ସମସ୍ୟା ସମାଧାନରେ ଧୁରନ୍ଧର, ଜାଣନ୍ତୁ ଆଇଏଏସ ସୁରେଶ ମହାପାତ୍ରଙ୍କ ଦୀର୍ଘ ୩୪ ବର୍ଷର ନିରନ୍ତର ପ୍ରଶାସନିକ ଯାତ୍ରା ବାବଦରେ

୧୯୮୬ ମସିହାରୁ ୩୪ ବର୍ଷର ଲମ୍ବା ପ୍ରଶାସନିକ ରାସ୍ତା ଚାଲି ଆସିଛନ୍ତି ସୁରେଶ ମହାପାତ୍ର।  ଆଉ ଖୁବ ଶୀଘ୍ର ରାଜ୍ୟ ମୁଖ୍ୟ ଶାସନ ସଚିବ ପଦରେ ବସିବାକୁ ଯାଉଛନ୍ତି । ଗାମ୍ଭିର୍ଯ୍ୟ, ସ୍ଥିର ଚିତ୍ତ ସ୍ୱଭାବର ସୁରେଶ ସବୁସମୟରେ ନିଜ ସହକର୍ମୀ ମାନଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି । ଶାନ୍ତ ମନରେ ଯେକୌଣସି ସମସ୍ୟାର ସମାଧାନ ସୁଚାରୁରୂପେ କରିଦିଅନ୍ତି । ନିଜ ଦକ୍ଷତା, କର୍ମ ତତ୍ପରତା, ନିଷ୍ଠା କାରଣରୁ ସବୁଠି ପରିଚିତ ସୁରେଶ । ବର୍ତ୍ତମାନ ସେ ଉନ୍ନୟନ କମିଶନର ସହ ଏଗ୍ରିକଲଚର ପ୍ରଡକ୍ସନ କମିଶନର ଦାୟିତ୍ୱରେ ଅଛନ୍ତି । ଏହା ପୂର୍ବରୁ ବି ସେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାମ କରି ଆସିଛନ୍ତି ।  କୃଷିରୁ ଜଳ ସମ୍ପଦ, ଗ୍ରୀଡ୍‌କୋ ଚେୟାରମ୍ୟାନରୁ ଓମ୍‌ଫେଡ ଅଧ୍ୟକ୍ଷ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଭାର ସୁରୁଖୁରୁରେ ତୁଲାଇ ଆସିଛନ୍ତି ଶ୍ରୀ ମହାପାତ୍ର । ଭିନ୍ନ ଭିନ୍ନ ସମୟରେ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ମହାପ୍ରଭୁଙ୍କ ସେବା କରିଛନ୍ତି ।

suresh mohapatra

୨୦୦୩ ରୁ ୨୦୦୫ ମଧ୍ୟରେ ଗ୍ରୀଡ଼କୋ ଚ୍ୟାରମ୍ୟାନ ଥିଲେ । ଏହାବାଦ ୨୦୦୮ ରୁ ୨୦୧୧ ମଧ୍ୟରେ ପ୍ରଥମ ଥର ପାଇଁ ଓମ୍‌ଫେଡ୍‌ ଚେୟାରମ୍ୟାନ ଦାୟିତ୍ୱ ତୁଲାଇଥିଲେ । ପରେ ୨୦୧୧ରେ ଦ୍ଵିତୀୟ ଥର ପାଇଁ ବି ତାଙ୍କୁ ଏହି ଦାୟିତ୍ୱରେ ଅବସ୍ଥାପିତ କରାଯାଇଥିଲା । ୨୦୧୪
ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇ ଥିଲେ । ୨୦୦୮ ରୁ ୨୦୧୧ ପର୍ଯ୍ୟନ୍ତ ଜଳ ସମ୍ପଦ ବିଭାଗ ଦାୟିତ୍ୱରେ ବି ଥିଲେ ଶ୍ରୀ ମହାପାତ୍ର । ୨୦୧୪ରୁ ୨୦୧୫ ଯାଏ ସେ ଥିଲେ ଶକ୍ତି ବିଭାଗର ପ୍ରମୁଖ ସଚିବ । ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଗୃହ ବିଭାଗରେ ପ୍ରମୁଖ ସଚିବ ଭାବେ କାମ କରିଛନ୍ତି । ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ଚାରି ବର୍ଷ ଯାଏଁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦରେ ଥିଲେ।

ନିଜ କାର୍ଯ୍ୟକାଳ ଭିତରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବା କରିବାର ବି ସୁଯୋଗ ପାଇଛନ୍ତି । ୨୦୦୬ ରୁ ୨୦୦୭ ଯାଏଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ତାଙ୍କୁ ନିଯୁକ୍ତ କରାଯାଇଥିଲା । ୨୦୨୦ ଡିସେମ୍ବର ୨୫ ତାରିଖରେ ତାଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ନୂଆ ଦାୟିତ୍ୱ ମିଳିଛି । ୨୦୨୨  ଫେବୃଆରୀ ପର୍ଯ୍ୟନ୍ତ ରହିଛି ତାଙ୍କ କାର୍ଯ୍ୟ ଅବଧି । ସେ ଯେ ଜଣେ ଦକ୍ଷ ପ୍ର୍ରଶାସନିକ ଅଧିକାରୀ ଏଥିରେ କୌଣସି ସନ୍ଦେହ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.