ଭୁବନେଶ୍ୱର: ଭାଇ ତୋ ହାତରେ ଏଥର ରାକ୍ଷୀ ବାନ୍ଧିଲେ ମୋତେ ଗୋଟିଏ ଭଲ ଡ୍ରେସ ଦେବୁ, ଆଉ ଗୋଡ଼କୁ ପାଉଁଜି ହଳେ ଆଣିବୁ । କ’ଣ ମୋ କଥା ଶୁଣି ପାରୁନୁ । ନା ତୁ କାହିଁକି ଶୁଣିବୁ ତୋତେ ଦେବାକୁ ପଡିବ ବୋଲି ତ କୁଆଡେ ପଳାଇ ଗଲୁ । ଏହି ଭଳି କହି ମାଆକୁ ଜାବୁଡି ଧରି କାନ୍ଦୁଛି ଭଉଣୀ । ରାତି ପାହି ସକାଳ ହୋଇଥିଲେ ଭଉଣୀ ଦଉଡି ଯାଇ ଭାଇ ହାତରେ ବାନ୍ଧି ଥାଆନ୍ତା ରାକ୍ଷୀ । ହେଲେ ଭଉଣୀ ରାକ୍ଷୀ ଖୋଜୁଛି ଏବେ ଭାଇ ହାତକୁ । ଏଣେ ମା’ ଗଡି ଗଡି ଭୂଇଁରେ କାନ୍ଦୁଛି ଶିବୁ ତୁ କୁଆଡେ ଗଲୁ ।
ମୋ ଶିବୁକୁ ମୋତେ କିଏ ଆଣି ଦିଅରେ । ମୁଁ କାହା ପାଇଁ ବଞ୍ଚିବି । ୨୭ବର୍ଷର ପୁଅକୁ ଭୁବନେଶ୍ୱରରେ ଛାଡ଼ିଥିଲି । ହେଲେ ହେ ଭଗବାନ ପୁଅକୁ ମୋର କୁଆଡେ ନେଲୁ । ଏ ମାଆର କାନ୍ଦରେ ବାଦଲ ଫାଟି ଆକାଶ ଖସି ପଡିବା ଭଳି ସ୍ଥିତି । ତେବେ ଆସନ୍ତୁ ମନକୁ ବ୍ୟଥିତ କରୁଥିବା ଏ କରୁଣ ଦୃଶ୍ୟ ପଛର କାହାଣୀକୁ ଯିବା । ମୃତକଙ୍କ ନାମ ଶିବ ପ୍ରସାଦ ବାରିକ । ଘର ଯାଜପୁର ଜିଲ୍ଲା ସୁଜନପୁରରେ । ଶିବ ଭୁବନେଶ୍ୱର ଉପକଣ୍ଠ ପଣ୍ଡା କୁଦିଆରେ ଆଜକୁ ଚାରୀ ପାଞ୍ଚ ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ଦୁଇଟି ଛୋଟ ଛୋଟ ପୁଅ ।
ଅନ୍ୟପଟେ ଶିବଙ୍କ ମୃତ୍ୟୁ ଘଟଣାର ଦୁଇ ଦିନ ଆଗରୁ ତାଙ୍କର କୌଣସି ଲୋକଙ୍କ ସହିତ ଝଗଡା ହୋଇଥିଲା । ଆଉ ସେମାନେ ତାଙ୍କ ମୋବାଇଲ ମଧ୍ୟ ନେଇ ଯାଇଥିଲେ ବୋଲି ଘରକୁ ଆସି ସ୍ତ୍ରୀଙ୍କୁ କହିଥିଲେ । ଯାହା ଗଣମାଧ୍ୟମକୁ କହିଛନ୍ତି ଶିବଙ୍କ ପତ୍ନୀ । ହେଲେ ତାପରେ ଗତକାଲି ଭୋର ସମୟରେ ଆସି ପାଖ ପଡୋଶୀ କୁଆଡେ ଖବର ଦେଲେ କି ତାଙ୍କ ସ୍ୱାମୀ ନିଜ ପ୍ରାଣ ହରାଇଛନ୍ତି ବୋଲି । ହେଲେ ଏକଥା ଶୁଣି ସ୍ତ୍ରୀ ହତବାକ ଆଉ ଏକଥାକୁ ଆଖିରେ ରଖି ଭରତପୁର ଥାନାରେ ଅଭିଯୋଗ ଆଣିଛନ୍ତି ।
ସେପାଖରେ ଶିବଙ୍କ ପରିବାର ଲୋକେ ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଏପଟେ ଶବ ଗୃହ ନିକଟରେ ମାଳ ମାଳ ଲୋକ ଖାଲି ଏଠି ସେଠି ଚର୍ଚ୍ଚା କରୁଥାନ୍ତି । ଏତେ ଭଲ ପିଲା ଏମିତି କେବେ କରିବନି । ହେଲେ ଏସବୁ ହେଲା କେମିତି । ଯେଉଁଥିପାଇଁ ଶିବଙ୍କ ମୃତ୍ୟୁକୁ ସନ୍ଦେହ କରି ଭରତପୁର ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ହେଲେ ଆଉ କଣ ଶିବ ଫେରିବେ… ଏଣେ ଦୁଇଟି କୁନି କୁନି ପୁଅ ବାପାଙ୍କୁ ଖୋଜୁଛନ୍ତି । ଭଉଣୀ ଅପେକ୍ଷା କରିଛି କିନ୍ତୁ ଆଉ ଫେରୁ ନାହାନ୍ତି ଶିବ ।
ପୋଲିସ ତଦନ୍ତ ଆଳରେ ବାଟବଣା କରୁଛି କହି ଅଭିଯୋଗ ମଧ୍ୟ ଆଣିଲେ । ତେବେ ସବୁ କଥାକୁ ଆଖିରେ ରଖି ପୋଲିସ ଅପେକ୍ଷା କରିଛି ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ଆଉ ତଦନ୍ତ ଜାରି ରଖିଛି । ତେବେ ଆଗକୁ ଶିବଙ୍କ ପରିବାର ନ୍ୟାୟ ପାଇବେକି ନାହିଁ ତାକୁହିଁ ଦେଖିବା ବାକି ରହିଲା ।
Also read: ମୃତ ନଣନ୍ଦେଇଙ୍କୁ ଦେଖିବା ପାଇଁ ଯାଉଥିବା ବେଳେ ଦୁର୍ଘଟଣାରେ ଶଳାଭାଉଜଙ୍କର ମୃତ୍ୟୁ, ପୁତୁରା ଗୁରୁତର