ବାପାଙ୍କ ମୃତ୍ୟୁ ପରେ ପେଟ ପୋଷିବାକୁ ୯ ବର୍ଷର ବାଳକ କରୁଛି ବରା, ପକୁଡ଼ି ବିକ୍ରି; ଫେସବୁକ୍ରେ ଭାଇରାଲ ହେବା ପରେ ବଦଳିଲା ଭାଗ୍ୟ
ବେଳେବେଳେ ପରିସ୍ଥିତି ଓ ପରିବେଶ ମଣିଷକୁ ଏମିତି ଏକ ମୋଡ଼ରେ ନେଇ ଠିଆ କରାଇ ଦିଏ ଯେ ଇଚ୍ଛା ନ ଥିଲେ ବି ବ୍ୟକ୍ତିକୁ ବାଧ୍ୟବାଧକତାରେ ସେହି କାମ କରିବାକୁ ପଡ଼େ। ପରିବାର ମୁହଁରେ ଦୁଇ ମୁଠା ଦାନା ଦେବାକୁ ବେଳେବେଳେ ଘରର ସବୁଠାରୁ ସାନ ଛୁଆକୁ ଘରୁ ବାହାରିବାକୁ ପଡ଼େ ଓ କୁନି କାନ୍ଧରେ ବୋହିବାକୁ ପଡ଼େ ଘରର ବୋଝ। ଏବେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ପଶ୍ଚିମ ଚମ୍ପାରଣର ବଗହା କ୍ଷେତ୍ରରେ। ଏଠାରେ ଜଣେ ୯ ବର୍ଷର ବାଳକ ପରିବାର ପେଟ ପୋଷିବା ପାଇଁ ଛଣାଛଣି ଦୋକାନ କରିଥିବା ଜଣାଯାଇଛି।
ରିପୋର୍ଟ ମୁତାବକ, ବଗହା ନଗର କ୍ଷେତ୍ରର ଓ୍ଵାର୍ଡ ନମ୍ବର ୧ର ବାସିନ୍ଦା ରାଜନ ଗୌଡ଼ଙ୍କ ମୃତ୍ୟୁ ୪ ମାସ ତଳେ ଘଟିଥିଲା। ପରିବାରର ଏକମାତ୍ର ରୋଜଗାରିଆ ପୁଅ ଚାଲିଗଲା ପରେ ୫୫ ବର୍ଷୀୟ ବିଧବା ମା’ଙ୍କ ସମେତ ପତ୍ନୀ ଓ ଛଅ ଜଣ ଛୁଆଙ୍କ ଉପରେ ଦୁଃଖର ପାହାଡ଼ ଛିଡ଼ି ପଡ଼ିଥିଲା। ପରିବାରର ମୁରବୀଙ୍କ ମୃତ୍ୟୁଠାରୁ ଅଧିକ ଦୁଃଖ ଥିଲା ପରିବାର ଚଳାଇବା ଚିନ୍ତା। କିଏ ସେମାନଙ୍କ ମୁହଁକୁ ଦାନା ଦେବ ଭାବି ଭାଙ୍ଗ ପଡ଼ିଥିଲେ ସମସ୍ତେ। ପରିବାରର ଏଭଳି ଅବସ୍ଥା ଦେଖି ରାଜନଙ୍କ ୯ ବର୍ଷର ପୁଅ ସୁନୀଲ ପରିବାର ପୋଷିବାକୁ ନିଷ୍ପତ୍ତି ନେଇଥିଲା। ଏଣୁ ସେ ଷ୍ଟେସନ୍ ନିକଟରେ ବରା, ପିଆଜି, ପକୁଡ଼ି, ଆଳୁଚପ୍ର ଠେଲା ଗାଡ଼ି ଲଗାଇଥିଲେ।
କିଛି ଦିନ ତଳେ ସାମାଜିକ କର୍ମୀ ଅଜୟଙ୍କ ନଜର ସୁନୀଲ ଉପରେ ପଡ଼ିଥିଲା। ସେ ସୁନୀଲକୁ ପାଠପଢ଼ା ବୟସରେ ସ୍କୁଲ ନ ଯାଇ କାହିଁକି ଛଣାଛଣି ବିକୁଛୁ ପଚାରିବାରୁ ସୁନୀଲ ତାଙ୍କୁ ନିଜ କାହାଣୀ କହିଥିଲା। ପରେ ଅଜୟ ସୁନୀଲ ବିଷୟରେ ସୋସିଆଲ ମିଡିଆରେ ଜଣାଇଥିଲେ। ଏନେଇ ଜାଣିବା ପରେ ସୁନୀଲଙ୍କୁ ବିଭିନ୍ନ ଆଡୁ ସହାୟତାର ହାତ ବଢ଼ାଯାଇଥିବା ଜଣାଯାଇଛି।
ସୁନୀଲଙ୍କ ପଡ଼ୋଶୀ ହରି ପ୍ରସାଦ ତାଙ୍କ ଆଡମିଶନ ସ୍କୁଲରେ କରାଇଛନ୍ତି। ଆଉ ଜଣେ ପଡ଼ୋଶୀ ତାଙ୍କୁ ପ୍ରତିଦିନ ସ୍କୁଲ ନେବା ଆଣିବା କରୁଥିବା ଜଣାଯାଇଛି। ସେହିପରି ସାମାଜିକ କର୍ମୀ ଅଜୟ ସୁନୀଲଙ୍କ ମା’ଙ୍କ ନାଁରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲି ସୋସିଆଲ ମିଡିଆରେ ତାହାକୁ ସେୟାର କରିଛନ୍ତି। ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିବା ଲୋକ ସେହି ଆକାଉଣ୍ଟରେ ଟଙ୍କା ପଠାଉଛନ୍ତି। ଅଜୟଙ୍କ କହିବାନୁସାରେ ଏବେ ପର୍ଯ୍ୟନ୍ତ ଆକାଉଣ୍ଟକୁ ପ୍ରାୟ ୪୫ ହଜାର ଟଙ୍କା ସାହାଯ୍ୟ ମିଳିସାରିଲାଣି। କେବଳ ସୋସିଆଲ ମିଡିଆ ଯୋଗୁ ତାଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁନୀଲ। ଭବିଷ୍ୟତରେ ସେ ଜଣେ ବଡ଼ ଅଫିସର ହୋଇ ଅସହାୟଙ୍କୁ ସହାୟତାର ହାତ ବଢ଼ାଇବାକୁ ଚାହୁଁଥିବା ସୁନୀଲ କହିଛନ୍ତି।