ଡଙ୍ଗା ବୁଡି ଘଟଣା: ମିଳିଲା ଦମ୍ପତିଙ୍କର ମୃତଦେହ, ଏବେ କିଏ ହେବ ଦୁଇଟି କଅଁଳ ପିଲାଙ୍କୁ ସାହା?
ଲମତାପୁଟ : ଏକେଲା ଭାସୁଛି ଆହୁଲା । ପାଖରେ ଡଙ୍ଗା ନାହିଁ କି କେହି ଲୋକବି ନାହାନ୍ତି । ଯେମିତି ନିସ୍ତବ୍ଧ ପାଲଟି ଯାଇଛି ସାରା ପରିବେଶ । କେମିତି ବା ନିସ୍ତବ୍ଧ ନଲାଗିବ ଘଟିଯାଇଛି ବଡ ଅଘଟଣ । ଯାହାକୁ କିଏ କେବେ କଳ୍ପନାରେ ସୁଦ୍ଧା ଭାବିନଥିବେ । କିଏ ଜାଣିଥିଲା ଜୀବନ ଏମିତି ଧୋକା ଦେବ ବୋଲି । ଆଖିର ଲୁହ ବୋଲମାନୁନି । କାନ୍ଦ ବୋବାଳିରେ ଫାଟିପଡୁଛି ସାରା ପରିବେଶ । ରୁଣ୍ଡ ହୋଇଛନ୍ତି ଗାଁଟା ଯାକର ଲୋକ । ବିକଳ ରଡିରେ ଛାତି ଯେମିତି ଫାଟି ପଡୁଛି । କିଏ କାହାକୁ ବୁଝାଇବା ସ୍ଥିତି ହିଁ ନାହାନ୍ତି । ଏତେ ବଡ ଦୁଃଖ ଦଇବ ଦେଲା, କେମିତି ବା କିଏ ଧାର୍ଯ୍ୟ ଧରି ରହିପାରିବ ।
କିଛି ସମୟ ପୂର୍ବରୁ ସବୁ ଠିକ୍ ଥିଲା ହେଲେ ନିମିଷକ ଭିତରେ ଘଟିଥିଲା ଦୁଃଖଦ ଘଟଣା । ଘରେ ଦୁଇ ଦୁଇଟି କଅଁଳ ଛୁଆ । ଝିଅଟିକୁ ୩ବର୍ଷ ଆଉ ପୁଅଟି ମାତ୍ର ଦେଢ ବର୍ଷର । ଜୀବନ କଣ ଜାଣିବା ପୂର୍ବରୁ ବାପା ମାଆ ଛେଉଣ୍ଡ ହୋଇଗଲେ ପିଲା ଦୁଇଟି । ତା ସାଙ୍ଗକୁ ଘରେ ବୁଢୀ ମାଆଟି । ସେ ପୁଣି ଭିନ୍ନକ୍ଷମ । ସତରେ ଭଗବାନ କଣ ଏତେ ନିଷ୍ଠୁର । ଏ ଘଟଣା ହେଉଛି ଗତକାଲି । ଗତକାଲିଠରୁ ନିଖୋଜ ଥିଲେ ଦମ୍ପତି । ଜଣଙ୍କ ମୃତଦେହ ଠାବ ହୋଇଥିଲା, ଆଉ ଜଣଙ୍କୁ ଖୋଜୁଥିଲା ଓଡ୍ରାଫ୍ ଟିମ୍ । ତେବେ ଜଲାପୁଟ ଜଳ ଭଣ୍ଡାରରେ ଗତକାଲି ଠାରୁ ଡଙ୍ଗା ବୁଡ଼ି ଘଟଣାରେ ନିଖୋଜ ଥିବା ନନ୍ଦପୁର ବ୍ଲକ ଜବାଗଡ ଗାଁର ଦମ୍ପତି କୃଷ୍ଣ ପାଡ଼ିକି ଓ ପ୍ରତିମା ପାଡ଼ିକି ଉଭୟଙ୍କର ଏବେ ମିଳି ସାରିଛି ମୃତ ଶରୀର ।
ଦୀର୍ଘ ୧୮ଘଣ୍ଟା ପରେ ଜଲାପୁଟ ଜଳଭଣ୍ଡାରରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଛି କୋରାପୁଟ ଓଡ୍ରାଫ ଟିମ୍ l ସୂଚନା ଅନୁସାରେ, ଗତକାଲି ହଠାତ୍ ମେଘୁଆ ପାଗ ଏବଂ ଝିପି ଝିପି ବର୍ଷା ଆସିବା ଦେଖି ଜଲାପୁଟ ଜଳଭଣ୍ଡାର ପାର ହୋଇ ସୁଆଁ ଅମଳ ପାଇଁ ଯାଇଥିଲେ ଦମ୍ପତି l ଗ୍ରାମର କିଛି ଲୋକ ମଧ୍ୟ ନଦୀ ପାର୍ ହୋଇ ସୁଆଁ ଅମଳ ପାଇଁ ଯାଇଥିଲେ l କିଛି ଲୋକ ଅପରାହ୍ନ ଦୁଇଟା ପୂର୍ବରୁ ଘରକୁ ଫେରି ଆସିଥିଲେ l କୃଷ୍ଣ ଏବଂ ତାଙ୍କ ସ୍ତ୍ରୀ ଚାଷ ଜମିରୁ ସୁଆଁ ଅମଳ କରି ଏକ ଦେଶୀ ଡଙ୍ଗାରେ ପ୍ରାୟ ୬ ବସ୍ତା ସୁଆଁ ଧରି ଘରକୁ ଫେରୁଥିବା ସମୟରେ ହଠାତ୍ ଡଙ୍ଗାଟି ବୁଡ଼ି ଯାଇଥିଲା । କିଏ ଜାଣିଥିଲା ଏମିତି ଅଘଟଣ ଘଟିଯିବ ବୋଲି । ଡଙ୍ଗାଟି ବୁଡ଼ିଯିବାରୁ ଉଭୟ ସ୍ୱାମୀ ସ୍ତ୍ରୀ ଗଭୀର ଜଳଭଣ୍ଡାର ଭିତରେ ବୁଡିଯାଇଥିଲେ ।
ବଞ୍ଚିବା ପାଇଁ ବହୁତ ସଂଘର୍ଷ କରିଥିଲେ । ହେଲେ ଶେଷରେ ହାରିଗଲେ । ଗଭୀର ଜଳରାଶି ଭିତରେ କୁଆଡେ ହଜିଗଲେ ଯେ କେହି ଖୋଜ ଖବର ଟିକେ ପାଇଲେନି । ନଦୀ କୂଳରେ ଚପଲ ଓ କାତ ଭାସୁଥିବାର ଦେଖି ଗାଁ ଲେକେ ସନ୍ଧେହ କରି ଖୋଜା ଖୋଜି ଆରମ୍ଭ କରିଥିଲେ l ଶେଷରେ ପୋଲିସ୍ ଏବଂ ଅଗ୍ନିଶମ ବାହିନୀ ସଙ୍ଗେ ସଙ୍ଗେ ଆସି ପହଁଚିଥିଲେ l ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ପରେ ଖୋଜା ଖୋଜି ପରେ ବି ଗତକାଲି କୌଣସି ପତ୍ତା ମିଳିନଥିଲା । ଶେଷରେ ସଂଧ୍ୟା ହୋଇଯିବାରୁ ସର୍ଚ୍ଚ ଅପରେସନ ବନ୍ଦ ରଖିଥିଲା ଓଡ୍ରାଫ୍ ଟିମ୍ । ଆଜି ପୁଣି ସକାଳୁ ଖୋଜାଖୋଜି ଆରମ୍ଭ କରିଥିଲା । ତେବେ ପ୍ରାୟ ୧୮ ଘଣ୍ଟା ପରେ ପ୍ରଥମେ କୃଷ୍ଣ ପାଡ଼ିକିଙ୍କ ମୃତଦେହ ମିଳିଥିବାବେଳେ, କିଛି ସମୟ ପରେ ପ୍ରତିମା ପାଡ଼ିକିଙ୍କ ପତ୍ତା ମିଳିଥିଲା ।
ଏପଟେ କଅଁଳ ଶିଶୁ ଦୁଇଟି ବାପା ମାଆଙ୍କୁ ଖୋଜି ବାହୁନି ବହୁନି କାନ୍ଦୁଛନ୍ତି । ସେପଟେ ବୁଢ଼ୀ ମାଆର ଅବସ୍ଥା ନ କହିବା ଭଲ । କିଏ ହେବ ସାହା ଏମାନଙ୍କୁ? ମାଛକୁଣ୍ଡ ପୋଲିସ୍ ମୃତଦେହ ବ୍ୟବଛେଦ କରିବା ପରେ ଗ୍ରାମବାସୀଙ୍କୁ ଶରୀର ହସ୍ତାନ୍ତର କରିଥିଲା । ଏହାପରେ ଗାଁ ଶ୍ମଶାନରେ ଦମ୍ପତିଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ସୂଚନା ମିଳିଛି । ତେବେ ଏହିଘଟଣାକୁ ନେଇ ସମଗ୍ର ଗାଁରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।