ମା’ ସବୁବେଳେ ମା’: ସେ ମଣିଷ ହେଉ କି ପଶୁ

ଭଞ୍ଜନଗର: ଏପଟେ ମାଲିକ, ସେପଟେ ମା’ । ମଝିରେ ଛୁଆ ବାଛୁରୀର ନିସ୍ତେଜ ଶରୀର । ଖୋଳିଥିବା ଗାତରେ ଛୁଆର ଶରୀର, ତା’ଉପରେ ମାଟି ଘୋଡାଇ ଦେଉଛି, ମାଲିକ । ଏ ଦୃଶ୍ୟକୁ ଦେଖି , ମା’ ଟି ବିକଳରେ ଚାହିଁ ରହିବା ବ୍ୟତୀତ, ଆଉ କିଛି ଉପାୟ ନଥିଲା । ମୁହଁ ଖୋଲି କିଛି କହିପାରୁନଥିଲା । କେବଳ, ମଝିରେ ମଝିରେ ହମ୍ବାଳି ଛାଡୁଥିଲା ମା’ । ଏହି ଦୃଶ୍ୟ ଯିଏ ଦେଖିବ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ ।

ଆମେ କହୁଛୁ, ନିଜ ଜନ୍ମକଲା ବାଛୁରୀକୁ ହରାଇଥିବା ଗୋଟିଏ ଗାଈର କଥା । ଘଟଣା ଦିନର ପୂର୍ବ ରାତିରେ, ଗାଈଗୋଠ ରେ ପଶିଥିଲା ବାଘ । ସେଥିରୁ ଗୋଟିଏ ବାଛୁରୀକୁ ଟାଣି ନେଇ, ଆକ୍ରମଣ କରିଥିଲା । ବାଛୁରୀଟି ଛଟପଟ ହେଉଥିଲା । ଆଖପାଖ ଲୋକଙ୍କ ପାଟି ଶୁଣି, ବାଘଟି ପାଖ ଜଙ୍ଗଲକୁ ଦୈାଡି ଚାଲିଯାଇଥିଲା । କିଛି ସମୟପରେ ବାଛୁରୀର ମୃତ୍ୟୁ ହୋଇଥିଲା ।

ପରଦିନ ସକାଳୁ ବନବିଭାଗ ଏବଂ ପଶୁ ଚିକିତ୍ସକ ପହଞ୍ଚି, ମୃତ ବାଛୁରୀକୁ ବ୍ୟବଛେଦ କରିଥିଲେ । ଏବଂ ସେହିଠାରେ ହିଁ, ଗାତ ଖୋଳି ଜୀବନ ଚାଲିଯାଇଥିବା ବାଛୁରୀକୁ ପୋତି ଦେଇଥିଲେ । ଆଉ ଏ ହେଉଛି, ସେହି ସମୟର ଘଟଣା । ବାଛୁରୀଟିକୁ ପୋତିବା ସମୟରେ, ଜଗି ରହିଥିଲା ମା’ ଗାଈଟି । ଆଖିରୁ, ଲୁହ ବି ଝରୁଥିଲା । ପୁଣି ବାଘ ଆକ୍ରମଣ ଆଶଙ୍କାରେ ଭୟଭୀତ ହୋଇପଡିଲେ, ଗାଈ ମାଲିକ । ଗୋଠରୁ ସମସ୍ତ ଗାଈଙ୍କୁ ଅନ୍ୟତ୍ର ନେଇଯାଇଥିଲେ । ଗାଈଗୋଠ ଖାଁ ଖାଁ ରହିଥିଲା । ତଥାପି ଏକା ଏକା ଗୋଠରେ ଜଗିରହି, ନିକଟରେ ନିଜ ଛୁଆର ମୃତଦେହକୁ ପୋତା ଯାଉଥିବା ଦୃଶ୍ୟକୁ, ଅତି ବିକଳରେ ଚାହିଁରହିଥିଲା ମା’ ଗାଈଟି ।

ଘଟଣା ସଂକ୍ରାନ୍ତରେ ଆମେ ଖବର ସଂଗ୍ରହ କରିବାକୁ ସେଠାକୁ ଯାଇଥିବାବେଳେ, ଏହି ସମସ୍ତ ଦୃଶ୍ୟ ଆମ କ୍ୟାମେରା ନଜରକୁ ଆସିଥିଲା । ଏ ହେଉଛି ଗଂଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ, ବଡରାଉଳସାହି ଗାଁ ନିକଟର ଘଟଣା । ଗାଁ ପାଖ ଜଙ୍ଗଲକୁ ଲାଗିରହିଥିବା ସ୍ଥାନରେ ସନ୍ୟାସୀ ଗୈାଡ ନାମକ ଜଣେ ଗୋପାଳକ, ପ୍ରାୟ ଶହେ ଗାଈଙ୍କୁ ନେଇ ସେଠାରେ ଗାଈଗୋଠ କରିଥିଲେ ।

ଘଟଣାଦିନ ସନ୍ଧ୍ୟାରେ, ପାଖ ଜଙ୍ଗଲରୁ ଆସି ଗାଈଗୋଠରେ ପଶିଥିଲା, ବାଘ । ପରଦିନ ସକାଳୁ, ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହା ଜଣେ ମଣିଷକୁ ବିଚଳିତ କରିଦେବ ନିଶ୍ଚୟ । ମା’ ସବୁବେଳେ ମା’ । ନିଜ ଜନ୍ମକଲା ଛୁଆ ପାଇଁ, ନିଜ ହୃଦୟର କୈାଣସି ନା କୈାଣସି କୋଣରେ, ଦରଦ ରହିଛି ନିଶ୍ଚୟ । ସେ, ମଣିଷ ହେଉ କି’ ପଶୁପକ୍ଷୀ । ଯାହାର ଆଉ ଏକ ଉଦାହରଣ ହେଉଛି, ବଡରାଉଳସାହି ଗାଁ ନିକଟର ଏହି ଦୃଶ୍ୟ ।