ବିକାଶର ନାରା ଏଠି ପ୍ରହସନ ପାଲଟିଛି: କେବେ ନୂଆ ରୂପରେ ଗଢି ଉଠିବ ଏହି ସହୀଦ ପୀଠ

ବାସୁଦେବପୁର: ଏ ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ରକ୍ତ ତୀର୍ଥ ଇରମର ସେହି ୨ୟ ଜାଲିୱାନାବାଗ ହତ୍ୟାକାଣ୍ଡର ଐତିହାସିକ ପୀଠ । ଯେଉଁଠି ଭାରତ ଛାଡ ଆନ୍ଦୋଳନରେ ମାହାତ୍ମାଗାନ୍ଧୀଙ୍କ ଡାକରାରେ ଏକତ୍ରୀତ ହୋଇଥିଲେ ଅନେକ ସଂଗ୍ରାମୀ ।

ସେଦିନ ଥିଲା ୧୯୪୨ ମସିହା ସେପ୍ଟେମ୍ୱର ମାସ ୨୮ତାରିଖ । ସେତେବେଳେ ଭାରତ ଛାଡ ଆନ୍ଦୋଳନରେ ସମଗ୍ର ଭାରତ ବର୍ଷ ମହାତ୍ମାଗାନ୍ଧୀଙ୍କ ଡାକରାରେ ହୋଇଥିଲେ ଏକତ୍ରିତ । ଏହି ଡାକରାରୁ ବାଦ ପଡିନଥିଲେ ସେତେ ବେଳର ଅଭିଭକ୍ତ ବାଲେଶ୍ଵର ଜିଲ୍ଲାର ବାସୁଦେବପୁର ବ୍ଲକର ସଂଗ୍ରାମୀ ମାନେ । ସେଦିନର ସମୟ ଥିଲା ଅପରାହ୍ନ। ଏକତ୍ରିତ ହୋଇଥିଲେ ହଜାର ହଜାର ସଂଗ୍ରାମୀ । ସେମାନଙ୍କର ଲକ୍ଷ ଥିଲା ଫିରିଙ୍ଗି ମାନଙ୍କୁ ଏ ଦେଶରୁ ତଡିବା । ଆପଣେଇ ନେଇଥିଲେ କର ବା ମର ନୀତି । ଇରମ ମେଳନ ପଡିଆର ସଭା ହେଉଥିବାର ଖବର ପାଇ ଛୁଟି ଆସିଥିଲେ ଫିରିଙ୍ଗି ଫୌଜ । ପହଁଚିଥିଲେ ଏବେ ଭଗ୍ନ ଅବସ୍ଥାରେ ପଡି ରହିଥିବା ସେତେ ବେଳର ଜମିଦାରଙ୍କ ଉଆସରେ।

କେତେକ ସଂଗ୍ରାମୀ ଜଣେ ଚୌକିଦାରକୁ ଧରି ମାଡ ମାରିବା ସହିତ ତାର ପୋଷାକ ଉପରେ କରିଥିଲେ ପଦାଘାତ । ଏଥିରେ ଉତକ୍ଷିପ୍ତ ହୋଇ ଫିରିଙ୍ଗି ଫୌଜ ମାନେ ଚାଲିଥିବା ପ୍ରଜାମେଳି ଉପରକୁ କରିଥିଲେ ଆଖିବୁଜା ଗୁଳି ଚାଳନା । ସେହି ସଭା ସ୍ଥଳୀରେ ୨୮ଜଣ ସହୀଦ ହୋଇଥିବାବେଳେ ଜେଲଖାନାରେ ଜଣେ ସଂଗ୍ରାମୀଙ୍କର ହୋଇଥିଲା ମୃତ୍ୟୁ । ସଂଗ୍ରାମୀ ମାନଙ୍କୁ ଧରି ନେଇ ବ୍ରିଟିଶ ମାନେ ପଠାଇ ଦେଇଥିଲେ ବାଲେଶ୍ଵର ଓ ବ୍ରହ୍ମପୁର ଜେଲକୁ । ଜେଲରେ ସେମାନଙ୍କୁ ଦିଆଯାଉଥିଲା ବିଭିନ୍ନ ପ୍ରକାର ନିର୍ଯ୍ୟାତନା । ଆଜିବି ଲୋକ ମାନଙ୍କ ମନରୁ ଲିଭି ନାହିଁ ସେଦିନର ଶୁଣିଥିବା ଲୋମହର୍ଷଣକାରୀ ଦୃଶ୍ୟ ଓ ଜେଲରେ ଦିଆଯାଉଥିବା ଅକଥନୀୟ ଅତ୍ୟାଚାରର କଥା ।

ଏବେବି ଶୁଣିଲେ ସେଦିନର କଥା ଦେହରେ ଖେଳିଯାଏ ଅଜଣା ସିହରଣ । ସ୍ଵାଧିନତାର ୭୮ବର୍ଷ ବିତିଯାଇଥିଲେ ମଧ୍ୟ ଯେଉଁମାନେ ନିଜର ରକ୍ତ ଦେଇ ଅମକୁ ସ୍ଵାଧିନତା ଦେଇଥିଲେ ସେମାନଙ୍କ ପୀଠ ଆଜି ହୋଇପଡିଛି ଶ୍ରୀହିନ ଅବସ୍ଥାରେ । କେତେଯେ ନେତା ମନ୍ତ୍ରୀ ଆସି ଗଲେଣି କେହି ବୁଝି ନାହାନ୍ତି ଆମ୍ଭମାନଙ୍କୁ ସ୍ଵାଧିନ ଆଣି ଦେଇଥିବା ସହିଦ ମାନଙ୍କ କଥା । ବହୁତ ଦିନର ଅପେକ୍ଷା ପରେ ଇରମକୁ ନାମକୁ ମାତ୍ର ମିଳିଛି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ।

ଲୋକମାନେ ଭାବିଥିଲେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପରେ ନୂଆ ରୂପରେ ଗଢି ଉଠିବ ଇରମ ସହିଦ ମାଟି । ଏଠାକୁ ବୁଲି ଆସିବେ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ମାନେ। ତାହା ଆଜି ରହିଯାଇଛି ସରକାରଙ୍କ ନାଲି ଫାଇଲ ତଳେ । ସହିଦ ମାନଙ୍କ ପୀଣ୍ଡି ଚାରିପଟେ ଲୋକ ମାନେ କରୁଛନ୍ତି ମଳତ୍ୟାଗ । ପକାଉଛନ୍ତି ବିଭିନ୍ନ ଆର୍ବଜନା । ଠିକ ସେପ୍ଟେମ୍ୱର ମାସ ୨୮ତାରିଖ ଆସିଲେ ନେତା,ମନ୍ତ୍ରୀ ଓ ସ୍ଥାନୀୟ ପ୍ରଶାସନର ମନେ ପଡେ ଆମକୁ ସ୍ଵାଧିନ ଆଣି ଦେଇଥିବା ସେହି ସହିଦ ମାନଙ୍କ କଥା । ହେଲେ ଏଠାରେ ନେତା ମନ୍ତ୍ରୀଙ୍କ ସଂଧ୍ୟାର ଭାଷଣ ସକାଳେ ପାଣି ଭଳି ମିଳେଇ ଯାଏ ।

ବିକାଶର ନାରା ଏଠି ପ୍ରହସନ ପାଲଟିଛି । ସରକାରଙ୍କ ପର୍ଯ୍ୟଟନ ଫଳକରେ ଅଟକି ରହିଛି ପର୍ଯ୍ୟଟନ ସ୍ଥଳର ମାନ୍ୟତା । ଏହି ଇରମ ମାଟି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି ସତ କେବଳ କାଗଜ କଲମରେ । ସରକାରଙ୍କ ପକ୍ଷରୁ କିଛି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ହେଲେ ଅନେକ କିଛି ବାକି ରହିଯାଇଛି କରିବାକୁ । ଯଦି ଏହି ପୀଠକୁ ଉନ୍ନତି କରଣ କରିବା ସହିତ ସହୀଦ ମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ସହୀଦ ମାନଙ୍କ ଉଦେଶ୍ୟରେ ଲାଇବ୍ରେରୀ, ସେତେବେଳର ବ୍ୟବହୃତ ହେଉଥିବା ପଦାର୍ଥ ଗୁଡିକୁ ଏକ ମ୍ୟୁଜିୟମ କରି ରଖାଗଲେ ବହୁ ସଂଖ୍ୟକ ପର୍ଯ୍ୟଟକ ମାନେ ଏଥିପ୍ରତି ଆକୃଷ୍ଟ ହୋଇ ଏଠାକୁ  ବୁଲିବାକୁ ଆସନ୍ତେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like