ଭୁବନେଶ୍ୱରର ଜନ୍ମଦିନ: ଏହିସବୁ ସମସ୍ୟା ଦୂର ହେଲେ ଆହୁରି ସ୍ମାର୍ଟ ହୋଇପାରିବ ଆମ ରାଜଧାନୀ

୭୭ ବର୍ଷରେ ପାଦ ଥାପିଛି ରାଜଧାନୀ । ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ସମୟ ସହିତ ତାଳଦେଇ ବୃଦ୍ଧି ପାଇଛି ଭୁବନେଶ୍ବରର କଳେବର । ରାଜଧାନୀର ଜନସଂଖ୍ୟା ବୃଦ୍ଧି ସହ ବିକାଶ ମଧ୍ୟ ଆଗେଇ ଚାଲିଛି । ଖାସ୍‌ ସେଥିପାଇଁ ଇତିମଧ୍ୟରେ ଦେଶର ଏକ ନମ୍ବର ସ୍ମାର୍ଟସିଟି ମାନ୍ୟତା ପାଇବା ସହ ଦ୍ବିତୀୟ ବାସୋପଯୋଗୀ ସହର ଭାବେ ଏହା ଖ୍ୟାତି ଲାଭ କରି ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିଛି । ଯାତ୍ରା ଭିତରେ ବଢିଛି ସହରର କାୟା, ବଦଳିଛି ପରିବେଶ । ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ ।

ରାସ୍ତାଘାଟଠୁ ନେଇ ଆଲୋକୀକରଣ, ଲୋକଙ୍କ ଜୀବନଶୈଳୀ ସବୁକିଛି ବଦଳିଛି ଏହି ୭୭ ବର୍ଷ ମଧ୍ୟରେ । ଭୁବନେଶ୍ୱର ଓଡ଼ିଶାର ରାଜଧାନୀ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ମନ୍ଦିର ମାଳିନୀ ଭୁବନେଶ୍ବରର ଇତିହାସ ୩ହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି । ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ ।

ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ଦେଉଳ ଆଦି ଦେଶ ବିଦେଶରେ ପରିଚିତ । ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଅଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ୱାରା ବିଶେଷ ଆଦୃତ ହୋଇଅଛି । ତେବେ ଆଧୁନିକ ଭୁବନେଶ୍ବରର ଜନ୍ମ ୧୩ ଏପ୍ରିଲ୍‌ ୧୯୪୮ ମସିହାରେ ।

ଏହି ଦିନରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍‌ ନେହେରୁ ଓଡ଼ିଶାର ନୂଆ ରାଜଧାନୀ ଭାବେ ଏହାର ଶିଳାନ୍ୟାସ କରିଥିଲେ । ପ୍ରାଥମିକ ସ୍ତରରେ ୧୬.୪୮ ବର୍ଗ କିଲୋମିଟର ଅଞ୍ଚଳରେ ମାତ୍ର ଚାଳିଶ ହଜାର ଲୋକଙ୍କ ବସବାସ ଲାଗି ନୂଆ ରାଜଧାନୀର ନକ୍ସା ତିଆରି ହୋଇଥିଲା । ମୋଟ୍ ବସତି ଅଞ୍ଚଳକୁ ଛଅଟି ୟୁନିଟ୍ ଏବଂ ପନ୍ଦର ଶହ କୋଠାବାଡ଼ି ନିର୍ମାଣ ପାଇଁ ଯୋଜନା କରାଯାଇଥିଲା ।

ବିଗତ ୭୬ ବର୍ଷ ମଧ୍ୟରେ ରାଜଧାନୀ ଭୁବନେଶ୍ୱର ଖୁବ ବଦଳିଛି । ବିକାଶ ପଥରେ ବହୁତ ଆଗକୁ ଯାଇଥିଲେ ବି ଅନେକ ସମସ୍ୟା ରହିଯାଇଛି । ଯେପରିକି ଟ୍ରାଫିକ୍‌ ସମସ୍ୟା, ଅପରାଧ ଏବଂ ଦୁର୍ଘଟଣାର ମାତ୍ରା ବଢୁଥିବା ସମୟରେ ଗଢ଼ି ଉଠିଥିବା ଅଞ୍ଚଳକୁ ଶୃଙ୍ଖଳିତ କରିବା ବିଶେଷ କରି ଜଳ ନିଷ୍କାସନ ଅର୍ଥାତ ଡ୍ରେନେଜ ସମସ୍ୟା । ଏହି ସମସ୍ୟାକୁ ଏଡ଼ାଇବା ପାଇଁ ପ୍ରଶାସନ ବାରମ୍ବାର ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଛି । ଯଦି ଏହି ସବୁ ସମସ୍ୟାକୁ ରୋକା ଯାଇପାରନ୍ତା ତେବେ ଆମ ଭୁବନେଶ୍ୱର ଆହୁରି ସ୍ମାର୍ଟ ହୋଇପାରନ୍ତା । ତେବେ ଏଥିରେ ପ୍ରଶାସନର ଉଦ୍ୟମ ଯେତିକି ଦରକାର ସେତିକି ରାଜଧାନୀ ବାସିନ୍ଦାଙ୍କ ସହଯୋଗ ମଧ୍ୟ ଆବଶ୍ୟକ ।

Also read: ବିଜ୍ଞାନର ଚମତ୍କାର, ୧୦,୦୦୦ ବର୍ଷ ପରେ ଗଧିଆ ପାଇଛି ପୁନର୍ଜନ୍ମ