ଭାଇ ଭଉଣୀଙ୍କ ନିଆରା ପ୍ରୟାସ, ପଢ଼ା ଖର୍ଚ୍ଚ ଉଠାଇବା ପାଇଁ କରିଛନ୍ତି ଚା’ ଦୋକାନ

ମାମୁ ପୁଅ ସୋନୁ ଓ ପିଇସା ଝିଅ ଲୋନି । ବାପା ମା’ଙ୍କ ଉପରେ ବୋଝ ନହୋଇ ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ପାଇଁ କରିଛନ୍ତି ଉଦ୍ୟମ । ପାଖରେ ଏତେ ଟଙ୍କା ନଥିଲା । ତେଣୁ ଯାହା କିଛି ସଞ୍ଚୟ କରି ରଖିଥିଲେ ତାକୁ ଉପଯୋଗ କରି ଏହି ଚା ଦୋକାନ କରିଛନ୍ତି । ସକାଳେ ୨ ଘଣ୍ଟା ଆଉ ସନ୍ଧ୍ୟାରେ ଦୁଇ ଘଣ୍ଟା । କଲେଜ୍ ଟ୍ୟୁସନ ସାରି ଏଠାରେ ଚା ପ୍ରସ୍ତୁତ କରନ୍ତି । ଅଯଥା ସମୟ ଅପଚୟ ନକରି କେମିତି ଦୁଇ ପଇସା ରୋଜଗାର କରି ନିଜ ଖର୍ଚ୍ଚ ନିଜେ ଉଠାଇ ପାରିବେ ସେହି ଚିନ୍ତାରେ ଭାଇ ଭଉଣୀ । ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ଏମିତି ଉପାୟକୁ ଆପଣାଇଛନ୍ତି ଏମାନେ । କଲେଜରେ ପାଠ ପଢିବା ସହିତ ଭାଇ ଓ ଭଉଣୀ ସମୟ ବାହାର କରି ଉଭୟ ମିଶି ଚା’ ବିକୁଛନ୍ତି ।

କେନ୍ଦ୍ରାପଡ଼ା ସହର ତିନିମୁହାଣୀ ନିକଟସ୍ଥ ଧନୀ ଛକରେ ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି । କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠ ପଢନ୍ତି ପଟାମୁଣ୍ଡାଇ ଅଞ୍ଚଳର ଅର୍ପିତା ପ୍ରିୟଦର୍ଶିନୀ ଓରଫ ଲୋନି ଓ ତାଙ୍କ ମାମୁଁ ପୁଅ ସାନ ଭାଇ ରାଜାରାମ ସାହୁ ଓରଫ ସୋନୁ । ସେ କେନ୍ଦ୍ରାପଡା କଲେଜରେ ବିକମ୍ ପ୍ରଥମ ବର୍ଷର ଛାତ୍ର । ଉଭୟ ଭାଇ ଓ ଭଉଣୀ ନିଜର ପାଠ ପଢା ଖର୍ଚ୍ଚ ଉଠାଇବା ପାଇଁ କିଛି ଟଙ୍କା ଖର୍ଚ୍ଚ କରି ଏହି ଚା’ ଦୋକାନ କରିଛନ୍ତି । ନିଜର ପଢା ଖର୍ଚ୍ଚ ବାବଦକୁ ଚାହା ବିକ୍ରି କରି ଯାହା କିଛି ରୋଜଗାର କରୁଛନ୍ତି ସେଥିରେ ଭାଇ ଭଉଣୀଙ୍କ ଖର୍ଚ୍ଚ ଉଠିଯାଉଛି । ଉଭୟ ସକାଳୁ ଉଠି ଭୋରୁ ଭୋରୁ ଦୋକାନ ଖୋଲି ଦିଅନ୍ତି । ଆଉ ଦୋକାନର ନାଁ ରଖିଛନ୍ତି ସୋନୁ ଲୋନି ଚା’ ଦୋକାନ । ଏହି ଗରମାଗରମ ଚା’ ପିଇବା ପାଇଁ ଜମୁଛି ଗ୍ରାହକଙ୍କ ଭିଡ଼ । ପାଠପଢ଼ା ସହିତ ନିଜ ଖର୍ଚ୍ଚ ଉଠାଇବା ପାଇଁ ଏପରି ରୋଜଗାରର ପନ୍ଥା ଆପଣାଇଥିବା କହିଛନ୍ତି ଭାଇ-ଭଉଣୀ ।

ପରିବାରର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ଥିବା ସତ୍ତ୍ବେ ମଧ୍ୟ ନିଜେ କିଭଳି ରୋଜଗାର କରି ପାଠ ପଢିବେ ଓ ନିଜର ବାକି ସମୟକୁ ଅପଚୟ ନକରି ନିଜେ ରୋଜଗାର କରିବେ ସେଥିପାଇଁ ଚେଷ୍ଟା କରୁଛନ୍ତି । ଅର୍ପିତାଙ୍କ ମାମୁ ପୁଅ ହେଉଛନ୍ତି ରାଜାରାମ୍ । ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ଜରିଆ ଗାଁର ଅରୁଣ କୁମାର ଦାସଙ୍କ ଝିଅ ଲୋନି ହୋଇଥିବା ବେଳେ ଚାଷୀ ରମାକାନ୍ତ ସାହୁଙ୍କ ପୁଅ ରାଜାରାମଙ୍କ ଘର ରାଜନଗର ବ୍ଳକ୍ ଘଡିଆ ମାଳ ଦାରୁଓରା ଗାଁରେ । ଅର୍ପିତା ରାଜନୀତି ବିଜ୍ଞାନରେ ପିଜି କରୁଛନ୍ତି । ତାଙ୍କ ବାପା ହୋଟେଲ୍‌ରେ କାମ କରନ୍ତି । ଉଭୟ ଉଦୟନଗରରେ ଘର ଭଡ଼ା ନେଇ ରହୁଛନ୍ତି । ପାଠପଢ଼ାରେ ଅଧିକରୁ ଅଧିକ ଅର୍ଥ ଆବଶ୍ୟକ ବୋଲି ଏହି ଭାଇ ଭଉଣୀ ପଦାକୁ ଗୋଡ଼ କାଢ଼ିଛନ୍ତି । ମାତ୍ର ୫ ଟଙ୍କାରେ ମିଳୁଛି ସ୍ପେସାଲ୍ ଚା’ । ଦୈନିକ ୬୦୦ରୁ ୧୦୦୦ ଟଙ୍କା ବିକ୍ରି ହେଉଛି ବୋଲି କହିଛନ୍ତି ଭାଇ ଭଉଣୀ ।

କେନ୍ଦ୍ରାପଡ଼ା ଜିଲ୍ଲାର ଏହି ଦୁଇ ପଢୁଆ ପିଲା ଚା’ ବିକି ପାଠ ପଢ଼ିବା ଘଟଣା ସମସ୍ତଙ୍କୁ ବିସ୍ମିତ କରୁଛି । ବର୍ତ୍ତମାନର ଯୁବପିଢ଼ି ପଥ ଭ୍ରଷ୍ଟ ହେଉଥିବା ବେଳେ କଲେଜରେ ପାଠ ପଢୁଥିବା ଏହି ଭାଇ ଭଉଣୀ ଦୁଇ ଜଣ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ।