ଇଏ କି ପାଠପଢ଼ା! କ୍ଲାସ୍‌ରେ ଗୋଟେ କଳାପଟାରେ ୨ ଶିକ୍ଷକ ପଢ଼ାଉଛନ୍ତି ପାଠ, ଜଣେ ହିନ୍ଦୀ ତ ଆଉ ଜଣେ ଉର୍ଦ୍ଦୁ

ପିଲାଙ୍କ ପ୍ରାଥମିକ ଶିକ୍ଷା ପାଇଁ ସରକାର ଯେତେ ଯୋଜନା କଲେ ବି ଅନେକ ଥର ବ୍ୟବସ୍ଥା ଏମିତି ହୋଇଥାଏ ଯେ ଯୋଜନା କେବଳ ଯୋଜନାରେ ହିଁ ରହିଯାଏ। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଗୋଟିଏ କ୍ଲାସ୍‌ରେ ଗୋଟିଏ କଳାପଟାରେ ହିଁ ଦୁଇଟି ଭିନ୍ନ ଭିନ୍ନ ବିଷୟରେ ପଢ଼ାଯାଉଥିବା ଦେଖାଯାଇଛି। ଏଥିରୁ ଜଣାପଡ଼ୁଛି ଏଠାରେ କେମିତି ପାଠ ପଢ଼ା ହେଉଛି।

ଗୋଟିଏ ବ୍ଲାକ୍‌ ବୋର୍ଡରେ ହିନ୍ଦୀ ଓ ଉର୍ଦ୍ଦୁରେ ପାଠପଢ଼ା:

ବ୍ଲାକ୍‌ ବୋର୍ଡ ଗୋଟିଏ, କିନ୍ତୁ ବିଷୟ ଦୁଇଟି। ଗୋଟେ ହିନ୍ଦୀ ଓ ଅନ୍ୟଟି ଉର୍ଦ୍ଦୁ। କେବଳ ଏତିକି ନୁହେଁ, ଯେଉଁ ସ୍କୁଲରେ ଗୋଟିଏ କଳାପଟାରେ ଦୁଇଟି ବିଷୟ ପଢ଼ାଯାଉଛି। ତାହା ଏକ ଆଦର୍ଶ ବିଦ୍ୟାଳୟ। ସ୍କୁଲର ନାଁ ହେଉଛି ଆଦର୍ଶ ମିଡିଲ ସ୍କୁଲ। ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସ୍କୁଲର ଏମିତି ଅବସ୍ଥା ୨୦୧୭ ମସିହାରୁ ରହି ଆସିଛି। ଗତ ୫ ବର୍ଷ ହେଲାଣି ଏଠାରେ ପିଲାମାନେ ପଢ଼ାରେ ଆଡଜଷ୍ଟ କରୁଛନ୍ତି।

ବିହାରରେ ସାମ୍ନାକୁ ଆସିଛି ଏହି ମାମଲା:

ଭାଇରାଲ ହେଉଥିବା ଭିଡିଓ ବିହାରର କଟିହାର ଜିଲ୍ଲାର। ଏଠାରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ କମ୍‌ ସଂଖ୍ୟକ ଶିକ୍ଷକ ଥିବା ବେଳେ କେବଳ ଗୋଟିଏ କଳାପଟା ରହିଛି। ବୋର୍ଡରେ ଲେଖାଯାଇଥିବା ଶବ୍ଦକୁ ଦେଖି ପିଲା ବି ଚିନ୍ତାରେ ପଡ଼ି ଯାଉଛନ୍ତି ଯେ ପଢ଼ିବେ ତ ପଢ଼ିବେ କ’ଣ? କାରଣ କଳାପଟାର ଗୋଟିଏ ପଟେ ହିନ୍ଦୀ ପଢ଼ାଯାଉଥିବା ବେଳେ ଅନ୍ୟ ପଟେ ଉର୍ଦ୍ଦୁରେ କ୍ଲାସ ଚାଲିଛି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Zee News (@zeenews)

ଏହି ଆଦର୍ଶ ବିଦ୍ୟାଳୟର ଦୁରବସ୍ଥା ଏତିକିରେ ସରି ନାହିଁ। ଏହି ସ୍କୁଲରେ ଏବେ ୧୬୩ ଜଣ ପିଲା ପଢ଼ୁଥିବା ବେଳେ ଅଛନ୍ତି ମାତ୍ର ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ। ଗାଁ ଲୋକଙ୍କ କହିବାନୁସାରେ, ଶିକ୍ଷକଙ୍କ ସଂଖ୍ୟା କମ୍‌ ଥିବାରୁ ସ୍କୁଲରେ ଗୋଟିଏ ଦିନରେ ମାତ୍ର ଦୁଇଟି କ୍ଲାସ୍‌ ହୋଇପାରୁଛି। ଏବେ ଭିଡିଓ ସାମ୍ନାକୁ ଆସିବା ପରେ ଜିଲ୍ଲା ଶିକ୍ଷା ପଦାଧିକାରୀ ପ୍ରଶ୍ନ ଘେରରେ। ଏନେଇ ସେ କହିଛନ୍ତି- ଆଗକୁ ସ୍କୁଲ ପିଲାଙ୍କ ପାଇଁ କ୍ଲାସ୍‌ ବ୍ୟବସ୍ଥା କରାଯିବ ଓ ଶିକ୍ଷକ ବି ନିୟୋଜିତ ହେବେ। ପିଲାଙ୍କୁ ଆଉ ପଢ଼ାରେ କିଛି ସମସ୍ୟା ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶିକ୍ଷାଧିକାରୀ।

Also Read: ‘ତାରକ ମେହେତା କା…’ର ଆନିମେଟେଡ୍‌ ଭର୍ସନ୍‌ ରିଲିଜ୍‌, ପୁଣି ଦର୍ଶକଙ୍କୁ ହସାଇବାକୁ ଆସୁଛନ୍ତି ଟପ୍ପୁ ସେନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.