ଆଜି ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ, ଯିଏ ଥିଲେ ଓଡ଼ିଆ ଉପନ୍ୟାସର ଜନକ

ଓଡ଼ିଆ ସାହିତ୍ୟକୁ ତାଙ୍କର ଥିଲା ଅନନ୍ୟ ଦାନ । ନିଜ ଲେଖନୀ ମୁନରେ ସିଏ ଓଡ଼ିଆ ଭାଷାକୁ ଜୀବନ୍ତ କରି ଗଢି ତୋଳିଥିଲେ । ଓଡ଼ିଶାର ସେହି ଅନନ୍ୟ ବରପୁତ୍ର ଜଣକ ହେଉଛନ୍ତି ବ୍ୟାସକବି ଫକୀର ମୋହନ ସେନାପତି । ସେହି ସମୟର ସାଧାରଣ ସାମାଜିକ ଚଳଣିକୁ ନେଇ ହିଁ ସେ ରଚିଛନ୍ତି ଅନେକ ଉପନ୍ୟାସ, ପୁସ୍ତକ । ତାଙ୍କ ରଚନାରେ ତତକାଳୀନ ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ ଅବସ୍ଥା ଗୁଡିକ ସହଜରେ ବାରି ହୋଇପଡେ । ତାଙ୍କ ଦ୍ୱାରା ରଚିତ ଲୋକପ୍ରିୟ ଉପନ୍ୟାସ ଗୁଡିକ ଭିତରେ ଅଛି ରେବତୀ, ପେଟେଣ୍ଟ ମେଡ଼ିସିନ, ଡାକମୁନସୀ, ସଭ୍ୟ ଜମିଦାର, ମାମୁଁ, ଛ ମାଣ ଆଠ ଗୁଣ୍ଠ, ପ୍ରାୟଶ୍ଚିତ ଆଦି । ହିନ୍ଦୀ ସାହିତ୍ୟରେ ପ୍ରେମଚାନ୍ଦ ଓ ଓଡ଼ିଆ ସାହିତ୍ୟରେ ଫକୀର ମୋହନଙ୍କୁ ସମତୁଲ୍ୟ ଧରାଯାଏ ।

fakir mohan

ଫକୀର ମୋହନ ପ୍ରଖ୍ୟାତ ପୁରାଣ ରାମାୟଣ, ଗୀତା, ଉପନିଷଦ ଆଦି ଗ୍ରନ୍ଥ ଗୁଡିକର ଓଡ଼ିଆ ଅନୁବାଦ ବି କରିଛନ୍ତି । ୧୮୪୩ ମସିହା ଜାନୁଆରୀ ମାସ ୧୩ ତାରିଖ ମକର ସଂକ୍ରାନ୍ତି ଅବସରରେ ଏହି ମହାପୁରୁଷଙ୍କ ଜନ୍ମ ହୋଇଥିବା ବେଳେ ୧୯୧୮ ମସିହା ଜୁନ ମାସ ୧୪ ତାରିଖରେ ରଜ ସଂକ୍ରାନ୍ତି ଅବସରରେ ସେ ଇହଧାମ ତ୍ୟାଗ କରିଥିଲେ । ତେଣୁ କରି ତ ତାଙ୍କୁ ସଂକ୍ରାନ୍ତି ପୁରୁଷ ଭବେ ବୋଲି ମଧ୍ୟ ଜଣାଯାଏ । ଅନ୍ୟ ପକ୍ଷରେ ତାଙ୍କୁ ଓଡ଼ିଆ ଜାତିର ପିତା ତଥା ଆଧୁନିକ ଓଡ଼ିଆ ଭାଷାର ଜନକ ଭାବେ ବୋଲି ମଧ୍ୟ ଧରାଯାଏ । ପିତା ଲଖମଣ ଚନ୍ଦ୍ର ସେନାପତି ଓ ମାତା ତୁଳସୀ ଦେବୀଙ୍କ ଔରସରୁ ଏକ ମଧ୍ୟବିତ୍ତ ଖଣ୍ଡାୟତ ପରିବାରରେ ହୋଇଥିଲା ତାଙ୍କର ଜନ୍ମ । ମାତ୍ର ଦେଢ଼ ବର୍ଷ ହୋଇଥିବା ବେଳେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା । ଆଉ ପିତାଙ୍କ ମୃତ୍ୟୁର ମାତ୍ର ୧୪ ମାସ ପରେ ମା’ ବି ଜଗତ ଛାଡ଼ି ଚାଲିଯାଇଥିଲେ ।

ଦୁର୍ବଳ ଶରୀର ଓ ବନ୍ଧୁ ବାନ୍ଧବଙ୍କ ଈର୍ଷାଳୁ ମନୋଭାବ ତାଙ୍କ ପାଠ ପଢ଼ାରେ ବାଧା ସୃଷ୍ଟି କରିଥିଲା । ଜଣେ ଶିଶୁ ଶ୍ରମିକ ଭାବେ କାମ କରି ନିଜ ଗୁଜୁରାଣ ମେଣ୍ଟାଇବା ସହ ବହୁ କଷ୍ଟରେ ଦି ଅକ୍ଷର ପାଠ ପଢିଥିଲେ । ନିଜେ ଏତେ ବାଧା ବିଘନର ସମ୍ମୁଖୀନ ହେବା ସତ୍ତ୍ୱେ ଓଡ଼ିଆ ଜାତି ପ୍ରତି ତାଙ୍କ ଦାନ ଥିଲା ଅନନ୍ୟ । ତାଙ୍କୁ ଓଡ଼ିଆ ଉପନ୍ୟାସର ଜନକ ଭାବେ ମଧ୍ୟ ଧରାଯାଏ । ତାଙ୍କ ଜନ୍ମ ସ୍ଥାନ ବାଲେଶ୍ୱରର ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଆଦିକୁ ତାଙ୍କରି ନାଁରେ ହିଁ ନାମିତ କରାଯାଇଛି । ମାୟାଧର ମାନସିଂହ, ଶ୍ରୀ ସେନାପତିଙ୍କୁ ଓଡ଼ିଶାର ଥୋମାସ ହାର୍ଡ଼ି ଭାବେ ନାମିତ କରିଥିଲେ । ଓଡ଼ିଆ ଜଗତରେ ଫକୀର ମୋହନ ହିଁ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ନିଜ ଉପରେ ଆତ୍ମ ଜୀବନୀ ରଚନା କରିଛନ୍ତି । ସିଏ ‘ଉତ୍କଳ ଭ୍ରମଣ’ ନାଁରେ ଏକ ଦୀର୍ଘ କବିତା ମଧ୍ୟ ରଚନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.