କ୍ୟାନସର ପାଇଁ ଉଜୁଡିବାକୁ ବସିଛି ଏହି ସୁଖର ସଂସାର, ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା

ଯାଜପୁର ଟାଉନ: କେତେ ଦାରୁଣ ଏ ମଣିଷ ଜୀବନ । ଏ ଦୃଶ୍ୟ ଦେଖିଲା ପରେ ଆପଣମାନେ ଅନୁମାନ କରିପାରିବେ । କ୍ୟାନସର ପାଇଁ ଉଜୁଡିବାକୁ ବସିଛି ଏହି ସୁଖର ସଂସାର । ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା । ବୃଦ୍ଧ ବାପ ଉପରେ ବୋଝ ସାଜିଛି ଘରର ଏକ ମାତ୍ର ରୋଜଗାରିଆ ପୁଅ । ଯିଏ ଦିନେ ସାତ ପ୍ରାଣୀ କୁଟୁମ୍ବଙ୍କ ପେଟ ପାଇଁ ଦାନା ଯୋଗାଡ଼ କରୁଥିଲା ସେ ଆଜି ଅନ୍ୟ ଜଣକ ସାହାଯ୍ୟରେ ନିଜ ଭୋକ ମେଣ୍ଟାଉଛି ।

ଦିନେ କି ଦୁଇ ଦିନ ନୁହେଁ ପାଖାପାଖି ପାଞ୍ଚ ବର୍ଷ ହେବ ଏହିଭଳି ପାଇପ ସାହାଯ୍ୟରେ ତରଳ ଖାଦ୍ୟ ଖାଇ ଜୀବନ ବିତାଉଛନ୍ତି ଚନ୍ଦ୍ରମୁଁ ଗାଁର ଅକ୍ଷୟ ଜେନା । ଅକ୍ଷୟଙ୍କ ପରିବାର କହିଲେ ସ୍ଵାମୀ, ସ୍ତ୍ରୀ, ଦୁଇ ଝିଅ, ଗୋଟିଏ ପୁଅ ଓ ବୃଦ୍ଧ ବାପା, ମାଆ । ଅକ୍ଷୟ ମୂଲ ମଜୁରୀ ଲାଗି ଦୀର୍ଘ ଦିନ ହେବ ନିଜର ପରିବାର ପ୍ରତି ପୋଷଣ କରୁଥିଲେ । ତେବେ ହଠାତ୍ ଅକ୍ଷୟ କ୍ୟାନ୍ସରରେ ପୀଡ଼ିତ ହେବା ପରେ ବଦଳିଗଲା ଜୀବନର ମୋଡ । ତଥାପି ହାରିନଯାଇ ପରିବାର ଲୋକେ ଧାର ଉଦ୍ଧାର କରିବା ସହ ଗାଁରେ ଚାନ୍ଦା ଅଦାୟ କରି ଚିକିତ୍ସା କରୁଛନ୍ତି । ଅପରେସନ ପରେ ତାଙ୍କର ଗଳା ଆଉ ଖୋଲୁ ନାହିଁ । ତେଣୁ ନାକ ବାଟେ ପାଇପ ସାହାଯ୍ୟରେ ସେ କେବଳ ତରଳ ଖାଦ୍ୟ ଖାଉ ବଞ୍ଚିଛନ୍ତି ।

ଅକ୍ଷୟଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାରୁ ଘର ଚଳିବା ସହ ପିଲାମାନଙ୍କ ପାଠ ପଢାରେ ଡୋରି ବନ୍ଧା ହେବାକୁ ବସିଲାଣି । ଅନ୍ୟପଟେ ବୁଢା ବାପାଙ୍କ ଆଣ୍ଠୁଗଣ୍ଠି ଧରୁଥିବାରୁ ସେ ବି ଦାଣ୍ଡ ପିଣ୍ଢାରେ ବସି ରହୁଛନ୍ତି । ତେଣୁ ବର୍ତ୍ତମାନ ଅକ୍ଷୟଙ୍କ ପରିବାର ଏଭଳି ଅବସ୍ଥା ଯେ ସେମାନେ ଦୁଇ ଓଳି ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ତେଣୁ ଚିକିତ୍ସା କଥା ବୁଝିବାକୁ ସମୟ ନାହିଁ କିମ୍ବା ସାମର୍ଥ୍ୟ ବି ନାହିଁ ।

ପରିବାର ଲୋକେ କଟକ ଠାରୁ ଆରମ୍ଭ କରି ମୁମ୍ବାଇ ପର୍ଯ୍ୟନ୍ତ ସବୁ ଆଡେ ଅକ୍ଷୟଙ୍କୁ ଭଲ କରିବା ପାଇଁ ଚେଷ୍ଟା କରିସାରିଥିଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ ସେ ସୁସ୍ଥ ହୋଇ ପାରିନାହାଁନ୍ତି । ଏପଟେ ଆଗକୁ ଚିକିତ୍ସା କରିବା ପାଇଁ ପରିବାର ପାଖରେ ଗୋଟିଏ ବି ଟଙ୍କା ନାହିଁ । ତେଣୁ ଅକ୍ଷୟଙ୍କ ଚିକିତ୍ସା ପାଇଁ ସରକାର କିମ୍ବା କୌଣସି ସଂଗଠନ କିଛି ସାହାଯ୍ୟ କରିବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି । ଅନ୍ୟପଟେ ଯଦି କୌଣସି ବଦାନ୍ୟ ବ୍ୟକ୍ତି ଅକ୍ଷୟଙ୍କୁ ସାହାଯ୍ୟ କରିବାକୁ ଚାହୁଁଥାନ୍ତି ତେବେ ଏହି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସହଯୋଗ କରିପାରିବେ ।

Bank name:- Central Bank of india
Account Holder Name:- AKSHAYA KUMAR JENA
Account no :- 3225360218
IFSC Code:- CBIN0281178

ଆହୁରି ପଢ଼ନ୍ତୁ:  ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ: କିଏ କହେ ତାଙ୍କୁ ’ମାଟିର ବରପୁତ୍ର’ କିଏ କହେ ’ଝଡ଼ର ଇଗଲ’