ପୁନର୍ଜନ୍ମ ପାଇଲେ ଜେମି, ଟାଇଟାନିକର ଆର୍କିଟେକ୍ଟ ଇଞ୍ଜିନିୟର ଥିବା ନେଇ ଦାବି

ଆପଣ ନିଶ୍ଚିତ ଭାବେ ଅନେକ ଫିଲ୍ମରେ ପୁନର୍ଜନ୍ମର ଦୃଶ୍ୟ ଦେଖିଥିବେ । ଫିଲ୍ମରେ ଏସବୁ ଘଟଣା ଦେଖିବାକୁ ଭଲ ଲାଗେ । ବାସ୍ତବ ଜୀବନରେ ବି କିଛି ଲୋକ ଏଭଳି ଘଟଣାକୁ ବିଶ୍ୱାସ କରନ୍ତି । କିନ୍ତୁ ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଏଭଳି ଘଟଣାକୁ ଆଦୌ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ନିକଟରେ ଏମିତି ଏକ ଘଟଣା ସମ୍ନାକୁ ଆସିଛି ଯାହା ବିଷୟରେ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ଆମେ ଆପଣଙ୍କୁ ଜଣେ ୫ ବର୍ଷ ପିଲାର ଏମିତି ଏକ ବିରଳ କାହାଣୀ ବିଷୟରେ ଜଣାଇବୁ ଯେଉଁ ଘଟଣା ବିଷୟରେ ଜାଣିଲେ ଆପଣ ସ୍ତବ୍ଧ ହୋଇଯିବେ । ଏହି ପିଲାର ପୁନର୍ଜନ୍ମକୁ ନେଇ ଏମିତି ଏକ ବିରଳ କାହାଣୀ ଭାଇରାଲ ହେଉଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଏକ ରିପୋର୍ଟ ଅନୁଯାୟୀ ଜେମି ନାମକ ଜଣେ ୫ ବର୍ଷ ବାଳକର ହୋଇଛି ପୁନର୍ଜନ୍ମ । ଏଭଳି ଦାବି କରିଛନ୍ତି ଜେମିଙ୍କ ମା’ । ଏକ ଟିଭି ସୋ LMN ର ପ୍ରୋଗ୍ରାମ ‘ଦ ଘୋଷ୍ଟ ଇନସାଇଡ୍ ମାଏ ଚାଇଲ୍ଡ’ରେ ମହିଳା ଦାବି କରିଛନ୍ତି ଯେ ତାଙ୍କ ପୁଅ ଜେମି ପୂର୍ବଜନ୍ମରେ ଟାଇଟାନିକର ଆର୍କିଟେକ୍ଟ ଇଞ୍ଜିନିୟର ଥୋମାସ୍ ଆଣ୍ଡ୍ର୍ୟୁସ୍ ଥିଲେ । ଏବଂ ସେ ୧୯୧୨ ମସିହାରେ ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ବୁଡ଼ି ମୃତ୍ୟୁ ବରଣ କରିଥିଲେ । ଏହି ଦାବିକୁ ନେଇ ମହିଳା କହିଛନ୍ତି ଯେ ଜେମି ଆରମ୍ଭରୁ ଗଭୀର ପାଣିକୁ ଦେଖି ବହୁତ ଡରେ । ଏବଂ ମୁଁ ବୁଝି ପାରୁନଥିଲି ସେ କାହିଁକି ଏମିତି ଭୟଭୀତ ହେଉଛି । ଦିନେ ମହିଳା ଓ ତାଙ୍କ ପୁଅ ମିଶି ଟାଇଟାନିକ ଫିଲ୍ମ ଦେଖୁଥିଲେ ଏବଂ ଜେମି ଅଧିକ ଡରିବାକୁ ଲାଗିଥିଲା । ଫିଲ୍ମକୁ ଦେଖିବା ସମୟରେ ଜେମି ନିଜ ମା’ କୁ କହିଥିଲା ଯେ ଜାହାଜ ନିର୍ମାଣ ସମୟରେ କେଉଁଠି ଭୁଲ ହୋଇଥିଲା । ଏବଂ କେଉଁ କାରଣରୁ ଜାହାଜ ବୁଡ଼ି ଯାଇଥିଲା । ପୁଅର କଥା ଶୁଣିବା ପରେ ମହିଳା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏସବୁ କଥା ତାଙ୍କ ପୁଅ କେମିତି ଜାଣିଲା । ଏସବୁ ପ୍ରଶ୍ନ ମହିଳାଙ୍କ ମନରେ ଆସିଥିଲା ।
ଏହା ବ୍ୟତୀତ ଜେମିଙ୍କ ମା କହିଛନ୍ତି ଯେ ଫିଲ୍ମ ଦେଖିବା ପରେ ତାଙ୍କ ପୁଅ ଟାଇଟାନିକ୍ ଜାହାଜ ବୁଡ଼ି ଯାଉଥିବାର ପାଖାପାଖି ୫୦ଟି ଚିତ୍ର ଆଙ୍କିଥିଲା । ଏହି ଚିତ୍ରଗୁଡ଼ିକ ଅବିକଳ ୧୯୧୨ ମସିହାରେ ଟାଇଟାନିକ୍ ଜାହାଜ ବୁଡ଼ିଯାଉଥିବାର ଦୃଶ୍ୟ ସହ ସମାନ ଥିଲା । ଜେମି ଟାଇଟାନିକର ଇଣ୍ଟେରିୟର ଠାରୁ ଆରମ୍ଭ ଏହାର ଝରକା ପର୍ଯ୍ୟନ୍ତ ସବୁକିଛି ମନେ ରଖିଥିଲା । ମାତ୍ର ୫ ବର୍ଷ ବୟସରେ ଏତେ କଥା ମନେ ରଖିବା ସମ୍ଭବ ନୁହେଁ କିନ୍ତୁ ଜେମି ଏସବୁ କେମିତି ମନେ ରଖିଲା ତାକୁ ନେଇ ମହିଳାଙ୍କର ସନ୍ଦେହ ହୋଇଥିଲା ।
ଶୋ’ରେ ଆଲୋଚନା କରୁଥିବାବେଳେ ଜେମିଙ୍କ ମା କହିଥିଲେ ଯେ ଜେମି ଦିନେ ବଡ଼ ଲୋକଙ୍କ ଭଳି ରୁମରେ ପାଟି କରୁଥିଲା । ଜାହାଜ ବୁଡ଼ି ଯାଉଛି କହି ଚିତ୍କାର କରିଥିଲା । ଆଉ ଚିତ୍କାର ଶୁଣି ଜେମିର ବାପା ମା’ ଖୁବ୍ ଡରି ଯାଇଥିଲେ । ସେଦିନର ସେହି ସ୍ମୃତିକୁ କେବେ ବି ଭୁଲି ପାରିବେନି ବୋଲି ଜେମିଙ୍କ ମା’ କହିଛନ୍ତି । ଜେମିଙ୍କ ବାପା ମା’ ଏ ଘଟଣାରେ ଏତେ ଭୟଭିତ ହୋଇଥିଲେ ଯେ ଜେମି ଟାଇଟାନିକ୍ ଜାହାଜ ବୁଡ଼ିବା ଘଟଣା ବିଷୟରେ କଥା ହେବା କମ୍ କରିଦେଇଥିଲା । ତେବେ କହି ରଖିବାକୁ ଚାହିଁବୁ ଯେ ଜେମିଙ୍କୁ ବର୍ତ୍ତମାନ ୧୯ ବର୍ଷ । କିନ୍ତୁ ସେ ଏବେ ବି କୁହନ୍ତି ସେ ଟାଇଟାନିକ୍ ସିପର ଆର୍କିଟେକ୍ଟ ଇଞ୍ଜିନିୟର ଥୋମାସ୍ ଆଣ୍ଡ୍ର୍ୟୁସ୍ ।