ଘରେ କେୟାର ଟେକରଙ୍କୁ ଅତ୍ୟଧିକ ଆକଟ କରୁଥିଲେ ସାବଧାନ! ନଚେତ ଯାଇପାରେ ଜୀବନ

କେୟାର ଟେକରରୁ କ୍ରିମିନାଲ । ମାଲିକଙ୍କ ବିଶ୍ଵାସରେ ବିଷ ଦେଲା କେୟାର ଟେକର । କେୟାର ଟେକରକୁ ଅତ୍ୟଧିକ ଆକଟ କରିବା କାଳ ହେଲା । ଘରେ କେହି ନଥିବାର ସୁଯୋଗ ନେଇ ମାଲିକକୁ କଲା ହତ୍ୟା । ହଁ ଆଜ୍ଞା, ମାଲିକର ଅତ୍ୟଧିକ ଆକଟକୁ ସହିନପାରି ମାଲିକକୁ ହତ୍ୟା କଲା କେୟାର ଟେକର । ଟିକେ ଭଲରେ ଦେଖନ୍ତୁ ଏ ଯୁବକଙ୍କୁ । ଭଦ୍ରମୁଖା ଚେହେରା ତଳେ ରଚିଥିଲା ଅପରାଧର କାହାଣୀ । ଯେଉଁ ମାଲିକଙ୍କ ଘରେ କାମ କରି ପେଟ ପୋଶୁଥିଲା ସେଇ ମାଲିକର ଜୀବନ ନେଇଗଲା ।
ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ରାମେଶ୍ଵରପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଜଣକ ହେଉଛନ୍ତି ୭୩ ବର୍ଷୀୟ ବୃଦ୍ଧ ଗିରିଶ କୁମାର ରାଉତ । ସୂଚନା ଅନୁସାରେ ଗିରିଶ ଶଯ୍ୟାଶାୟୀ ହୋଇଥିବା ବେଳେ ବିଭିନ୍ନ କାରଣକୁ ନେଇ କେୟାରଟେକର ଉପରେ ଚିଡଚିଡା ହେଉଥିଲେ । ଏଥିରେ ଅତିଷ୍ଠ ହୋଇ କେଆରଟେକର ଘର ମାଲିକକୁ ହତ୍ୟା କରିବାକୁ ଯୋଜନା କରି ସୁଯୋଗ ଖୋଜି ବୁଲୁଥିଲା । ଫେବ୍ରୁଆରି ୨୮ ତାରିଖ ରାତିରେ ଘଟିଥିଲା ଏହି ଘଟଣା । ଘରେ କେହିନଥିବାର ସୁଯୋଗ ନେଇ ଘର ମାଲିକ ବୃଦ୍ଧ ଗିରିଶ କୁମାର ରାଉତଙ୍କ ବେକ ଚିପି ହତ୍ୟା କରିଥିଲା ଅଭିଯୁକ୍ତ ।
ପରେ ସେ ଖଟରୁ ଖସିପଡି ପ୍ରାଣ ହରାଇଥିବା ପରିବାର ଲୋକଙ୍କୁ କହିଥିଲା । ଅଭିଯୁକ୍ତ ଜଣକ ହେଉଛି ୨୧ ବର୍ଷୀୟ ଦିପକ ବିଶ୍ଵାଳ । କିନ୍ତୁ ଘରେ କେହି ନଥିବା ସମୟରେ ହଠାତ ଏଭଳି ଗିରିଶଙ୍କୁ ମୃତ୍ୟୁକୁ ଗ୍ରହଣ କରିପାରିନଥିଲେ ପରିବାର ଲୋକେ । ଯାହା ପରେ ଏନେଇ ଥାନାରେ ଏକ ମାମଲା ରୁଜୁ କରିଥିଲେ । ଯାହାପରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ଏନେଇ ତଦନ୍ତ ଆରମ୍ଭ କରିଥିଲେ । ଗିରିଶଙ୍କ ପୋଷ୍ଟମର୍ଟମ ସମୟରେ ତାଙ୍କ ବେକରେ ଏକ ଚିହ୍ନ ଥିଲା । ପରେ ଜଣାପଡିଥିଲା ଗିରିଶଙ୍କ ଗଳା ଚିପି ହତ୍ୟା କରାଯାଇଛି ।
ତଦନ୍ତ ସମୟରେ ପୋଲିସ କେୟାରଟେକରକୁ ଅଟକ ରଖି ପଚରାଉଚୁରା ପରେ ସବୁ ସତ ମାନିଥିଲା ଦୀପକ । ଅଭିଯୁକ୍ତକୁ ଗିରଫ ପରେ ମେଡିକାଲରେ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଛି । ତେବେ ଶୁଣିବାକୁ ମିଳୁଛି କେୟାର ଟେକର ସବୁବେଳେ ମଦ୍ୟପାନ କରି ନିଶାରେ ରହୁଥିଲା । ଯେଉଁଥିପାଇଁ ପୂର୍ବରୁ ଗିରିଶ ଏବଂ ଦୀପକଙ୍କ ମଧ୍ୟରେ କିଛି ପାଟି ତୁଣ୍ଡ ହୋଇଥିଲା ଯାହାପରେ ଗିରିଶ ସବୁବେଳେ ଦୀପକଙ୍କୁ ଅତ୍ୟଧିକ ଆକଟ କରୁଥିଲେ । ଯାହାକୁ ସହିନପାରି କେୟାର ଟେକର ଦୀପକ ଏଭଳି କାଣ୍ଡ ରଚାଇଥିଲା ।
ଆଜିକାଲି ଏଭଳି ଅନେକ ବୃଦ୍ଧ ବୃଦ୍ଧା ଏକାକୀ ରହୁଛନ୍ତି । କେୟାର ଟେକର ହାତରେ ସର୍ବସ୍ୱ ଟେକିଦେଇ ବୃଦ୍ଧା ବାପା ମାଆଙ୍କୁ ଏକାକୀ ଛାଡି ବିଦେଶରେ ପିଲାମାନେ ମଉଜ୍ କରୁଛନ୍ତି । ହେଲେ ଆପଣ କେବେ ଚିନ୍ତା କରିଛନ୍ତି କେତେ ସୁରକ୍ଷିତ ଏମାନେ? ଆପଣଙ୍କ କେୟାର ଟେକର ବି ବିଶ୍ୱାସରେ ବିଷ ଦେଉନି ତ? ତେଣୁ ଘରେ କେୟାର ଟେକର ରଖିବାବେଳେ ବିଭିନ୍ନ ଦିଗରେ ସଜାଗ ରହିବାକୁ ପରାମର୍ଶ ଦେଇଛି ପୋଲିସ । ଯଦି ଆପଣ ବି କେୟାର ଟେକର ରଖୁଛନ୍ତି ତେବେ ସାବଧାନ ଓ ସର୍ତକ ହୋଇ ଘରେ କେୟାର ଟେକର ରଖନ୍ତୁ ।
Also read: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜିମ୍ ମାଲିକଙ୍କ ଝିଅକୁ ଆକ୍ରମଣ, ଜୀବନରୁ ମାରିବାକୁ ମିଳିଲା ଧମକ !