କଣ ପାଇଁ ଶ୍ୱଶୁର ଘର ଉପରକୁ ବୋମା ଫିଙ୍ଗିଲା ଜ୍ୱାଇଁ ?

ଘରର ଝରକା କାଚ ଭାଙ୍ଗି ଆଁ କରିଛି । ଆଉ ଘର ଭିତର ଆସବାବ ପତ୍ର ଭାଙ୍ଗିରୁଜି ଏଣେ ତେଣେ ପଡ଼ିଛି । ଭଗବାନଙ୍କ କରୁଣାରୁ ଜୀବନ ସିନା ବଞ୍ଚି ଯାଇଛି ହେଲେ ଘରେ ଥିବା ଜିନିଷ ସବୁ କିଛି ନଷ୍ଟ ହୋଇଯାଇଛି । ଘରର ଏପରି ଅବସ୍ଥା ଦେଖି ଆପଣ ଭାବୁଥିବେ ବୋଧେ ଭୂମିକମ୍ପ ହୋଇଛି ନଚେତ୍ କିଛି ଗୋଟେ ବଡ଼ ଅଘଟଣ ଘଟିଛି ।

ନାଁ ଆଜ୍ଞା, ଏଠାରେ ଅଘଟଣ ତ ଘଟିଛି ସତ ହେଲେ ଅତି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ରାମ ନବମୀ ସକାଳୁ ନରସିଂହପୁର ମୁସଲିମ ବସ୍ତିରେ ଫୁଟିଲା ବୋମା । ପ୍ରଚଣ୍ଡ ଶବ୍ଦରେ କମ୍ପି ଉଠିଲା ପୂରା ଅଞ୍ଚଳ । ବୋମା ଫୁଟିବା ପରେ ପଡିଶା ଘରେ ଥିବା ସମସ୍ତ ଲୋକେ ଚମକି ପଡିଥିଲେ। କଣ ହେଲା …କଣ ହେଲା ବୋଲି ଧାଇଁ ଆସିଥିଲେ ସମସ୍ତେ । ଦେଖିଲା ବେଳକୁ ନରସିଂହପୁର ଥାନା ଅନ୍ତର୍ଗତ ମୁସଲମାନ ସାହିର ସୁଲତାନ ମହମ୍ମଦଙ୍କ ଘରର ଅବସ୍ଥା ଯାହା ହୋଇଥିଲା ତାହା ଆପଣମାନଙ୍କ ସାମ୍ନାରେ। ଏ ଘରର ଏପରି ଅବସ୍ଥା କେମିତି ହେଲା ଜାଣନ୍ତୁ ପୁରା ଘଟଣା କଣ…. ?

ନରସିଂହପୁର ଥାନା ଅଞ୍ଚଳ ସୁଲତାନ ମହମ୍ମଦଙ୍କ ଘରେ ଏହି ଘଟଣା ଘଟିଛି । ପୁଣି ବୋମା ପକାଇଛନ୍ତି ତାଙ୍କର ଜ୍ବାଇଁ । ଜ୍ୱାଇଁ ହେଉଛନ୍ତି ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଗାଁର ଅବଦୁଲ୍ ମନସୁର । ଶ୍ବଶୁର ଘରକୁ ମନ୍ସୁରଙ୍କ ସହ ତାଙ୍କର ଦୁଇ ସହଯୋଗୀ ଆସିଥିଲେ । ବିଳମ୍ବିତ ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ବିବାଦକୁ ନେଇ ପାଟିତୁଣ୍ଡ ହୋଇଥିଲା। ଯେଉଁଥିରେ ଉତ୍କ୍ଷିପ୍ତ ହୋଇ ମନ୍ସୁର୍ ଦୁଇଟି ବୋମା ଶ୍ୱଶୁର ଘର ଉପରକୁ ଫିଙ୍ଗିଥିବା ଅଭିଯୋଗ ହୋଇଛି । ଯେଉଁଥିରେ ଘରର କବାଟ, ଝରକା, କାଚ ସହ ଅନେକ ଆସବାବପତ୍ର ନଷ୍ଟ ହୋଇ ଯାଇଛି । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ । ଅନ୍ୟପଟେ ବୋମାମାଡ଼ ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ କରିଛି ।

ସ୍ବାମୀ ସ୍ତ୍ରୀ ଭିତରେ ଗଣ୍ଡଗୋଳ । ସାମାନ୍ୟ ପାଟିତୁଣ୍ଡରୁ ଉଗ୍ରରୂପ ନେଲା ବିବାଦ । ଶ୍ୱଶୁର ଘର ଉପରକୁ ବୋମା ଫିଙ୍ଗିବାକୁ ପଛାଇଲା ନାହିଁ ଜ୍ୱାଇଁ । ଏପରି କରିବା ପଛରେ ପ୍ରକୃତ କାରଣ ଥିଲା ଅନ୍ୟ କିଛି । ଶ୍ବଶୁରଙ୍କ କହିବା ଅନୁଯାୟୀ, ମୋ ଝିଅକୁ ଜ୍ବାଇ ନିର୍ଯାତନା ଦେଉଥିଲେ ସେଥିପାଇଁ ମୁଁ ଝିଅକୁ ଘରକୁ ନେଇ ଆସିଥିଲୁ । ହେଲେ ଜ୍ବାଇଁ ଏଠାକୁ ଆସି ଧମକ ଚମକ ଦେଇ ଯାଇଥିଲେ। କିନ୍ତୁ ସତକୁ ସତ ସେ ଏପରି କାଣ୍ଡ କରି ବସିବେ ସେକଥା ଆମେ କେହି ଭାବି ନଥିଲୁ । ଏବେ ଆମେ ନ୍ୟାୟ ଚାହୁଁଛୁ । ତେବେ ସତ କଣ ପୋଲିସ ତଦନ୍ତ ପରେ ସାମ୍ନାକୁ ଆସିବ । … ଏପଟେ ଜ୍ବାଇଁର ଏଭଳି କାଣ୍ଡକୁ ନେଇ ସବୁଠି ଚର୍ଚ୍ଚା ।

Also Read:କାହିଁକି ୧୪ ବର୍ଷ ବନବାସ ଜୀବନ ବିତାଇଥିଲେ ପ୍ରଭୁ ଶ୍ରୀରାମ? ଜାଣନ୍ତୁ ରୋଚକ ତଥ୍ୟ