ଏମିତି ବି ଆସେ ମୃତ୍ୟୁ, ଦାଣ୍ଡ ଦୁଆରେ ବସିଥିଲେ ମାଡ଼ିଗଲା କାର୍

ଭଂଜନଗର- ବାହୁନି ବାହୁନି ଅସମ୍ଭାଳ ହୋଇପଡୁଛନ୍ତି ସମସ୍ତେ । ଛାତି ଫଟାଇ କାନ୍ଦୁଛନ୍ତି ପରିବାରବର୍ଗ । ଘର ଆଗରେ ଶହ ଶହ ଲୋକ ରୁଣ୍ଡ ହୋଇଛନ୍ତି । ରାତି ଅଧରେ ହୋହାଲ୍ଲା ଶବ୍ଦରେ କମ୍ପି ଉଠୁଥାଏ ସାରା ଅଞ୍ଚଳ । କିଛି ଲୋକ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ ବି କରିଥିବା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କ ମୃତ୍ୟୁରେ ତାତିଛନ୍ତି ଲୋକେ । କାହିଁକି ବା ରାଗିବେନି । ଅକାରଣରେ ମହିଳାଙ୍କ ଜୀବନ ଚାଲିଗଲା । ଆଉ ମହିଳାଙ୍କ ମୃତ୍ୟୁରେ ନ୍ୟାୟ ଦାବି କରି ଲୋକେ ତାତିଥିଲେ । ତେବେ ଆସନ୍ତୁ ଜାଣିବା ପୂରା ଘଟଣା କଣ ।
ରାତି ୧୦ ଟା ବାଜିଥାଏ । ଘରେ ଅଧିକ ଗରମ ହେଉଥିବାରୁ ସଂଯୁକ୍ତା ଓ ତାଙ୍କ ପରିବାର ଲୋକେ ଘର ବାରଣ୍ଡାରେ ବସିଥାନ୍ତି । କୁନି ଛୁଆଟି ବି ସେଇଠି ଖେଳୁଥାଏ । କିନ୍ତୁ ହଠାତ କାଳ ଭଳି ମାଡ଼ି ଆସିଲା ଏକ କାର । ଚାହୁଁ ଚାହୁଁ ୩ ଜଣଙ୍କ ଉପରେ ମାଡ଼ିଗଲା । ଆଉ କ୍ଷଣିକରେ ଚାଲିଗଲା ସଂଯୁକ୍ତାଙ୍କ ଜୀବନ । ହଁ ଆଜ୍ଞା ଘର ବାରଣ୍ଡାରେ ବସିଥିବା ବେଳେ, ଘର ଉପରକୁ ମାଡିଗଲା କାର୍ । ଘଟଣା ସ୍ଥଳରେ ସଂଯୁକ୍ତାଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣେ ଶିଶୁ ଏବଂ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର – ଭଂଜନଗର ମୁଖ୍ୟ ରାସ୍ତାର କେଶରାପଲ୍ଲୀ ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ପ୍ରତିବାଦରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ, ବ୍ରହ୍ମପୁର – ଭଂଜନଗର ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ କରିଥିଲେ । ଘଟଣା ସ୍ଥଳରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି, ସେହି କାର୍ ଚାଳକକୁ ଅଟକ ରଖିଥିଲେ । ମୃତ ମହିଳା ଜଣକ କେଶରାପଲ୍ଲୀ ଗାଁର ସଂଯୁକ୍ତା ବିଷୋୟୀ ବୋଲି ଜଣାପଡ଼ିଛି ।
ସୂଚନା ଥାଉ କି କେଶରାପଲ୍ଲୀ ଗାଁର ମୁଖ୍ୟ ରାସ୍ତାକଡରେ ଥିବା ଏକ ଘର ବାରଣ୍ଡାରେ କିଛି ମହିଳା ଏବଂ ଛୋଟ ଛୁଆ ବସିଥିଲେ । ରାତିରେ ବ୍ରହ୍ମପୁର ପଟୁ ଭଂଜନଗର ଅଭିମୁଖେ ଆସୁଥିବା ଏକ କାର୍, ଘର ଉପରକୁ ମାଡି ଯିବାରୁ କାର ତଳେ ଚାପି ହୋଇ ସଂଯୁକ୍ତାଙ୍କ ମୃତ୍ୟୁ ହୋଇଥିଲା । ସେପଟେ ଅନ୍ୟ ଜଣେ ମହିଳା ଏବଂ ଶିଶୁ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି, ରାସ୍ତାରେ ଟାୟାର୍ ଜାଳି ଅବରୋଧ କରିଥିଲେ ଗାଁ ଲୋକେ ।
ତେବେ ମୃତକଙ୍କ ପରିବାରକୁ ସେହି ଗାଡ଼ି ଚାଳକ କ୍ଷତିପୂରଣ ଦେବା ପାଇଁ ଆଲୋଚନା କରିଥିଲେ । ଦୀର୍ଘ ଆଠଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା । ଏବେ ଭଂଜନଗର – ବ୍ରହ୍ମପୁର ରାସ୍ତାରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଛି । ଗାଡ଼ି ଚାଳକଙ୍କ ଏପରି ବେପରୁଆ ଗାଡ଼ି ଚାଳନା ପାଇଁ ଯେ କେତେ ଲୋକଙ୍କ ଜୀବନ ଯାଉଛି ତାର ହିସାବ ନାହିଁ । ଦୋଷ କାହାର ? ଯେଉଁ ଲୋକଟି ଦୁଆରେ ବସିଥିଲା ତାର ନା ଯିଏ ଆସାବଧାନ ହୋଇ ଗାଡ଼ି ଚଳାଉଥିଲା ତାର? ଏଭଳି ଚାଳକମାନେ କଣ ଏମିତି ପରିବାର ଉଜାଡ଼ୁଥିବେ ?