ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦୃଢ ପ୍ରଣ ନେଇଛନ୍ତି କର୍କଟ ପୀଡିତା, ୨ ବର୍ଷରେ ଲଗେଇ ସାରିଲେଣି ୩୦ ହଜାର ଗଛ

କ୍ୟାନ୍ସର ଏମିତି ଏକ ରୋଗ ଯେଉଁଥିରେ ମୃତ୍ୟୁ ସୁନିଶ୍ଚିତ । ଥରେ ସେହି ରୋଗରେ ଆକ୍ରାନ୍ତ ହେବା ମାତ୍ରେ ମଣିଷ ନିଜ ଆତ୍ମବିଶ୍ୱାସ ହରାଇ ବସେ । ଯେମିତି ଧୀରେ ଧୀରେ ନିଜର ସବୁ କିଛି ସରିଯାଉଛି । ସେ ମୁହୂର୍ତ୍ତକୁ ଯିଏ ଅଙ୍ଗେ ନିଭେଇଛି ସିଏ ହିଁ କେବଳ ଏହି ଭୟଙ୍କର ରୋଗର ଭୟାବହତା କୁ ହୁଏତ ବୁଝିପାରିଛି । କିନ୍ତୁ ନିଜେ କ୍ୟାନ୍ସର ପରି ଏକ ମାରାତ୍ମକ ରୋଗରେ ପୀଡିତ ଥାଇ ମଧ୍ୟ ଜଣେ ଯେ ଦୁନିଆକୁ ବଦଳାଇବାର ସ୍ବପ୍ନ ଦେଖିପାରେ ଏପରି ଘଟଣା ଘଟିବା ଖୁବ କମ । ନିଜେ ବ୍ରେନ କ୍ୟାନ୍ସର ପରି ଭୟାବହ ଯନ୍ତ୍ରଣାରେ ଛଟପଟ ହୋଇ ମଧ୍ୟ ସୁରଟ ସହରର ସୁରୁଚି ବଡ଼ଳିଆ ଆଜି ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି । ସୁରୁଚି ବ୍ରେନ କ୍ୟାନ୍ସରର ଶେଷ ଷ୍ଟେଜରେ ଥାଇ ମଧ୍ୟ ନିଜ ଜୀବନ ଶେଷ କିଛି ମୁହୂର୍ତ୍ତରେ ବି ସେ ଭବିଷ୍ୟତ ପିଢ଼ି ପାଇଁ ହିଁ ଚିନ୍ତା କରୁଛନ୍ତି ।

suruchi badalia

ସୁରୁଚିଙ୍କ ଅନୁଯାୟୀ କ୍ୟାନ୍ସର ରୋଗର ଅନ୍ୟତମ ମୁଖ୍ୟ କାରଣ ହେଉଛି ବାୟୁ ପ୍ରଦୂଷଣ । ଏହି ପ୍ରଦୂଷଣକୁ ନିୟନ୍ତ୍ରଣରେ ରଖିବା ଏବେ ସୁରୁଚିଙ୍କ ଜୀବନର ଏକ ମାତ୍ର ଲକ୍ଷ ପାଲଟି ଯାଇଛି । ଭବିଷ୍ୟତ ପିଢ଼ିକୁ ଏହି ମାରାତ୍ମକ ରୋଗରୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ଖାଲି ଥିବା ସ୍ଥାନ ମାନଙ୍କରେ ଗଛ ଲଗାଇବା ଆରମ୍ଭ କରିଦେଇଛନ୍ତି । ୨ ବର୍ଷର ସମୟ ଭିତରେ ସେ ପ୍ରାୟ ୩୦ ହଜାର ଗଛ ଲଗେଇ ସାରିଲେଣି । ତାଙ୍କ ଅନୁଯାୟୀ ଯଦିବା ଏହି ମାରାତ୍ମକ ରୋଗର ଚିକିତ୍ସା ସମ୍ଭବ ନୁହେଁ । କିନ୍ତୁ ଏହା ଉପରେ କିଛିଟା ରୋକ ଲଗାଯାଇ ପାରିବ ।

suruchi badalia

ହଟାତ ଦିନେ ସୁରୁଚିଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହେଇଯାଇଥିଲା । ପରୀକ୍ଷା ନିରୀକ୍ଷାରୁ ଜଣାପଡିଥିଲା କି ସୁରୁଚି ଲାଷ୍ଟ ଷ୍ଟେଜ ବ୍ରେନ ଟ୍ୟୁମରରେ ପୀଡିତ । ଯଥା ସମୟରେ ତାଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲେ ମଧ୍ୟ ତାଙ୍କ ଅବସ୍ଥା ସୁଧୁରିବା ପରିବର୍ତ୍ତେ ଆହୁରି ବିଗିଡି ଯାଇଥିଲା । ଏହି ସମୟ ଭିତରେ ସେ ମୋଟ ୩୬ଟି କେମୋଥେରାପି ନେଇସାରିଲେଣି । ଏହାସହ ଅନ୍ୟ କେତେକ ଔଷଧ ବି ନିୟମିତ ଭାବେ ଖାଉଛନ୍ତି । ଚିକିତ୍ସା ସମୟରେ ତାଙ୍କୁ ନିଜ ଲମ୍ବା ଘନ କେଶ ମଧ୍ୟ ହରାଇବାକୁ ପଡିଥିଲା । ନିଜ ଏହି ଅବସ୍ଥାରେ ସୁରୁଚି ଖୁବ ଅସ୍ତବ୍ୟସ୍ତ ବି ହୋଇଯାଇଥିଲେ | କିନ୍ତୁ ପରେ ନିଜ ମନ ଦୃଢ କରି ସାମାଜିକ କାମରେ ଲାଗିପଡିଛନ୍ତି । ନିଜେ ଜାଣିଥିଲେ ବି ସେ ଆଉ କିଛି ଦିନର ହିଁ ଅତିଥି ମାତ୍ର ।

suruchi badalia

ତେଣୁ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଗଛ ଲଗାଇବା ଅଭିଯାନ ଆରମ୍ଭ କରିଦେଇଥିଲେ । ଯଦିବା ସେ ଆଉ ନରହି ପାରନ୍ତି କିନ୍ତୁ ଗଛ ଲଗାଇ ଲୋକଙ୍କ ପ୍ରତିଟି ନିଶ୍ଵାସରେ ବଂଚିବା ପାଇଁ ଇଛା ରଖିଛନ୍ତି ସୁରୁଚି । ସୁରଟ ସହରର ଏକ ଏନଜିଓ ସଂସ୍ଥା ‘ହାର୍ଟ ଆଣ୍ଡ ୱାର୍କ ‘ ବି ସୁରୁଚିଙ୍କୁ ସହାୟତା ଯୋଗାଉଛି । ଖାଲି ସେତିକି ନୁହେଁ ସୁରୁଚିଙ୍କୁ ନିଜ ସଂସ୍ଥାର ବ୍ରାଣ୍ଡ ଆମ୍ବାସଡର ଭାବେ ଘୋଷଣା କରିଛନ୍ତି । ଏହି ସଂସ୍ଥା କିଛି ଦିନ ପୂର୍ବରୁ ହିଁ କ୍ଲିନ ଇଣ୍ଡିଆ ଓ ଗ୍ରୀନ ଇଣ୍ଡିଆ ନାମକ ଏକ ଅଭିଯାନ ଆରମ୍ଭ କରିଥିଲେ । ସୁରୁଚିଙ୍କୁ ଡାକ୍ତର ଅଧିକ ଯାତ୍ରା କରିବାକୁ ମନା କରିଥିଲେ ମଧ୍ୟ ସେ ନିଜ କାମକୁ ଅଟକାଇ ନାହାନ୍ତି ।