କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା ପାଇଁ ହେଉ। ଆମ ଘର ମାନଙ୍କୁ କଂସା ବାସନର ପ୍ରଚଳନ ଖୁବ୍‌‌ ପୁରୁଣା । କାହିଁ କେଉଁ ପୁରାତନ କାଳରୁ କଂସା ବାସନ ଆମ କଳା, ସଂସ୍କୃତି, ଐତିହ୍ୟ ଓ ଆଭିଜାତ୍ୟ ସହିତ ଜଡ଼ିତ ।  ଝିଅ ଶାଶୂଘର ଗଲାବେଳେ ବାସନ ସଜରେ କଂସା ଓ ପିତ୍ତଳ ସାମଗ୍ରୀର ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ବାସନ ଦେଖିବାକୁ ଯେଉଁଭଳି ଆକର୍ଷଣୀୟ, ଏହାର ଔଷଧୀୟ ଗୁଣ ବି ସେଭଳି।ଦିନ ଥିଲା କଂସା ବାସନ ପାଇଁ ପ୍ରସିଦ୍ଧ ଥିଲା ବିନିକା ।

ବିନିକା ରେ ଅବସ୍ଥିତ କଂସାରି ପଡ଼ା ରେ ଶୁଭୁ ଥିଲା କଂସା ବାସନ ତିଆରି ର ଠକ୍ ଠକ୍ ଶବ୍ଦ । ପୂର୍ବରୁ ବିନିକା ଠାରେ ଷାଠିଏ ରୁ ଅଧିକ କଂସାରି ଶାଳ ଅବସ୍ଥିତ ଥିଲା ବେଳେ ବର୍ତ୍ତମାନ ନାମକୁ ମାତ୍ର ଗୋଟିଏ ରୁ ଦୁଇଟି ଅଛି । ପ୍ରଥମେ କଂସା ବାସନର ଚାହିଦା କାହିଁରେ କଣ ଥିଲା । ଲୋକେ କଂସା ଥାଳି ରେ ଭାତ ଖାଉ ଥିଲେ କଂସା ଗିନାରେ ଡାଲି ତରକାରୀ ଖାଉ ଥିଲେ କଂସା ବେଲାରେ ବାସି ପଖାଳ ଖାଇବାର ମଜା ନେବା ସହ ସୁସ୍ଥ ଜୀବନ ଯାପନ କରୁଥିଲେ । କିନ୍ତୁ ବଜାରକୁ ଯେତେବେଳ ଶସ୍ତାରେ ଷ୍ଟେନଲେସ ଷ୍ଟିଲ ପ୍ଲାଷ୍ଟିକ ଓ ଚିନା ମାଟି ର ବାସନକୁସନ ଆସିଲା ଧୀରେ ଧୀରେ କଂସା ବାସନ ର ଚାହିଦା ହ୍ରାସ ପାଇବାରେ ଲାଗିଲା । ଖାଲି ଲୋକେ ଝିଅ ବାହାଘରକୁ ଯୌତୁକ ଦେବାକୁ କଂସା ବାସନ କିଣିଲେ।

ଏପରିକି କଂସା ବାସନର କଞ୍ଚା ମାଲ୍ ମଧ୍ୟ ଆସିବା ବନ୍ଦ୍ ହୋଇଗଲା । କଂସା କାରିଗର ମାନେ ତାଙ୍କ କୌଳିକ ବୃତ୍ତି କୁ ଛାଡ଼ିବାକୁ ବାଧ୍ୟ ହେଲେ । ବର୍ତ୍ତମାନ ଖାଲି ପରମ୍ପରା କୁ ବଜାୟ ରଖିବାକୁ ମାତ୍ର ଦୁଇଟି କଂସା ବାସନ ଶାଲ ଅଛି ଯେଉଁଠି ପୁରୁଣା ଭଙ୍ଗା କଂସା ବାସନ କୁ ପୁଣି ଗରମ କରି ତରଳାଇ ଛାଞ୍ଚ ରେ ପକାଇ ଗୋଲାକାର ପିଣ୍ଡ ପ୍ରସ୍ତୁତ କଲାପରେ ତାକୁ ନିଆଁରେ ବାରମ୍ବାର ଗରମ କରି ପିଟି ପିଟି ନୂଆ ବାସନ ତିଆରି କରାଯାଉଛି । ବର୍ତମାନ ଖାଲି ପୁରୁଣା କଂସାକୁ ପୁନର ନିର୍ମାଣ କାମ କରି ଦୈନିକ ମଜୁରିଆ ଭାବରେ ପରିବାର ପ୍ରତିପୋଷଣ ପାଇଁ ସକାଳୁ ବିନିକାକୁ ରାତି ଅଢେଇରୁ ଗୁଲାପଡ଼ାକୁ ଆସନ୍ତି ଦିବ୍ୟାଲୋଚନ।

ଯେଉଁଥି ପାଇଁ ଦିନେ ବିନିକା ଅଞ୍ଚଳ ସୁନାମ କରିଥିଲା ତାହା ଏବେ ହଜିବାକୁ ବସିଲାଣି । ଏବେ ମଧ୍ୟ କେତେକ ପରିବାର ଅଛନ୍ତି ଯେଉଁ ମାନେ କଂସା ବାସନରେ ଖାଉଛନ୍ତି ଏବଂ କଂସା ବାସନର ଉପକାରିତା ସମ୍ପର୍କରେ ଅବଗତ ଅଛନ୍ତି । ଶରୀର ପାଇ କଂସା ବାସନ ବହୁତ ଉପକାରୀ । କଂସା ବାସନରେ ଖାଦ୍ୟ ରାନ୍ଧିଲେ ଓ ଖାଦ୍ୟ ଖାଇଲେ ତାହା ସ୍ୱାସ୍ଥ୍ୟ ପକ୍ଷେ ହିତକାରକ। ପିତ୍ତଳରେ ଅଧିକ ଏସିଡିକ୍‌‌ ଖାଦ୍ୟ ଯେମିତିକି ଲେମ୍ବୁ, ଦହି ଆଦି ଖାଦ୍ୟ ସାମଗ୍ରୀ ରହିଲେ, ତାହା ଶରୀର ପାଇଁ କ୍ଷତିକାରକ । ମାତ୍ର କଂସାରେ ଆଣ୍ଟିବ୍ୟାକ୍ଟେରିଆଲ୍‌‌ ପ୍ରୋପର୍ଟି ଥିବାରୁ ଖାଦ୍ୟ ଅଧିକ ସମୟ ରହିଲେ ବି ତାହା ଶରୀର ଉପରେ କୁପ୍ରଭାବ ପକାଏ ନାହିଁ । କଂସା ବାସନରେ ଖାଇବା ଶରୀର ପକ୍ଷେ ହିତକର ହୋଇଥାଏ । ବିଶେଷକରି ପଖାଳ ଖାଇବା ସମୟରେ ପିତ୍ତଳ ପରିବର୍ତ୍ତେ କଂସାରେ ଖାଇଲେ ଭଲ । କାରଣ ଏହା ମାଇକ୍ରୋଅର୍ଗାନିଜିମ୍‌‌କୁ ମଧ୍ୟ କଣ୍ଟ୍ରୋଲ କରି ରଖିବା ସହ ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼଼ିଇଥାଏ । ଏମିତି ଆୟୁର୍ବେଦିକ ବିଦ୍ୟାରେ ମଧ୍ୟ କଂସା ବାସନରେ ଖାଇବାର ଉପକାରିତା ସମ୍ପର୍କରେ ରହିଛି ।

ସରକାର ସମସ୍ତ କାରିଗର ବୁଣାକାର ମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଥିବା ବେଳେ କଂସା ବାସନ କାରିଗର ମାନକ ପାଇଁ କୌଣସି ଯୋଜନା ନଥିବା କଂସା କାରିଗର ମାନେ ଅତି କ୍ଷୋଭର ସହ ପରିପ୍ରକାଶ କରିଛନ୍ତି । ବିନିକା ସହର ଭିତରେ ଯେତେ କଂସା କାରିଗର ଥିଲେ ପ୍ରାୟ ସମସ୍ତେ ନିଜ କୌଳିକ ବୃତ୍ତିକୁ ଜଳାଞ୍ଜଳି ଦେଇ ଅନ୍ୟ ବୃତ୍ତିକୁ ଆପଣାଇ ଯେମିତି ସେମିତି ପ୍ରକାରେ ନିଜ ପରିବାର ପ୍ରତିପୋଷଣ କରିବାକୁ ବାଧ୍ୟ ହେଉଛନ୍ତି ।