ଭାଇକୁ ମାରିଲା ଭାଇ, ରକ୍ତ ସମ୍ପର୍କରେ ଲାଗିଲା କଳଙ୍କର ଛିଟା

ଗାଁରେ ଚାଲିଥିଲା ନାମ ସଂକୀର୍ତ୍ତନ । ଭକ୍ତିମୟ ପରିବେଶ । ଖୁସିରେ ବସି ନାମଯଜ୍ଞ ଦେଖୁଥାନ୍ତି ଯୁବକ । ହେଲେ ହଠାତ ପଛପଟୁ ହେଲା ଆକ୍ରମଣ । ଖୁବ୍ ଜୋରରେ ଠେଙ୍ଗା ପାହାର । ଆଉ ସେହିଠାରେ ହିଁ ଟଳି ପଡ଼ିଥିଲେ ଯୁବକ ଜଣକ । ଥମିଗଲା ପ୍ରଭୁଙ୍କ ନାମ ଉଚ୍ଚାରଣ । ଶୁଭିଲା ଆର୍ତ୍ତ ଚିତ୍କାର । ଆଉ ସ୍ତବ୍ଧ ହୋଇଗଲେ ସମସ୍ତେ । ଉପସ୍ଥିତ ଲୋକେ ଭୟଭୀତ ହୋଇପଡ଼ିଥାନ୍ତି । କିଛି ବୁଝି ପାରୁନଥାନ୍ତି ଇଏ ହଠାତ୍ କଣ ହୋଇଗଲା । କ’ଣ କରିବେ କ’ଣ ନାହିଁ ଭାବି ପାରୁନଥାନ୍ତି ।
ତେବେ ବାକି ସବୁ କଥା ଭୁଲି ତୁରନ୍ତ ଯୁବକ ଜଣଙ୍କୁ ନେଇ ଯାଇଥିଲେ ହସ୍ପିଟାଲ । ହେଲେ ସେତେବେଳକୁ ଯୁବକଙ୍କ ଦେହରେ ଆଉ ପା୍ରଣ ନଥିଲା । ବଲାଙ୍ଗିର ଜିଲ୍ଲା ହଳଦୀ ପଞ୍ଚାୟତ କର୍ଲାପଟା ଗାଁରେ ଘଟିଛି ଏହି ଘଟଣା । ପୂର୍ବ ଶତ୍ରୁତାକୁ ନେଇ ମାରି ଦେଇଛନ୍ତି ଯୁବକ ଜଣକୁ । ତାହାପୁଣି ଭକ୍ତିଭାବନା ସହ ନାମଯଜ୍ଞ ଚାଲିଥିଲା ବେଳେ । ମୃତକ ଜଣକ ହେଉଛନ୍ତି ବିଭୀଷଣ ଧରୁଆ । ତାଙ୍କୁ ଅଭିଯୁକ୍ତ ପୁରୁନ୍ଧର ଧରୁଆ ମାରିଥିବା କୁହାଯାଉଛି । ଉଭୟ ସମ୍ପର୍କରେ ପିଉସୀ ପୁଅ ଭାଇ ହେବେ ।
ଗାଁର ପୁରୁନ୍ଧର ଧରୁଆ ବିଭୀଷଣ ଧାରୁଆଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି । ଶନିବାର ବିଳମ୍ବିତ ରାତିରେ ଗାଁ ମୁଣ୍ଡରେ ଘଟିଥିଲା ଏହି ଘଟଣା । ହତ୍ୟା ପରେ ରାତି ସାରା ସେମିତି ପଡ଼ି ରହିଥିଲା ମୃତଦେହ । ପରେ ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରିଥିଲା । ପୋଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସୂଚନା ଅନୁଯାୟୀ ଏହା ବିଭୀଷଣଙ୍କ ଉପରେ ପ୍ରଥମ ଆକ୍ରମଣ ନଥିଲା । ପୂର୍ବରୁ ମଧ୍ୟ ପୁରୁନ୍ଧର ଅନେକ ଥର ନିଜ ଭାଇକୁ ମାଡ଼ ମାରି ଲହୁଲୁହାଣ କରିଥିଲା ।
ଯାହାପରେ ପରିବାର ଲୋକେ ପୁରୁନ୍ଧର ନାଁରେ କେସ କରି ତାକୁ ଜେଲ୍ ପଠାଇ ଥିଲେ । ତେବେ ଉଭୟ ପରିବାର ମଧ୍ୟରେ କୌଣସି ପୂର୍ବ ଶତ୍ରୁତାକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ପୋଲିସ୍ ଅଭିଯୁକ୍ତ ପୁରନ୍ଧରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ସଠିକ ତଦନ୍ତ ପରେ ହିଁ ଏହି ଜଘନ୍ୟ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହେବ ।
Also read: ସ୍ତ୍ରୀ ପାଇଁ ଷଡଯନ୍ତ୍ର ରଚିଥିଲା ସ୍ୱାମୀ, ହେଲେ ମଝିକୁ ଆସିଗଲା କୁନି ଝିଅ