ପ୍ରକୃତି ବନ୍ଧୁ ବିଶ୍ୱନାଥ, ପେଶାରେ ସେ ଜଣେ ବ୍ୟବସାୟୀ ହେଲେ ନିଶା ଗଛ ଲଗାଇବା

ପ୍ରକୃତି ବନ୍ଧୁ ବିଶ୍ୱନାଥ । ବୟସ ୭୦ ଟପିଲାଣି । ଯାଜପୁର ସଦର ବ୍ଲକ ବିଚିତ୍ରପୁର ପଞ୍ଚାୟତର ବିଚିତ୍ରପୁର ଗାଁରେ ହିଁ ବିଶ୍ବନାଥଙ୍କ ଜନ୍ମ । ପେଶାରେ ସେ ଜଣେ ବ୍ୟବସାୟୀ ହୋଇଥିଲେ ବି ନିଶା ତାଙ୍କର ଗଛ ଲଗାଇବା । ବିଶ୍ଵନାଥଙ୍କ ଯାଦୁକାରୀ ହାତ ସ୍ପର୍ଶରେ ସାରା ପଞ୍ଚାୟତ ଆଜି ସବୁଜିମାରେ ପୁରିଉଠିଛି । ଜାତି ଜାତିର ଫୁଲଫଳରେ ଖିଲି ଖିଲି ହୋଇ ହସୁଛି ସାରା ଅଞ୍ଚଳ । ସ୍କୁଲ କଲେଜ ହେଉ ଅବା ମଠ ମନ୍ଦିର, ଗୋଚର ଜମି ଓ ରାସ୍ତାଘାଟ ସବୁଠି ତାଙ୍କର ନିରନ୍ତର ପ୍ରୟାସ ଯୋଗୁଁ ଜୀବନ୍ତ ହୋଇ ଉଠିଛନ୍ତି ବିଭିନ୍ନ ପ୍ରକାରର ଗଛଲତା ।

ପାଖାପାଖି ୫୦ ହଜାରରୁ ଉର୍ଦ୍ଧ୍ବ ଗଛ ଲଗାଇ ସଂପୂର୍ଣ୍ଣ ପରିବେଶକୁ ସବୁଜିମାରେ ସଜାଇଛନ୍ତି ବିଶ୍ବନାଥ । ଆମେ କହୁଛୁ ଯାଜପୁର ସଦର ବ୍ଲକ ବିଚିତ୍ରପୁର ଗାଁର ବିଶ୍ଵନାଥ ପଣ୍ଡାଙ୍କ କଥା । ପିଲା ଦିନେ ଦ୍ଵିତୀୟ ଶ୍ରେଣୀରେ ପାଠ ପଢିବା ସମୟରେ ”ଆମେ ଗଛ ଲଗାଇବା କାହା ପାଇଁ” ବିଷୟଟି ବିଶ୍ବନାଥଙ୍କ ହୃଦୟକୁ ବେଶ୍ ଛୁଇଁଥିଲା । ସେବେ ଠାରୁ ତାଙ୍କ ମନ ଗଛ ଲଗାଇବା ପାଇଁ ବ୍ୟାକୁଳ ହୋଇ ଉଠିଥିଲା । କଅଁଳ ବୟସରେ ବୃକ୍ଷପ୍ରତି ଉଙ୍କି ମାରିଥିବା ପ୍ରେମ ତାଙ୍କୁ ଆଜି ପ୍ରକୃତି ପୂଜାରୀ ରୂପେ ସଜାଇ ଦେଇଛି ।

ଆଉ ତାଙ୍କ ଯାଦୁକାରୀ ହାତର ସ୍ପର୍ଶ ସାରା ଅଞ୍ଚଳକୁ ଚୀରସବୁଜ କରି ଗଢିତୋଳିଛି । ଆମ୍ବ, ପଣସ, ସେପେଟା, ନଡ଼ିଆ, ଗୁଆ, ତାଳ, ପିଜୁଳି, ଜାମୁକୋଳି ଆଦି ଫଳଗଛ ସହିତ ବର, ଓସ୍ତ, ନିମ୍ବ, ଦେବଦାରୁ ଆଦି ହଜାର ହଜାର ଗଛ ଲଗାଇ ଚାଲିଛନ୍ତି ବିଶ୍ବନାଥ । ଆଜି ସମଗ୍ର ବିଚିତ୍ରପୁର ଅଞ୍ଚଳଟି ଖିଲି ଖିଲି ହୋଇ ହସୁଛି ସବୁଜିମାରେ । ସେ ଜଣେ ସାଧାସିଧା ସରଳ ମଣିଷଟିଏ ହୋଇଥିଲେ ବି ପ୍ରକୃତି ପ୍ରତି ଥିବା ପ୍ରେମ ତାଙ୍କୁ ଆଜି ଦେବତା ତୁଲ୍ୟ କରିଦେଇଛି । ପଶୁପକ୍ଷୀ ହୁଅନ୍ତୁ କି ଆଗନ୍ତୁକ ନିଜର ସାହାରା ପାଇଁ ଗଛର ଛାଇ ଲୋଡିଥାନ୍ତି ।

ମାତ୍ର ଚାରିଆଡେ ଏବେ ସହରୀକରଣ ସାଙ୍ଗକୁ ମାଳମାଳ ଶିଳ୍ପ ଗଢି ଉଠୁଛି । ଯାହାଦ୍ୱାରା ବଣପାହାଡ ଆଦି ସେମାନଙ୍କର ସତ୍ତା ହରାଉଛନ୍ତି । ବୃକ୍ଷର ଅଭାବ ଯୋଗୁଁ ପରିବେଶ ଆଜି ଧ୍ବଂସ ଆଡକୁ ଗତି କରୁଛି । ଏଭଳି ସ୍ଥିତିରେ ବୃକ୍ଷମାନଙ୍କର ପ୍ରକୃତ ବନ୍ଧୁ ହୋଇ ଛିଡା ହୋଇ ପାରିଛନ୍ତି ବିଶ୍ବନାଥ । ଏଥିପାଇଁ ସେ ବହୁ ସ୍ଥାନରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି । ବଡକଥା ହେଲା ବିଶ୍ବନାଥଙ୍କ ବୟସ ଏବେ ୭୧ ଛୁଇଁଲାଣି । ବିଶ୍ରାମ ନେବା ବୟସରେ ହାତରେ କୋଦାଳ ଧରି ମାଟି ତାଡି ଗଛ ଲଗାଇବାକୁ ଧାଇଁ ଆସନ୍ତି ବିଶ୍ବନାଥ ।

ସତରେ ତାଙ୍କ ଭିତରେ ଗଛ ଲଗାଇବାର କି ଆଗ୍ରହ ରହିଛି । ଆଉ ରହିଛି ଉତ୍ସାହ ଓ ଉଦ୍ଦିପନା । ଖରା ବର୍ଷା ଶୀତ କାକର ତାଙ୍କୁ ଏସବୁ କିଛି ବି କାଟୁ କରେନି । ସମୟ ବି ପ୍ରତିବନ୍ଧକ ସାଜେନି । ସେଥିପାଇଁ ତ ସେ ସମାଜ ଆଗରେ ବୃକ୍ଷର ପୂଜାରୀ ଭାବରେ ବେଶ୍ ପରିଚିତ । ସବୁରି ମୁହଁରେ ବିଶ୍ବନାଥଙ୍କର ପ୍ରଶଂସା । ଆଜିର ଏ ଅର୍ଥସର୍ବସ୍ବ ଦୁନିଆରେ ବିଶ୍ବନାଥ ତାଙ୍କ ମଣିଷପଣିଆ ଭୁଲିନାହାନ୍ତି । ପରିଣତ ବୟସରେ ବି ପ୍ରକୃତିର ଜଣେ ଅବିଶ୍ରାନ୍ତ ସାରଥୀ ଭାବରେ ଗୋଟିଏ ପରେ ଗୋଟେ ଗଛ ଲଗାଇ ପରିବେଶ ପ୍ରତି ହୋଇଛନ୍ତି ଯତ୍ନବାନ ।

Also read: ଫୁଟବଲ୍ ଖେଳିବା ସମୟରେ ଚାଲିଗଲା ଯୁବକଙ୍କ ଜୀବନ, ଚକ୍ଷୁଦାନ କଲେ ପରିବାର ଲୋକେ