ଭୋପାଳ: ଠେଲା ଲଗାଉଥିବା ବ୍ୟକ୍ତିଙ୍କ ଘରେ ଜନ୍ମ ହେଲା ଝିଅ, ଖୁସିରେ ହଜାର ହଜାର ଲୋକଙ୍କୁ ମାଗଣାରେ ଖୁଆଇଲେ ଗୁପ୍‌ଚୁପ୍‌

ଆମ ସମାଜରେ ଅନେକ ଲୋକ ଆଜି ବି ଅଛନ୍ତି, ଯେଉଁମାନେ ପୁଅ ଓ ଝିଅ ଭିତରେ ଭେଦଭାବ ଦେଖୁଛନ୍ତି। କିନ୍ତୁ କିଛି ଲୋକ ଏମିତି ବି ଅଛନ୍ତି, ଯେଉଁମାନେ ଘରେ ଝିଅର ଜନ୍ମ ହିଁ ଚାହିଁଥାଆନ୍ତି। ସେମାନେ ଝିଅକୁ ରତ୍ନ ବୋଲି ଭାବି ଥାଆନ୍ତି। ଏବେ ଏବେ ମଧ୍ୟ ପ୍ରଦେଶରୁ ଆସିଥିବା ଏକ ଘଟଣା ନିଶ୍ଚୟ ଆପଣଙ୍କ ହୃଦୟ ଜିତିଯିବ।

ଏଠାରେ ଭୋପାଳରେ ଗୁପ୍‌ଗୁପ୍‌ ଠେଲା ଲଗାଉଥିବା ଜଣେ ବ୍ୟକ୍ତିଙ୍କ ଘରେ ଝିଅ ଜନ୍ମ ହେବା ପରେ ପରିବାର ଲୋକେ ଏତେ ଖୁସି ହୋଇଯାଇଥିଲେ ଯେ ଏହାକୁ ସେମାନେ ବହୁତ ନିଆରା ଢ଼ଙ୍ଗରେ ପାଳିଥିଲେ। ବ୍ୟକ୍ତି ଜଣକ ସମସ୍ତଙ୍କୁ ମାଗଣାରେ ଗୁପ୍‌ଚୁପ୍‌ ଖୁଆଇଥିଲେ, ଯାହାକୁ ସୋସିଆଲ ମିଡିଆରେ ଖୁବ୍‌ ପ୍ରଶଂସା କରାଯାଉଛି।

ଭୋପାଳର କୋଲାର ଅଞ୍ଚଳରେ ଅଞ୍ଚଲ ଗୁପ୍ତା ଗୁପ୍‌ଚୁପ୍‌ ଷ୍ଟଲ ଲଗାନ୍ତି। ସେ ବିଗତ ୧୪ ବର୍ଷ ହେବ ଏହି ଗୁପ୍‌ଚୁପ୍‌ ଠେଲା ଲଗାଇ ଆସୁଛନ୍ତି। ତେବେ ନିକଟରେ ତାଙ୍କ ସ୍ତ୍ରୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଖୁସିରେ ଅଞ୍ଚଲ ରବିବାର ଏକ ବଡ଼ ଗୁପ୍‌ଚୁପ୍‌ ଷ୍ଟଲ ପକାଇଥିଲେ ଏବଂ ସମସ୍ତଙ୍କୁ ମାଗଣାରେ ଗୁପ୍‌ଚୁପ୍‌ ଖୁଆଇଥିଲେ। ଦିନସାରା ସେ ହଜାର ହଜାର ଲୋକଙ୍କୁ ମାଗଣାରେ ଗୁପ୍‌ଚୁପ୍‌ ଦେଇଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।