ଯେଉଁଠିକି ଦିନେ ଯିବାକୁ ଡରୁଥିଲେ ଆଜି ତାହା ପାଲଟିଛି ମନୋରଞ୍ଜନର ଖୁରାକ, ମନ ମୋହୁଛି ଡିଗୀ ପାର୍କ

ଦୀର୍ଘ ଦଶନ୍ଧି ଧରି ବଣ ଜଙ୍ଗଲରେ ମଝିରେ ଥିଲା ଏକ ଜଳାଶୟ । ଯେଉଁଠିକି ଲୋକେ ଦିନେ ଯିବାକୁ ଡରୁଥିଲେ ଆଜି ତାହା ପାଲଟିଛି ମନୋରଞ୍ଜନର ଖୁରାକ । ଶୁଣିବାକୁ ଅଡୁଆ ଲାଗୁଥିଲେ ବି କଥାଟା ସତ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତର ପଦ୍ମ ପୋଖରୀଠାରେ ରହିଛି ଐତିହାସିକ ଡିଗୀ ପୋଖରୀ ଅଞ୍ଚଳ । ଯାହା ଦଶନ୍ଧି ଦଶନ୍ଧି ଧରି ବଣ ଜଙ୍ଗଲରେ ଭରପୁର ହୋଇ ରହିଥିଲା । ଦେଶୀ ବିଦେଶୀ ପକ୍ଷୀଙ୍କ ସମାବେଶ ସହିତ ସରିସୃପ ମାନଙ୍କ ଆଡାସ୍ଥଳୀ ପାଲଟିଥିଲା ଏହି ସ୍ଥାନ ।

କିନ୍ତୁ ଏହି ସ୍ଥାନର ପୁନଃରୁଦ୍ଧାର ପରେ ଏହା ଏବେ ଭଦ୍ରକ ଜିଲ୍ଲାର ଏକ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି । ପ୍ରାୟ ୩୦ ଏକରରୁ ଅଧିକ ପରିମିତ ଜମି ମଧ୍ୟରେ ରହିଥିଲା ଏହି ପୋଖରୀ । ତେବେ ଏହି ଐତିହାସିକ ପୋଖରୀର ପୁନଃରୁଦ୍ଧାର ସହିତ ସୌନ୍ଦର୍ଯ୍ୟକରଣ ପାଇଁ ଗ୍ରାମବାସି ମାନେ ଉଦ୍ୟମ ଆରମ୍ଭ କଲେ । ଆଉ ଗ୍ରାମବାସୀଙ୍କ ଏହି ଉଦ୍ୟମକୁ ସହଯୋଗ କଲେ ଧାମନଗର ବ୍ଲକର ପୂର୍ବତନ ବ୍ଲକ ଅଧକ୍ଷ ଅଶୋକ ନାୟକ । ୨୦୧୯ ମସିହା ଠାରୁ ଏହି ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଯାହା ଏବେ ଏକ ଅତି ସୁନ୍ଦର ପ୍ରକଳ୍ପ ଭାବେ ସମସ୍ତଙ୍କ ଦୃଷ୍ଟି ଗୋଚର ହୋଇଛି । ଯାହା ଐତିହାସିକ ଡିଗୀ ପୋଖରୀ ଓ ଡିଗୀ ପାର୍କ ଭାବେ ତମାମ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପୁନଃରୁଦ୍ଧାର ପରେ ସେଠାରେ ଦର୍ଶକଙ୍କ ପାଇଁ ବୋଟିଙ୍ଗ ବ୍ୟବସ୍ଥା କରାଯାଇଛି । ତେଣୁ ଦର୍ଶକମାନେ ବୋର୍ଟରେ ବସି ବିରାଟ ପୋଖରୀ ଭିତରେ ବୁଲି ବେଶ ମଜା ନେଉଛନ୍ତି । କେବଳ ସେତିକି ନୁହେଁ ପୋଖରୀ ପାର୍ଶ୍ଵରେ ଥିବା ପ୍ରାୟ ୨୦ ଏକର ପରିମିତ ଜମି ଉପରେ ଡିଗୀ ପାର୍କ ନିର୍ମାଣ କରାଯାଇଛି ।

ତେଣୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲୋକମାନେ ନିଜ ପରିବାର ସହ ଏଠାକୁ ଆସି ଭରପୂର ଆନନ୍ଦ ନେଉଛନ୍ତି । ପାର୍କରେ ରଙ୍ଗ ବେରଙ୍ଗର ଫୁଲ ସହିତ ଆକର୍ଷଣୀୟ ଷ୍ଟାଣ୍ଡ ପୋଷ୍ଟ ଏବଂ ପଶୁ ପକ୍ଷୀଙ୍କ ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି । ଏହି ସ୍ଥାନକୁ ଯିଏ ବି ଦେଖିବ ଘଡ଼ିଏ ଅଟକି ଯିବ ଏହି ମନଲୋଭା ପ୍ରାକୃତିକ ପରିବେଶ ଭିତରେ । ସମସ୍ତେ ଏହି ସୁନ୍ଦର ପାର୍କ ବୁଲିବା ସହିତ ପୋଖରୀରେ ବୋଟିଙ୍ଗ କରି ବେଶ ଖୁସି ବ୍ୟକ୍ତ କରିଛନ୍ତି । ଏହି ପାର୍କରେ ଦର୍ଶକ ମାନଙ୍କ ବସିବା, ବୁଲିବା ଠାରୁ ଆରମ୍ଭ କରି ଆଲୋକୀକରଣ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଅର୍ଥକୁ ବିନିଯୋଗ କରାଯାଇ ଗ୍ରାମାଞ୍ଚଳରେ ଏଭଳି ଏକ ସୁନ୍ଦର ତଥା ଆକର୍ଷଣୀୟ ପ୍ରକଳ୍ପ ନିର୍ମାଣ କରାଯାଇଛି । ଯାହା ଧାମନଗର ବ୍ଲକର ଗୌରବ ବୃଦ୍ଧି କରିଛି । ପ୍ରତ୍ୟକ ଦିନ ଅନେକ ଲୋକଙ୍କର ଭିଡ଼ ଜମୁଛି ଏଠାରେ । ଭଦ୍ରକରେ ଏପରି ଏକ ବିରାଟ ପ୍ରକଳ୍ପ ହୋଇଥିବାରୁ ବିଭିନ୍ନ ସମୟରେ ବରିଷ୍ଠ ଅଧିକାରୀମାନେ ସେଠାକୁ ଯାଇ ଖୁସି ବ୍ୟକ୍ତ କରୁଛନ୍ତି । ଏବେ ଏହି ଐତିହାସିକ ଡିଗୀ ପାର୍କ ଓ ପୋଖରୀ ଭଦ୍ରକ ଜିଲ୍ଲାବାସିଙ୍କ ପାଇଁ ନୂଆ ପ୍ରକଳ୍ପ ଭାବେ ଉଭା ହୋଇ ବେଶ ଅଧିକ ପ୍ରସିଦ୍ଧି ଅର୍ଜନ କରି ପାରିଛି ।