ଚିଲିକା ଭଳି ଦେଖିବାକୁ ଏଇ ବଂଶଧାରା ନଦୀ ଅବବାହିକାରେ ଥିବା ଭାଲେରୀ ଗାଁ

ଗୁଣୁପୁର : ଗୋଟିଏ କି ଦୁଇଟି ନୁହଁ ଏମିତି ଦଳଦଳ ସାଇବେରିଆ ପକ୍ଷୀ ବସନ୍ତି ଗାଁ ମୁଣ୍ଡ ଗଛରେ । ଆଉ ସେମାନଙ୍କ ରାବରେ ପୂରୀ ଉଠେ ଗାଁ । ମୌସୁମୀର ଆଗମନ ପୂର୍ବରୁ ଦଳ ଦଳ ହୋଇ ଏଠାକୁ ଆସନ୍ତି ଆଉ ଶୀତ ଶେଷ ଯାଏଁ ଏଠାରେ ରୁହନ୍ତି । ଏହାରି ଭିତରେ ଅଣ୍ଡା ଦେଇ ଛୁଆ ଜନ୍ମ କରନ୍ତି । ଫେରିବା ବେଳକୁ ସାଙ୍ଗରେ ଛୁଆକୁ ଧରି ଯାଆନ୍ତି । ଯାହାକୁ ଦେଖି ସ୍ଥାନୀୟ ଲୋକ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।
ସେଥିପାଇଁ ଏହି ବିଦେଶୀଗତ ପକ୍ଷୀ ଏଠାକୁ ଅତିଥି ହୋଇ ଆସୁଥିବାରୁ ସ୍ଥାନୀୟ ଲୋକ ସୁରକ୍ଷା ଯୋଗାଉଛନ୍ତି । ଗାଁରେ ଏକ କମିଟି କରି ପ୍ରତ୍ୟେକ ଦିନ ଏହି ପକ୍ଷୀଙ୍କୁ ସୁରକ୍ଷା ଦିଅନ୍ତି । ପୁଣି ଶିକାରୀଙ୍କ ଠାରୁ ନିରାପଦ ଦୂରତାରେ ରହୁଥିବାରୁ ଏହି ପକ୍ଷୀଙ୍କ ସଂଖ୍ୟ ବର୍ଷକୁ ବର୍ଷ ବଢିବାର ଲାଗିଛି । ସ୍ଥାନୀୟ ଲୋକ ଙ୍କ କହିବା ଅନୁସାରେ ପ୍ରାୟ ୪୦ ବର୍ଷ ରୁ ଅଧିକ ସମୟ ହେଲା ଏହି ପକ୍ଷୀ ଏଠାକୁ ଆସି ଛୁଆ ଜନ୍ମ କରୁଥିବାରୁ ଏହି ଅଞ୍ଚଳ ଏବେ ପକ୍ଷୀ ପ୍ରଜନନ କେନ୍ଦ୍ର ରୂପେ ପରିଚିତ । ତେବେ ଗୁଣପୁର ବଂଶଧାରା ନଦୀ ଅବବାହିକାରେ ଥିବା ଭାଲେରୀ ଅଞ୍ଚଳରେ ଏମିତି କିଛି ଦେଖିବାକୁ ମିଳିଛି ।
ବଂଶଧାରା ନଦୀ ଅଧିକ ପ୍ରଶସ୍ତ, ଗଭୀର ଓ ଚିରସ୍ରୋତା ରହିଥିବାରୁ ବର୍ଷତମାମ ଏଠାରେ ପାଣି ଜମି ରହେ । ଏହି ଅଞ୍ଚଳକୁ ପ୍ରକୃଷ୍ଟ ଆଶ୍ରୟସ୍ଥଳୀ ମନେ କରି ବିଦେଶାଗତ ପକ୍ଷୀ ଏଠାକୁ ଚାଲି ଆସନ୍ତି । ଲୋକଙ୍କ ସୁରକ୍ଷାରେ ଏମାନେ ବେଶ୍ ନିରାପଦରେ ଘୂରି ବୁଲନ୍ତି ଓ ଖାଦ୍ୟ ସଂଗ୍ରହ କରନ୍ତି । ଯାହାକି କୃତ୍ରିମ ଚିଲିକାର ଭ୍ରମ ସୃଷ୍ଟି କରୁଛି । ଗତକିଛି ମାସ ପୂର୍ବରୁ ଆସିଥିବା ଏହି ଆଗନ୍ତୁକ ପକ୍ଷୀ ଏବେ ଅଣ୍ଡା ଦେଇ ଛୁଆ ଜନ୍ମ କରିଛନ୍ତି । ଏମାନଙ୍କ ବଂଶବିସ୍ତାର ଦିଗରେ ବନବିଭାଗ ପକ୍ଷରୁ ମଧ୍ୟ ପଦକ୍ଷେପ ନିଆ ଯାଇଥିବା ଗୁଣୁପୁର ବନ ଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି ।
ପକ୍ଷୀଙ୍କ ବଂଶବିସ୍ତାର ପାଇଁ ଏଠାକାର ପରିବେଶ ଅନୁକୂଳ ରହିଥିବାରୁ ଏହି ଅଞ୍ଚଳରେ ପକ୍ଷୀ ଅଭ୍ୟୟାରଣ୍ୟ ସ୍ଥାପନ କରିବାକୁ ପରିବେଶବିତ୍ ଓ ପକ୍ଷୀପ୍ରେମୀମାନେ ଦାବୀ କରିଛନ୍ତି । ଚାରି ଆଡେ ଜଙ୍ଗଲର ଅବକ୍ଷୟ ସାଙ୍ଗକୁ ପଶୁପକ୍ଷୀଙ୍କ ଏଠାକାର ପରିବେଶ ଶୀକାର ସମସ୍ୟ ଚିନ୍ତାର କାରଣ ହୋଇଥିବାବେଳେ ଏଠାରେ ବିଦେଶାଗତ ପକ୍ଷୀଙ୍କ ସୁଅ ଛୁଟିବା ଏମାନଙ୍କ ସୁରକ୍ଷା ଦାୟିତ୍ୱ ସ୍ଥାନୀୟ ଲୋକ ନେବା ନିଶ୍ଚିତ ଏକ ଉଦାହରଣ ବୋଲି କୁହାଯାଉଛି ।
ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଗମ କରିବାକୁ ୱାଚ ଟାୱାର ପ୍ରତିଷ୍ଠା କରିବା ଆବଶ୍ୟକତା ରହିଛି । ଏହି ବିଦେଶାଗତ ପକ୍ଷୀଙ୍କୁ ଅଧିକ ଆକୃଷ୍ଟ କରିବା ଦିଗରେ ଧ୍ୟାନ ଦେଲେ ଏହି ଅଞ୍ଚଳ ଅଧିକ ସୌନ୍ଦର୍ଯ୍ୟପୂର୍ଣ୍ଣ ହେବା ସହ ଚିଲିକାର ବିକଳ୍ପ ରୂପେ ଉଭା ହୋଇପାରିବ । ସରକାର ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।