ଆପଣ ଜାଣନ୍ତି କି, ଔଷଧ ଭାବେ ବ୍ଯବହାର ହେଉଥିବା କ୍ଯାପସୁଲ ପ୍ରକୃତରେ ଆମିଷ

ବର୍ତ୍ତମାନ ଯୁଗ ବଦଳିବା ସହ ବିଭିନ୍ନ ନୂଆ ରୋଗ ମଧ୍ୟ ଦେଖା ଦେଉଛି। ତେବେ ରୋଗ ହେବା ସହ ଉଦ୍ଭାବନ ହେଉଛି ତାକୁ ଭଲ କରିବା ପାଇଁ ବିଭିନ୍ନ ପ୍ରକାର ଔଷଧ । ସାଧାରଣତଃ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଗଲା ମାତ୍ରେ ସେ ଅନେକ ପ୍ରକାରର ରଙ୍ଗବେରଙ୍ଗ ବଟିକା ଏବଂ କ୍ୟାପସୁଲ ଲେଖିଥାନ୍ତି । ଏପରିକି ନିଜକୁ ନିରୋଗ କରିବା ପାଇଁ ଆମେ ସେହି କ୍ୟାପସୁଲ୍‌ ମଧ୍ୟ ଖାଇଥାଉ । କିନ୍ତୁ କେବେ ଆପଣ ଭାବିଛନ୍ତି କି, ଯେଉଁ କ୍ୟାପସୁଲ୍‌କୁ ଆମେ ନିରୋଗ ହେବା ପାଇଁ ସେବନ କରିଥାନ୍ତି ତାହା ପ୍ରକୃତରେ କେଉଁଥିରେ ପ୍ରସ୍ତୁତ ? ଆସନ୍ତୁ ଜାଣିବା ଔଷଧକୁ ଆର୍କଷଣୀୟ କରିବା ପାଇଁ ବ୍ୟବହାର କରାଯାଇଥିବା କ୍ୟାପସୁଲର ଉପର ଭାଗ ପ୍ରକୃତରେ କେଉଁଥିରେ ପ୍ରସ୍ତୁତ କରାଯାଇଥାଏ ।

Capsule

ସାଧାରଣତଃ ଲୋକ ଭାବିଥାନ୍ତି କ୍ୟାପସୁଲର ଉପରି ଭାଗ ପତଳା ପ୍ଲାଷ୍ଟିକରେ ପ୍ରସ୍ତୁତ ହୋଇଥାଏ। କିନ୍ତୁ ତାହା ଠିକ ନୁହଁ, ଏହି ଖୋଳକୁ ପ୍ରସ୍ତୁତ କରିବା ପାଇଁ ଜେଲେଟିନ୍‌ ବ୍ୟବହାର କରାଯାଇଥାଏ। ପ୍ରାୟତଃ ଏହା ବିଷୟରେ ଔଷଧ ଖୋଳ କିମ୍ବା ପ୍ୟାକେଟରେ କିଛି ବିସ୍ତାର ଭାବେ ଲେଖା ଯାଇନଥାଏ। ତେବେ ଜିଲେଟିନ୍‌ ଏକ ପଶୁର ମାଂସରୁ ତିଆରି ଉତ୍ପାଦ ଅର୍ଥାତ ମାସାଂସୀ କୋଲେଜନରୁ ନିର୍ମିତ ହୋଇଥାଏ । ଏହି କୋଲେଜନ୍‌ ସୂତା ଭଳି ଏକ ପଦାର୍ଥ । ଏହା ଗାଈ, ମଇଁଷି ଆଦି  ପଶୁଙ୍କ ହାଡ଼ ଓ ଚର୍ବି ଆଦିରୁ ପ୍ରସ୍ତୁତ କରାଯାଏ । ଜିଲେଟିନକୁ ବଜାରରେ ମିଳୁଥିବା ଜେଲି ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଇଥାଏ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନର ପ୍ରାୟ ୯୮ ପ୍ରତିଶତ ଔଷଧ କମ୍ପାନୀ ପଶୁଙ୍କ ଠାରୁ ଉତ୍ପନ୍ନ ହୋଇଥିବା ଏହି ଜିଲେଟିନକୁ ବ୍ୟବହାର କରିଥାନ୍ତି । ତେବେ ଏ ବିଷୟରେ ଅଧିକାଂଶଙ୍କର ଜ୍ଞାନ ନଥାଏ । ଏହି ଘଟଣା ସେତେବେଳେ ସର୍ବସମ୍ମୁଖକୁ ଆସିଲା ଯେତେବେଳେ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧୀ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଜିଲେଟିନ୍‌ ଦ୍ୱାରା ପ୍ରସ୍ତୁତ କ୍ୟାପସୁଲ୍‌ ଖୋଳ ବଦଳରେ ଉଦ୍ଭିଦରୁ ପ୍ରସ୍ତୁତ ଖୋଳ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ । ଏବେ ଏଥିରେ କେତେକାଂଶରେ ପରିବତ୍ତର୍ତ୍ତନ କରାଯାଇଛି ।