ଏଥର ପୁରୀ ଶ୍ରୀମନ୍ଦିରରୁ ବାହାରୁଥିବା ବର୍ଯ୍ୟବସ୍ତୁରୁ ହେବ ଜୈବିକ ସାର

ପୁରୀ : ପୁରୀ ମାଳତିପାଟପୁର ଠାରେ ପ୍ରଥମ କରି ସ୍ଥାପିତ ହୋଇଛି ବାୟୋଫିକ୍ସପ୍ଲାଣ୍ଟ । ତିନି ଟନ୍ କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟ ପ୍ରଥମେ ଗ୍ୟାସ ଓ ପରେ ବିଦ୍ୟୁତ୍ ଉତ୍ପାଦନ ସହ ଶେଷରେ ଜୈବିକ ସାର ଉତ୍ପାଦନ କରିବାର କ୍ଷମତା ରଖିଛି । ରାଜ୍ୟ ସରକାରଙ୍କ କୃଷି ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସହଯୋଗରେ ଏହି ପ୍ଲାଣ୍ଟ ବସିଛି ।  ଶ୍ରୀମନ୍ଦିରର ବର୍ଜ୍ୟବସ୍ତୁ ସବୁକୁ ଏଠାରେ କମ୍ପୋଷ୍ଟ କରାଯାଇ ଜୈବିକ ସାର ପ୍ରସ୍ତୁତ ହୋଇପାରିବ । ମହାପ୍ରଭୁଙ୍କ ପାଇଁ ଏହି ପ୍ଲାଣ୍ଟ ବସିଥିବାରୁ ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ମିଳିବ ବୋଲି ପ୍ଲାଣ୍ଟ କର୍ମଚାରୀ କହିଛନ୍ତି । ଓଡ଼ିଶାରେ ଏହି ପ୍ଲାଣ୍ଟ ପ୍ରଥମ ।

ତେବେ ଶ୍ରୀମନ୍ଦିରରୁ ନିର୍ଗତ ମହାପ୍ରସାଦ ପାଇଁ ଅଲଗା ମେସିନ୍, ଫୁଲ ତୁଳସୀ ପାଇଁ ଅଲଗା ମେସିନ୍ ଇତ୍ୟାଦି ଅଲଗା ଅଲଗା ମେସିନ୍ ଦ୍ୱାରା ଏହି ପ୍ଲାଣ୍ଟରେ ଜୈବିକ ସାର ଉତ୍ପାଦନ କ୍ଷମତା ବଢ଼ିପାରିବ ବୋଲି ବାୟୋ ଫିକ୍ସର ଯନ୍ତ୍ରୀ ଓ ଅଧିକାରୀ କହିଛନ୍ତି ।

ଏହି ପ୍ଲାଣ୍ଟ ଯୋଗୁଁ ଆଗକୁ ଶ୍ରୀମନ୍ଦିର ପରିସର ଅଧିକ ପରିଷ୍କାର ପରିଚ୍ଛନ୍ନତା ରହିବ ବୋଲି ଆଶା କରାଯାଉଛି । ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୈବିକ ସାର ପ୍ରସ୍ତୁତ ପାଇଁ ଜୈବିକ କାରଖାନା ବସିବା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ସୁଆର ମହାସୁଆର ନିଯୋଗ ସଭାପତି । ଶ୍ରୀମନ୍ଦିର ରୋଷସାଲାରୁ ବାହାରୁଥିବା ପରିବା ଚୋପା, ନଡ଼ିଆ କତା, ସଢେଇ ଆଦି ବର୍ଜ୍ୟବସ୍ତୁ ସବୁକୁ ପ୍ରତିଦିନ ସଫା କରିବା ସହ ପ୍ଲାଣ୍ଟକୁ ପଠାଇ ଜୈବିକ ସାର ପ୍ରସ୍ତୁତ ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି ତାହା ସ୍ୱାଗତଯୋଗ୍ୟ ବୋଲି ନିଯୋଗର ସଭାପତି କହିଛନ୍ତି ।

ସେପଟେ ଆଗକୁ ଜୈବିକ ଚାଉଳରେ ଅମୃତ ଅନ୍ନ ପ୍ରସ୍ତୁତ ହେବାକୁ ଯାଉଥିବା ବେଳେ ଜୈବିକ ସାର ପ୍ରସ୍ତୁତ ପାଇଁ ଏହି ପ୍ଲାଣ୍ଟ ସହାୟକ ହେବ । ସେଥିପାଇଁ ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ବାଇଓଫିକ୍ସ ପ୍ଲାଣ୍ଟ ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଜୈବିକ ସାର ପ୍ରସ୍ତୁତ ପାଇଁ କାରଖାନା ପ୍ରସ୍ତୁତ ହୋଇ ରହିଛି । କେତେ ପରିମାଣରେ ଶ୍ରୀମନ୍ଦିରରୁ ବର୍ଜ୍ୟବସ୍ତୁ ପ୍ଲାଣ୍ଟକୁ ଯୋଗାଯିବ, ଆଉ କେତେ ପରିମାଣର ଜୈବିକ ସାର ପ୍ରସ୍ତୁତ ହୋଇପାରିବ ତାହା ଆଗାମୀ ଦିନରେ ଜଣାପଡିବ । କିନ୍ତୁ ଶ୍ରୀମନ୍ଦିରରୁ ନିର୍ଗତ ଫୁଲ, ଫଳ, କତା, ଷଢେଇ, ମହାପ୍ରସାଦ, ପନିପରିବା ଯେପରି ଶୁଦ୍ଧତା ଢଙ୍ଗରେ ପ୍ଲାଣ୍ଟକୁ ଯାଇ ସାର ପ୍ରସ୍ତୁତ ହେଉ ବୋଲି ସାଧାରଣରେ ଦାବି ହୋଇଛି ।

ଆହୁରି ପଢନ୍ତୁ: ଦୀର୍ଘ ୧୮ ବର୍ଷ ହେବ ମହିଳାଙ୍କ ସଂଘର୍ଷପୂର୍ଣ ଯାତ୍ରା: ନିଜେ ଟ୍ରଲିରେ ଯାଇ ଦହିବରା ଆଳୁଦମ୍ ବ୍ୟବସାୟରେ ଲାଗିପଡ଼ନ୍ତି…