ୱବଦ୍ଧତା ପାଇଁ ବଡ଼ ବଡ ରକ୍ତ ଦାନ ଶିବିରର ଆୟୋଜନ କରୁଛନ୍ତି। ରାଜ୍ୟରେ କୌଣସି ରୋଗୀ ଯେପରି ରକ୍ତ ଅଭାବରୁ ମୃତ୍ୟୁ ବରଣ ନକରନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ କହିବା ପରେ ବିଜେଡି ପ୍ରଥମେ ଜୀବନ ବିନ୍ଦୁ କାଯ୍ୟର୍କ୍ରମ ଆରମ୍ଭ କରିଥିଲା। ଏବେ ଓଡିଶା ମୋ ପରିବାର ମାଧ୍ୟମରେ ରକ୍ତ ଦାନ ଶିବିର ଆୟୋଜିତ ହେଉଛି।

BLOOD-3

ତେବେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସମୟ ୨୦୨୦ ଓ ୨୦୨୧ରେ ଓଡିଶା ମୋ ପରିବାର ଜିଲ୍ଲାରେ ସର୍ବାଧିକ ୫୯୨୦ ୟୁନିଟ ରକ୍ତ ସଂଗ୍ରହ କରିପାରିଛି। ସେହିପରି ଆମ ଓଡିଶା ୩୬୦୨ ୟୁନିଟ ରକ୍ତ ସଂଗ୍ରହ କରି ଦ୍ୱିତୀୟ ସ୍ଥାନରେ ଥିବାବେଳେ, ସତ୍ୟ ସାଇ ସେବା ସଂଗଠନ ୧୬୫୮ ୟୁନିଟ ରକ୍ତ ସଂଗ୍ରହ କରି ତୃତୀୟ ସ୍ଥାନରେ ରହିଛି। ସେହିପରି ବିଜେପି ୯୧୪ ୟୁନିଟ, ସହିଦ ଭଗତ ସେନା ୭୨୦ ୟୁନିଟ, ରକ୍ତ ସଂଗ୍ରହ କରିଛନ୍ତି। କଂଗ୍ରେସ ୧୩୯ ୟୁନିଟ ସଂଗ୍ରହ କରିଛି। ଆଗକୁ ଏହି ରକ୍ତଦାନ ପ୍ରକ୍ରିୟା ଆହୁରି ଜୋରଦାର କରାଯିବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ କୁହାଯାଇଛି।