ପ୍ରତିବର୍ଷ ବଢୁଛି ଭୂତେଶ୍ୱରନାଥ ଶିବଲିଙ୍ଗ, ଏପର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି ଏହାର ରହସ୍ୟ
ଯେକୌଣସି ଅଦ୍ଭୁତ କଥାକୁ ବୁଝିବାକୁ ହେଲେ ବୈଜ୍ଞାନିକ ଦୃଷ୍ଟିକୋଣ ରହିବା ଆବଶ୍ୟକ। ତେବେ ଯାଇ ସେହି କଥାକୁ ଆମେ ସଠିକ୍ ଭାବେ ବୁଝିପାରିବା। କିନ୍ତୁ ଦୁନିଆରେ ଏପରି କେତେକ ଜିନିଷ ଏବଂ ସ୍ଥାନ ରହିଛି, ଯାହାକୁ ଆଜିପର୍ଯ୍ୟନ୍ତ ବୈଜ୍ଞାନିକମାନେ ଜାଣିପାରିନାହାନ୍ତି। ବିଜ୍ଞାନ ମଧ୍ୟ ଏହା ଆଗରେ ହାର ମାନିନେଇଛି। ପୃଥିବୀ ପୃଷ୍ଠରେ ଆଶ୍ଚର୍ଯ୍ୟଜନକ ଭାବେ ଅନେକ ଜିନିଷ ରହିଛି, ଯାହା ବିଷୟରେ ଆପଣମାନେ ଜାଣିଥିବା ସତ୍ତ୍ୱେ ମଧ୍ୟ ଏହାର ପ୍ରକୃତ ରହସ୍ୟ ଆଜି ପର୍ଯ୍ୟନ୍ତ କେହି ବୁଝିପାରିନାହାନ୍ତି। ଏପରି ଏକ ଘଟଣା ରହିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବା ସହ ଚିନ୍ତା କରିବାକୁ ବାଧ୍ୟ କରିବ ।
ଶିବଙ୍କ ଆରାଧନା ମୂର୍ତ୍ତି ଏବଂ ଲିଙ୍ଗ ରୂପେ କରାଯାଏ। ଆପଣମାନେ ଅନେକ ଶିବ ମନ୍ଦିର ଦର୍ଶନ କରିଥିବେ, କିନ୍ତୁ ଛତିଶଗଡର ଗରିୟାବନ୍ଦ ଜିଲ୍ଲାରେ ଥିବା ଭୂତେଶ୍ୱରନାଥ ଶିବଲିଙ୍ଗର ମହତ୍ୱ କିଛି ଅଲଗା ରହିଛି। ଏହା ଦୁନିଆର ବଡ ଶିବଲିଙ୍ଗ ହୋଇଥିବା ବେଳେ ଏହାର ଅନ୍ୟ ଏକ ସ୍ୱତନ୍ତ୍ରତା ରହିଛି।
ପ୍ରାକୃତିକ ଭାବେ ନିର୍ମିତ ଏହି ଶିବଲିଙ୍ଗର ଆକାର ପ୍ରତିବର୍ଷ ବଢୁଛି। ଏହାର ଉଚ୍ଚତା ୧୮ ଫୁଟ ଏବଂ ୨୦ ଫୁଟ ଗୋଲାକାର ରହିଛି। ଏହାର ଉଚ୍ଚତା ପ୍ରତିବର୍ଷ ରାଜସ୍ୱ ବିଭାଗ ମାପୁଛି। ଏହା ପ୍ରତିବର୍ଷ ୬ ରୁ ୮ ଇଞ୍ଚ ବୃଦ୍ଧି ପାଉଛି। ୧୨ଟି ଜ୍ୟୋର୍ତିଲିଙ୍ଗ ପରି ଭୂତେଶ୍ୱରନାଥକୁ ମଧ୍ୟ ଅର୍ଦ୍ଧନାରୀଶ୍ୱର ଶିବଲିଙ୍ଗ ଭାବେ ମାନ୍ୟତା ପାଇଛି। ପ୍ରତିବର୍ଷ ଅନେକ କାଉଁଡିଆ ଏହାକୁ ଦର୍ଶନ କରିବା ସହିତ ଜଳାଭିଷେକ କରିବାକୁ ଚାଲି ଚାଲି ଆସିଥାନ୍ତି।
ଏହାସହ ପଢ଼ନ୍ତୁ ; ରାଜସ୍ଥାନରେ ରହିଛି ଏପରି ମନ୍ଦିର, ଯେଉଁଠି ଠାକୁରଙ୍କୁ ଅର୍ପଣ କରାଯାଏ ‘ପିଆଜ’ ଭୋଗ
ପ୍ରଚଳିତ କଥାନୁସାରେ, ଆଜିକୁ ପ୍ରାୟ ଅନେକ ବର୍ଷ ପୂର୍ବେ ଏଠାରେ ଜଣେ ଜମିଦାର ଚାଷବାସ କରୁଥିଲେ। ଶୋଭା ସିଂ ନାମକ ଜଣେ ଜମିଦାର ପ୍ରତି ସନ୍ଧ୍ୟାରେ ନିଜ କ୍ଷେତକୁ ବୁଲିବାକୁ ଯାଇଥାନ୍ତି। ଦିନେ ଶୋଭା ନିଜ କ୍ଷେତ ପାଖରେ ଥିବା ଏକ କୁଦରେ ଷଣ୍ଢ ବୋବାଇବା ଏବଂ ସିଂହ ଗର୍ଜନ କରୁଥିବା ଶବ୍ଦ ଶୁଣିଥିଲେ। ତା ପରେ ସେ ଆସି ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ଲୋକ ସେଠାକୁ ଯାଇ ବହୁତ ଖୋଜାଖୋଜି କରିଥିଲେ କିନ୍ତୁ ସେଠାରେ ଷଣ୍ଢ କିମ୍ବା ସିଂହ କିଛି ପାଇନଥିଲେ। ଲୋକେ ସେଠାରେ ଏକ ଛୋଟ ଶିବଲିଙ୍ଗ ଦେଖିବାକୁ ପାଇଥିଲେ। ଏହାପରେ ସେହି ଲିଙ୍ଗକୁ ପୂଜାର୍ଚ୍ଚନା କରିବା ଆରମ୍ଭ କରିଦେଇଥିଲେ। ପ୍ରତିବର୍ଷ ଏହି ଲିଙ୍ଗର ଆକାର ଦିନକୁ ଦିନ ବଢିବାରେ ଲାଗିଛି। ଏହା ବଢିବା ପଛରେ କ’ଣ କାରଣ ରହିଛି, ତାହା ଆଜି ପର୍ଯ୍ୟନ୍ତ କେହି ଜାଣିପାରି ନାହାନ୍ତି। ଆଜି ବି ମଧ୍ୟ ଦେଶର ପ୍ରତିକୋଣରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ଦର୍ଶନ କରିବା ସହ ଶିବ ପୂଜା କରୁଛନ୍ତି ।