ବାଛୁରୀର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କଲେ ବାଛୁରୀ ପାଳକ
ଅସୁସ୍ଥ ଥିଲା ବାଛୁରୀ । ବାଛୁରୀର ମୃତ୍ୟୁ ହୋଇଯିବା ନେଇ ଚିନ୍ତାରେ ପଡ଼ିଥିଲେ ପାଳକ । ବାଛୁରୀର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ । ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ।

ଅନୁଗୁଳ : ଅସୁସ୍ଥ ଥିଲା ବାଛୁରୀ । ବାଛୁରୀର ମୃତ୍ୟୁ ହୋଇଯିବା ନେଇ ଚିନ୍ତାରେ ପଡ଼ିଥିଲେ ପାଳକ। ବାଛୁରୀର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ। ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗାଁର ତରୁଣ କୁମାର ସାମଲଙ୍କ ଗାଈ ଗତ ଚାରି ଦିନ ପୂର୍ବରୁ ଗୋଟିଏ ବାଛୁରୀ ଜନ୍ମ କରିଥିଲା। ମାତ୍ର ଜନ୍ମ ପରେ ବାଛୁରୀର ମଳଦ୍ୱାର ନଥିବା ଦେଖିବାକୁ ମିଳିଥିଲା।
ଏହାପରେ ତରୁଣ ବାଛୁରୀଟିର ଚିକିତ୍ସା ନିମନ୍ତେ ବଅଁରପାଳ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ ମଧ୍ୟ ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ କାରଣରୁ ବାଛୁରୀର ଚିକିତ୍ସା କରାଯାଇ ପାରିବ ନାହିଁ ବୋଲି କହି ତାଙ୍କୁ ଫେରାଇ ଦେଇଥିଲେ। ଏହାପରେ ବିଭିନ୍ନ ପ୍ରାଣୀ ଚିକିତ୍ସକଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ନେହୁରା ହୋଇ ବିଫଳ ହୋଇଥିଲେ ବାଛୁରୀ ପାଳକ। ଶେଷରେ ନିରୁପାୟ ହୋଇ ଆଜି ତରୁଣ ନିଜ ପରିବାର ସଦସ୍ୟଙ୍କ ସହ ବାଛୁରୀକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ବାଛୁରୀର ଚିକିତ୍ସା ନିମନ୍ତେ ନିବେଦନ କରିଥିଲେ ।
ଓଡ଼ିଶା ପ୍ରାଣୀଚିକିତ୍ସା ସେବାସଙ୍ଘ ଦ୍ୱାରା ଆହୁତ ଆନ୍ଦୋଳନରେ ଅନୁଗୋଳ ଜିଲ୍ଲାର ପ୍ରାଣୀ ଚିକିତ୍ସକ ମାନେ ଗତ ୧୮ ତାରିଖରୁ ସମୂହ ଛୁଟିରେ ଯାଇଛନ୍ତି । ମୁଖ୍ୟତଃ ପ୍ରାଣୀଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣ ଯଥା ୨୪ ଘଣ୍ଟା ସେବା ବ୍ୟବସ୍ଥା, ବିଶେଷଜ୍ଞ ସେବା ବ୍ୟବସ୍ଥା, ଜଟିଳ ରୋଗାକ୍ରାନ୍ତ ପ୍ରାଣୀମାନଙ୍କ ସ୍ଥାନାନ୍ତରଣ ସୁବିଧା, ନିଶୁଳ୍କ ସେବା ଇତ୍ୟାଦି ସହ ଓଡ଼ିଶାର ପ୍ରାଣୀ ଚିକିତ୍ସକ ମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ମାନଙ୍କ ସହ ସମାନ ପଦୋନ୍ନତି (ଡି.ଏ.ସି.ପି.) ସୁବିଧା ପ୍ରଦାନ, ଓଡ଼ିଶାର ପ୍ରାଣୀ ଚିକିତ୍ସକ ମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ମାନଙ୍କ ହାରରେ ଏନ. ପି. ଏ. ପ୍ରଦାନ ଓ ରାଜ୍ୟରେ ପ୍ରାଣୀ ଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି, ଡାକ୍ତର ନିଯୁକ୍ତି ଓ କ୍ୟାଡ଼ର ପୁନର୍ଗଠନ ଆଦି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜିଲ୍ଲାର ପ୍ରାଣୀ ଚିକିତ୍ସକଗଣ ।
ଦାବି ପୂରଣ ନେଇ ବିଭିନ୍ନ ସମୟରେ ସରକାରଙ୍କୁ ଅବଗତ କରାଇଥିଲେ ମଧ୍ୟ ଦାବି ପ୍ରତି କର୍ଣ୍ଣପାତ ନ କରିବାରୁ ବିତସ୍ପୃହ ହୋଇ ଓଡ଼ିଶାର ସମସ୍ତ ପ୍ରାଣୀ ଚିକିତ୍ସକ ମାନେ ଜାନୁଆରୀ ୧୮ ତାରିଖରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ କାରଣରୁ ଜିଲ୍ଲାର ପ୍ରାଣୀ ପାଳକ ମାନେ ନାହିଁ ନଥିବା ଅସୁବିଧାର ହେଉଛନ୍ତି । ଅପରପକ୍ଷରେ ଆଜିର ଘଟଣାକୁ ନେଇ ପ୍ରାଣୀ ଚିକିତ୍ସକମାନେ ଦୁଃଖ ପ୍ରକାଶ କରିବା ସହ ଏଥିପାଇଁ ସରକାରଙ୍କ ଦାବି ପ୍ରତି ଅଣଦେଖାକୁ ଦାୟୀ କରିଛନ୍ତି ।